ଅକ୍ଷୟ ପରିଜାଙ୍କ ବଙ୍ଗଳା ଚଳଚ୍ଚିତ୍ର ‘ରସଗୋଲା’କୁ ନେଇ ଚର୍ଚା

ପ୍ରମାଣ ନଥାଇ ଇତିହାସକୁ ବିକୃତ କରିବାର ଅଧିକାର କାହାର ନାହିଁ: ଅସିତ ମହାନ୍ତି

ଭୁ‌ବନେଶ୍ବର : ମାସକ ପରେ କୋଲକାତାରେ ରିଲିଜ୍ ହେବ ଓଡ଼ିଆ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବଙ୍ଗଳା ଚଳଚ୍ଚିତ୍ର ‘ରସଗୋଲା’। ଫିଲ୍ମର ପୋଷ୍ଟର ଓ ଟେଲର୍ ରିଲିଜ୍ ହୋଇ ସାରିଛି। ତେବେ ଓଡ଼ିଶାରେ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚା ଚାଲିଛି। ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମ ବଙ୍ଗ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ଏପରି ନାମକରଣକୁ ନେଇ ବଙ୍ଗଳା ଚଳଚ୍ଚିତ୍ର ପ୍ରସ୍ତୁତ ହେବ ଚର୍ଚାକୁ ବଢ଼ାଇ ଦେଇଛି। ଚଳଚ୍ଚିତ୍ରର ବିଷୟବସ୍ତୁ ଏପରି ବିବାଦକୁ ନେଇ ହୋଇଥାଇପାରେ ବୋଲି ଚଳଚ୍ଚିତ୍ର ପ୍ରେମୀ ଓ ସିନେ ସମୀକ୍ଷକମାନେ ଅନୁମାନ କରିଛନ୍ତି। ଚଳଚ୍ଚିତ୍ରରେ ସେମିତି କିଛି ନାହିଁ ବୋଲି ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି। ଅନ୍ୟପକ୍ଷରେ ରସଗୋଲା ଗବେଷକ ଅସିତ ମହାନ୍ତି କହିଛନ୍ତି, ଫିଲ୍ମରେ ନବୀନ ଚନ୍ଦ୍ର ଦାସଙ୍କୁ ରସଗୋଲାର ଉଦ୍ଭାବକ ବୋଲି ଦର୍ଶାଯାଇଥିବା ତାହାର ପ୍ରତିବାଦ କରାଯିବ। କାରଣ ତଥ୍ୟ, ପ୍ରମାଣ ନଥାଇ ଇତିହାସକୁ ବିକୃତ କରିବାର ଅଧିକାର କାହାର ନାହିଁ।

ଶ୍ରୀ ପରିଜା ନିକଟରେ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦେଇ ବଙ୍ଗଳା ଫିଲ୍ମ‌ରେ ଅର୍ଥ ନିବେଶ କରିବା ନେଇ ମତ ରଖିଥିଲେ। ଏହାର ମାତ୍ର କିଛି ଦିନ ପରେ ସେ ୟୁଟ୍ୟୁବ୍‌ରେ ତାଙ୍କ ଚଳଚ୍ଚିତ୍ର ‘ରସଗୋଲା’ର ଟେଲର୍ ରିଲିଜ୍ କରିଛନ୍ତି। ରସଗୋଲା ହଜାର ହଜାର ବର୍ଷରୁ ଓଡ଼ିଆଙ୍କ ଆରାଧ୍ୟ ‌ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭୋଗ ଏବଂ ଏହା ଓଡ଼ିଆଙ୍କ ଦ୍ବାରା ପ୍ରସ୍ତୁତ ବୋଲି ପ୍ରମାଣ ରହିଥିବା ବେଳେ ରସଗୋଲା କାହାର ଏହାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ବିବାଦ ଚାଲିଛି। ଏପରି ସମୟରେ ରସଗୋଲା ଟାଇଟଲ୍‌କୁ ନେଇ ଓଡ଼ିଆ ପ୍ରଯୋଜକଙ୍କ ବଙ୍ଗଳା ଫିଲ୍ମକୁ ନେଇ ସମସ୍ତେ ଚକ୍କିତ। ଏପରି ସମ୍ବେଦନଶୀଳ ଟାଇଟଲ୍ ଓ ରସଗୋଲା ଓଡ଼ିଆଙ୍କର ବୋଲି ଦର୍ଶାଇ ପୂର୍ବରୁ ଓଡ଼ିଆରେ ଚଳଚ୍ଚିତ୍ର ତିଆରି ପାଇଁ ହୋଇଥିବା ଯୋଜନା ବନ୍ଦ ରହିଛି। ଏପରି କ୍ଷେତ୍ରରେ ବଙ୍ଗଳା ଫିଲ୍ମ ‘ରସଗୋଲା’କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏ ସଂପର୍କରେ ଶ୍ରୀ ପରିଜା କହିଛନ୍ତି, ଚଳଚ୍ଚିତ୍ରରେ ରସଗୋଲା କାହାର କିମ୍ବା କେଉଁ ରାଜ୍ୟର ବୋଲି ଦର୍ଶାଯାଇନାହିଁ। ଏହି ଚଳଚ୍ଚିତ୍ର ପ୍ରାମାଣିକ ନୁହେଁ, ଏହା ଏକ ବ୍ୟବସାୟୀକ ଚଳଚ୍ଚିତ୍ର। ନାୟକ ଓ ନାୟିକାଙ୍କ ସମ୍ପର୍କ ଏକ ମିଠା ଦୋକାନରୁ ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ପ୍ରେମକୁ ମିଠା ରସଗୋଲା ସହ ତୁଳନା କରାଯାଇଛି। ରିଲିଜ୍ ପୂର୍ବରୁ କୌଣସି ବିବାଦୀୟ ମନ୍ତବ୍ୟ କିମ୍ବା ସମାଲୋଚନା କରିବା ଠିକ୍ ନୁହେଁ। ଫିଲ୍ମ ରିଲିଜ୍ ପରେ ସ‌ମସ୍ତେ ଜାଣିପାରିବେ ଏହାର ଟାଇଟଲ୍ କେବଳ ପ୍ରେମୀଯୁଗଳଙ୍କ ମିଠାଭରା ସମ୍ପର୍କକୁ ନେଇ ଆଧାରିତ ବୋଲି ଶ୍ରୀ ପରିଜା କହିଛନ୍ତି।

ଅନ୍ୟପକ୍ଷରେ ରସଗୋଲା ଗବେଷକ ଶ୍ରୀ ମହାନ୍ତି କହିଛନ୍ତି, ନବୀନ ଚନ୍ଦ୍ର ଦାସ (ବା ନବୀନ ମୟରା) ରସଗୋଲାର ଆବିଷ୍କାରକ ନୁହନ୍ତି। ତାଙ୍କ ରସଗୋଲା ପୂର୍ବରୁ ବଙ୍ଗଳାରେ ରସଗୋଲା ଥିଲା ଏବଂ ତାହା ଗୋପାଲ ଗୋଲା, ଯତୀନ୍ ଗୋଲା, ଭବାନୀ ଗୋଲା ଆଦି ନାମରେ ପରିଚିତ ଥିଲା। ଏହା ବଙ୍ଗଳାର ତଥ୍ୟ। ନବୀନ ଦାସଙ୍କ ସ୍ପଞ୍ଜ ରସଗୋଲାର ସମୟ ତାଙ୍କ ତଥ୍ୟ ଅନୁସାରେ ୧୮୬୮। ତାହାର ମଧ୍ୟ ପ୍ରମାଣ ନାହିଁ। ଅପରପକ୍ଷରେ ଆମ ରସଗୋଲାର ଉଲ୍ଲେଖ ପଞ୍ଚଦଶ ଶତାବ୍ଦୀ ଶେଷଭାଗର ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ଅଛି। ତାହାର ପ୍ରମାଣ କଲିକତା ବିଶ୍ଵବିଦ୍ୟାଳୟରୁ, ବିଜୟ ଚନ୍ଦ୍ର ମଜୁମଦାରଙ୍କ ସଂପାଦନାରେ ପ୍ରକାଶିତ Typical Selections from Oriya Literature (1921) ରେ ରହିଛି। ଏହା ମୋ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହିରେ ଅଛି ଏବଂ ଜି.ଆଇ. ରେଜିଷ୍ଟ୍ରି ୱେବ୍‌ ସାଇଟ୍‌ରେ ଥିବା ‘ଓଡ଼ିଶା ରସଗୋଲା’ ଦରଖାସ୍ତରେ ଦିଆଯାଇଛି। ତେବେ ଫିଲ୍ମ ସଂପର୍କରେ ମତ ଦେଇ ଶ୍ରୀ ମହାନ୍ତି କହିଛନ୍ତି, ଆମେ ଏବେବି ସେ ସିନେମା ଦେଖିନାହେ। କିନ୍ତୁ ଯାହା ସୂଚନା ମିଳିଛି, ସେଥିରେ ନବୀନ ଚନ୍ଦ୍ର ଦାସଙ୍କୁ ରସଗୋଲାର ଉଦ୍ଭାବକ ଭାବେ ଦର୍ଶାଯାଉଛି। ଏହା ଭୁଲ୍। ପୂର୍ବରୁ ଆଉଥରେ ଏପରି ଉଦ୍ୟମ ହୋଇଥିଲା। ସେପରି ଦର୍ଶାଯାଇ ଗୋଟିଏ ସ୍ବତନ୍ତ୍ର ଡାକବିଭାଗ ଲଫାପା ନବୀନ ଚନ୍ଦ୍ର ଦାସଙ୍କ ନାମରେ କରିବାକୁ ଉଦ୍ୟମ ହୋଇଥିଲା। ଆମେ ତଥ୍ୟ ସମ୍ବଳିତ ପ୍ରତିବାଦ କରିବାରୁ ତାହା ବନ୍ଦ ହେଲା। ସେଥିପାଇଁ ଆମେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାଇଥିଲୁ। ଅକ୍ଷୟ ପରିଜା ଯଦି ଏଥିରେ ନବୀନ ଚନ୍ଦ୍ର ଦାସଙ୍କୁ ରସଗୋଲାର ଉଦ୍ଭାବକ ବୋଲି ଦର୍ଶାଇବେ ତାହାର ମଧ୍ୟ ସେହିପରି ପ୍ରତିବାଦ କରାଯିବ। କାରଣ ତଥ୍ୟ, ପ୍ରମାଣ ନଥାଇ ଇତିହାସକୁ ବିକୃତ କରିବାର ଅଧିକାର କାହାର ନାହିଁ।

ସମ୍ବନ୍ଧିତ ଖବର