ଆସନ୍ତାକାଲି ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂ​ଳ: ପାଗ ବଢ଼ିଆ, ଚାଷୀଙ୍କ ହାତ ଖାଲି

ଏଥର ବି ବିହନ ଯୋଗାଇ ପାରିଲାନି କୃଷି ବିଭାଗ
୪୦ ବର୍ଷ ପରେ ଚାହିଦା ମେଣ୍ଟାଇପାରିଲାନି ନିଗମ
ପାରମ୍ପରିକ ଧାନଚାଷରେ ଲାଭ ହେବ କେମିିତି?

ଭୁବନେଶ୍ବର,(ଭବାନୀ ଶଙ୍କର ତ୍ରିପାଠୀ): ଜଗତସିଂହପୁର ଜିଲ୍ଲାରେ ଏଯାଏ ମୁଠାଏ ଧାନ ବିହନ ପହଞ୍ଚିନାହିଁ। ଜିଲ୍ଲାର କୃଷି ବିଭାଗ ଅଧିକାରୀ ସୂଚନା ପାଇଛନ୍ତି ଯେ ଏଥର ତିନି ପ୍ରକାର ନୂଆ ବିହନ ଆସିପାରେ। କଳାହାଣ୍ଡି ଜିଲ୍ଲାର ଡିଲରମାନଙ୍କ ପାଖକୁ ୧୪୦୦ କ୍ବିଣ୍ଟାଲ ବିହନ ଯାଇଛି। ହେଲେ ଜିଲ୍ଲାରେ କିନ୍ତୁ ୨୨ହଜାର କ୍ବିଣ୍ଟାଲ ଧାନ ବିହନ ମହଜୁଦ ଅଛି। ନିଜେ ବିହନ ନିଗମର ପରିଚାଳନା ନିର୍ଦେଶକ ଜ୍ୟୋତିପ୍ରକାଶ ମିଶ୍ର ସ୍ବୀକାର କରିଛନ୍ତି ଯେ ଏବର୍ଷ ୫ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ୧୬ ହଜାର କ୍ବିଣ୍ଟାଲ ଧାନ ବିହନ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି।

ଆଉ ଦିନକ ପରେ ପବିତ୍ର ଅକ୍ଷୟତୃତୀୟା। ଅଖିମୁଠି ଅନୁକୂଳ କରିବା ସହିତ ଚାଷ ଆରମ୍ଭ କରିବ ଚାଷୀ। ଗତବର୍ଷ ଭଳି ଏବର୍ଷ ମଧ୍ୟ ରାଜନୈତିକ ନେତାମାନେ ବିଲରେ ଲଙ୍ଗଳ ଧରି ଧାନ ବୁଣିବା ଭଳି ଉତ୍ସବ ଆୟୋଜନର ଅବକାଶ ନାହିଁ। କିନ୍ତୁ ପାଗ ଅନୁକୂଳ ଥିବାରୁ ଅଧିକାଂଶ ଜିଲ୍ଲାର ଚାଷୀ ଖୁସ୍। କ୍ଷେତକୁ ଯିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ଚାଷୀ ହାତକୁ ବିହନ କିଏ ଦେବ? ଉଦ୍‌ବେଗର ବିଷୟ ହେଲା, ଅଖିମୁଠି ଅନୁକୂଳ ପାଇଁ ଏବର୍ଷ ବି ସବୁ ବ୍ଲକରେ ସରକାର ବିହନ ପହଞ୍ଚାଇ ପାରିଲେ ନାହିଁ। ଯଦିଓ ଧାର୍ଯ୍ୟ ଲକ୍ଷ୍ୟ ପରିମାଣ ବଢ଼ିଛି, କିନ୍ତୁ କୃଷି ବିଭାଗ ଏଲକ୍ଷ୍ୟ ହାସଲରେ ସଫଳ ହୋଇପାରିନାହାନ୍ତି।

ରାଜ୍ୟ ସରକାରଙ୍କ କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି, ଚଳିତ ଖରିଫ୍ ଋତୁରେ ୬୨ଲକ୍ଷ ୧୭ ହଜାର ହେକ୍ଟର ଜମିରେ ଚାଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏ ମଧ୍ୟରୁ ୩୫ଲକ୍ଷ ହେକ୍ଟର ଜମିରେ ଧାନ ହେବ। ୫ଲକ୍ଷ ୬୩ ହଜାର କ୍ବିଣ୍ଟାଲ ଧାନ ବିହନ ଯୋଗାଇବାକୁ ନିଗମକୁ ଟାର୍ଗେଟ ଦିଆଯାଇଛି। ଗତବର୍ଷ ନିଗମ ୪ଲକ୍ଷ ୨୫ ହଜାର କ୍ବିଣ୍ଟାଲ ବିହନ ଯୋଗାଇଥିଲା। ଅର୍ଥାତ୍ ସରକାରଙ୍କ ଟାର୍ଗେଟ ବିହନ ନିଗମ ପୂରଣ କରିବାକୁ ସକ୍ଷମ ହେବନାହିଁ ଏକଥା ଏବେଠାରୁ ସ୍ପଷ୍ଟ ହୋଇଗଲାଣି। କେବଳ ସେତିକି ନୁହେଁ, ଯଦିଓ ମୁଖ୍ୟଶାସନ ସଚିବ ଖରିଫ୍ ଚାଷ ପାଇଁ ନିର୍ଦେଶନାମା ଜାରି କରିସାରିଛନ୍ତି; ତଥାପି ସରକାରରେ କେହି ହେଲେ ବି ଠୋସ୍ ଭାବେ ଆଜି ଦିନରେ କହିପାରିନାହାନ୍ତି, ଚାଷୀ ପାଖରେ କେବେ ସୁଦ୍ଧା ବିହନ ପହଞ୍ଚିବ।

କୃଷି ବିଶେଷଜ୍ଞମା଼ନଙ୍କର କହିବା କଥା ହେଉଛି, ରାଜ୍ୟରେ ୩୫ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହେଉଛି। ଅର୍ଥାତ୍ ପାଖାପାଖି ୧୭ଲକ୍ଷ କ୍ବିଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଛି। ହେଲେ ୧୯୭୮ ମସିହାରୁ ସ୍ଥାପିତ ରାଜ୍ୟ ବିହନ ନିଗମ ଏଯାଏ ଚାଷୀକୁ ଆବଶ୍ୟକ ବିହନ ଯୋଗାଇବା ସ୍ଥିତିକୁ ଆସିପାରିଲାନାହିଁ। ରାଜ୍ୟ ସରକାର ଚାଷକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ଯଦି ତାର ସ୍ଥିତି ଏୟା, ତେବେ ପ୍ରାଥମିକତାରେ ନଥିବା ବିଭାଗର ସ୍ଥିତି କଣ ହୋଇଥିବ ତାହା ସହଜରେ ଅନୁମେୟ।

କୃଷି ବିଜ୍ଞାନୀମାନେ କହୁଛନ୍ତି, ଚାଷ ଲାଭଜନକ ହେବ ବୋଲି କୃଷି ବିଭାଗ ଯେଉଁ ଚିତ୍ର ଆଙ୍କୁଛନ୍ତି, ବିଧାନସଭାରେ ଯେଭଳି ତମ୍ବିତୋଫାନ ହେଉଛି, ତା ପଛରେ ବାସ୍ତବତା କମ୍, ପ୍ରଚାର ଅଧିକ। ଏଇଥିପାଇଁ ଯେ ଚାଷୀକୁ ଅଧିକ ଉତ୍ପାଦନକ୍ଷମ ବିହନ ଯୋଗାଇ ଦେବାସ୍ଥିତିରେ ସରକାର ଏଯାଏ ପହଞ୍ଚିପାରିଲେ ନାହିଁ। ଯେତେଦିନ ଯାଏ କେଉଁ ଜିଲ୍ଲା ମାଟିରେ କେତେ ଦିନର ଧାନ ହେବ, ତାହାକୁ ଲକ୍ଷ୍ୟ କରି କୃଷି ବିଭାଗ ଚାଷୀ ପାଖରେ ସେହି ରକମର ବିହନ ପହଞ୍ଚାଇପାରିବ ନାହିଁ, ସେ ଯାଏ ଏସବୁ ଧୁଆଁବାଣ।

ସରକାର ଯଦି ପ୍ରତିଶ୍ରୁତି ମୁତାବକ ୫ଲକ୍ଷ କ୍ବିଣ୍ଟାଲ ବିହନ ବି ଦିଅନ୍ତି, ତଥାପି ୧୨ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ ବିହନ ଚାଷୀକୁ ନିଜେ ଯୋଗାଡ କରିବାକୁ ପଡ଼ିବ। ଏସବୁ କ୍ଷେତ୍ରରେ ସେମାନେ ପାରମ୍ପରିକ ଧାନ ବିହନ ବ୍ୟବହାର କରିବେ। ଏକଥା ସମସ୍ତେ ଜାଣନ୍ତି ଯେ ଚାଷୀ ପାଖରେ ଯେଉଁ ମିଶା ବିହନ ଅଛି, ତା କାରଣରୁ ଉତ୍ପାଦନ କମିଥାଏ। ଏହାର ପ୍ରଭାବ ବିକ୍ରି ପର୍ଯ୍ୟନ୍ତ ବି ରହେ। ସବୁଠାରୁ ବଡ଼ ସମସ୍ୟା ହୁଏ ମଣ୍ଡିରେ। କାରଣ ଧାନ ମିଶା ଥିଲେ ବିକ୍ରି ବେଳେ ମିଲର ଶୋଷଣ ପାଇଁ ସୁଯୋଗ ପାଇଯାନ୍ତି ଓ କଟ୍‌ନି ଛଟ୍‌ନି ଆଳରେ ପ୍ରତି କ୍ବିଣ୍ଟାଲରେ ୫ରୁ ୧୦ କେଜି ପର୍ଯ୍ୟନ୍ତ କାଟିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଭଳିସ୍ଥଳେ ଚାଷୀ କିଭଳି ଦି’ ପଇସା ପାଇବ?

କେବଳ ସେତିିକି ନୁହେଁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାମାନେ ବିଭିନ୍ନ କିସମର ଯେଉଁ ବିହନ ଗବେଷଣା କରୁଛନ୍ତି, ସେସବୁ ତେବେ କାହା କାମରେ ଲାଗିବ? ନୂଆ ନିଆ କିସମର ଧାନ କେବଳ ଗବେଷଣା ରିପୋର୍ଟରେ ରହିବ ନା ଚାଷୀ ପାଖରେ ପହଞ୍ଚିବ? ନୂଆ ବିହନ ସଂପର୍କରେ ସରକାର ଚାଷୀକୁ ଯେଉଁ ସୂଚନା ଦେଉଛନ୍ତି, ସେସବୁ ସେ ପାଇବ କେମିତି? ଏଭଳି ମାଳ ମାଳ ପ୍ରଶ୍ନ ଚାଷୀ ମହଲକୁ ଆନ୍ଦୋଳିତ କଲାଣି।

ଉଲ୍ଲେଖଥାଉକି, ମାରାତ୍ମକ କରୋନାକୁ ନେଇ ସମଗ୍ର ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଗତବର୍ଷ ପରି ଏବର୍ଷ ମଧ୍ୟ ଚାଷ ଆରମ୍ଭରୁ ପାଗ ଅନୁକୂଳ ରହିଛି। ଗତ ତିନି ଦିନ ଧରି ଯେଉଁ ଜିଲ୍ଲାମାନଙ୍କରେ ବର୍ଷା ହୋଇଛି, ସେଠାରେ ବିଲରେ ପାଣି ଜମି ଥିବା କାରଣରୁ ଧାନ ବୁଣା ପ୍ରଭାବିତ ହୋଇପାରେ। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଏଭଳି ସ୍ଥିତି ସୃଷ୍ଟି ହୋଇପାରେ। କିନ୍ତୁ ପଶ୍ଚିମଓଡ଼ିଶା ପାଇଁ ପାଗ ବେଶ୍ ଅନୁକୂଳ ରହିଛି।

ସମ୍ବନ୍ଧିତ ଖବର