ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅକ୍ଷୟ କୁମାର ଦେଲେ ୧ କୋଟି ଟଙ୍କା

ବହୁ ସଂସ୍ଥା ପକ୍ଷରୁ ଦାନ ଦିଆଗଲା

ଭୁବନେଶ୍ବର : ‘ଫନି’ ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅକ୍ଷୟ କୁମାରଙ୍କ ପକ୍ଷରୁ ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଥିଲେ। ସେହିପରି ଫାଲକନ ମେରାଇନ୍ ଏକ୍ସପୋର୍ଟସ ଲିମିଟେଡ୍‌ର ନିର୍ଦେଶକମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ପୂର୍ବତନ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୨୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। କବିସୂର୍ଯ୍ୟନଗର ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ୧ଲକ୍ଷ ଟଙ୍କା, ଶେରଗଡ଼ ପଞ୍ଚାୟତ ସମିତି ୨ଲକ୍ଷ ୨୦ହଜାର ଟଙ୍କା, ଗଞ୍ଜାମ ଜିଲ୍ଲା ପ୍ରଶାସନ କର୍ମଚାରୀମାନଙ୍କ ପକ୍ଷରୁ ୩୧ଲକ୍ଷ ୨ହଜାର, କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ୧ଲକ୍ଷ, ଏସ୍‌.ଏସ୍‌ ଗ୍ରିନଟେକ୍ ୨୧ହଜାର ଟଙ୍କା ଓ ଶେରଗଡ଼ର ଶରତ ଚନ୍ଦ୍ର ପାତ୍ର ୪୨ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସେହିପରି ଜଳସଂପଦ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ମାସର ଦରମା ଦାନ କରିଛନ୍ତି। ଶ୍ରୀ ପୂଜାରୀ ତାଙ୍କ ୨ମାସର ଦରମା ବାବଦକୁ ୧ଲକ୍ଷ ୭୩ହଜାର ୬ଶହ ଟଙ୍କା ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀମାନେ ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ‌ଗ୍ରହଣ କରିଛନ୍ତି। ପ୍ରତି ସଦସ୍ୟଙ୍କ ମାସିକ ଦରମାରୁ ଏହି ରାଶି କଟାଯାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ପୈଠ ହେବ ବୋଲି ଆଇଏଏସ୍‌ ଅଫସର୍ସ ସଂଘର ସମ୍ପାଦକ ବିଶାଲ କୁମାର ଦେବ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏବେ ଓଡ଼ିଶା କ୍ୟାଡର୍‌ରେ ପ୍ରାୟ ୨୦୦ ଆଇଏଏସ୍‌ ଅଧିକାରୀ ଅଛନ୍ତି। ରାଜ୍ୟବାସୀଙ୍କ ବିପଦ ସମୟରେ ସହାୟତା କରିବା ପାଇଁ ଏହି ସଂସ୍ଥା ଓ ବ୍ୟକ୍ତିବିଶେଷ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର