ଅନୁକୂଳର ପର୍ବ ଅକ୍ଷୟ ତୃତୀୟା

ଭୁବନେଶ୍ବର : ଅନୁକୂଳର ଦିନ ଅକ୍ଷୟ ତୃତୀୟାକୁ ନେଇ ଓଡ଼ିଶା ପାର୍ବଣମୁଖର ହୁଏ। ଅକ୍ଷିମୁଠି ଅନୁକୂଳ ସହ ଚଷାପୁଅ ଚଳିତ ବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ବ‌େ‌ଳେ ବିଶେଷକରି ପଶ୍ଚିମ ଓଡ଼ିଶାରେ ଏନେଇ ଉତ୍ସବମୁଖର ପରିବେଶ ସୃଷ୍ଟିହୁଏ। ଏହି ପର୍ବ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟ ପାଇଁ ଅନେକ ଦୃଷ୍ଟିରୁ ପ୍ରାସଙ୍ଗିକ। ଯଦିଓ କରୋନା ଲକଡାଉନ ପାଇଁ ଉତ୍ସବ ଫିକା ପଡ଼ିବ, କିନ୍ତୁ ଅକ୍ଷୟ ତୃତୀୟାରେ ଅନୁକୂଳ ପର୍ବ ଅଟକିବ ନାହିଁ।

ପୌରାଣିକ ପୃଷ୍ଠଭୂମି କହେ, ଏହି ନିର୍ଦ୍ଦିଷ୍ଟ ଦିନରେ ଜ୍ଞାନ ଓ ବୁଦ୍ଧିର ଦେବତା ପ୍ରଭୁ ଗଣେଶ ବେଦବ୍ୟାସଙ୍କ କଣ୍ଠରେ ବସି ତାଙ୍କ ମାଧ୍ୟମରେ ମହାଭାରତ ଲେଖାଇବା ଆରମ୍ଭ କରିଥିଲେ। ଏହି ଦିନକୁ ବିଷ୍ଣୁ ଶାସନ କରିଥିବାରୁ ହିନ୍ଦୁମାନଙ୍କ ପାଇଁ ଏହା ଏକ ସମୃଦ୍ଧ ଦିବସ ଭାବେ ପରିଗଣିତ ହୁଏ ବୋଲି ମତ ରହିଛି। ସେହିପରି ଅକ୍ଷୟ ତୃତୀୟାକୁ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମଦିନ ଭାବେ ପାରମ୍ପରିକ ଭାବେ ପାଳନ କରାଯାଏ। ପୁଣି ଏହି ନିର୍ଦ୍ଦିଷ୍ଟ ଦିନରେ ତ୍ରେତୟା ଯୁଗ ଆରମ୍ଭ ହୋଇଥିବା ବେଳେ ପବିତ୍ର ଗଙ୍ଗାନଦୀ ସ୍ବର୍ଗରୁ ପୃଥିବୀପୃଷ୍ଠକୁ ଓହ୍ଲାଇ ଆସିଥିବା ଭଳି ପୌରାଣିକ ମତମାନ ରହିଛି। ତେଣୁ ଅକ୍ଷୟ ତୃତୀୟାକୁ ପବିତ୍ର ଦିନ ଭାବେ ଧରା ଯାଉଥିବା ବେଳେ ଚଷାମାନେ ବିଲରେ ପୂଜା କରି ବିହନ ବୁଣି ଚଳିତବର୍ଷର ଚାଷ କାର୍ଯ୍ୟ ଶୁଭାରମ୍ଭ କରିବେ।

ସେହିପରି ଏହି ପବିତ୍ର ଦିନରୁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପ୍ରଭୁଙ୍କୁ ରଥରେ ବୁଲାଇ ନେବା ପାଇଁ ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥକାଠ ଅନୁକୂଳ ସହ ରଥକାମର ଶୁଭାରମ୍ଭ କରାଯାଇଥାଏ। ମହାରଣା କାଠରେ ଚୋଟ ମାରି ରଥଗଢ଼ା କାମର ଶୁଭାରମ୍ଭ କରିବେ। ଯଦିଓ ଏପର୍ଯ୍ୟନ୍ତ ରଥଯାତ୍ରା ନେଇ ସ୍ପଷ୍ଟ ସୂଚନା ନାହିଁ, ତେବେ ଏସବୁ ପୂର୍ବ ପ୍ରସ୍ତୁତି ନେଇ ପ୍ରକ୍ରିୟା ଆରମ୍ଭ ହେଉଛି। ଯଦିଓ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କରାଯିବ, କିନ୍ତୁ ଏହାକୁ ଶ୍ରଦ୍ଧାଳୁମାନେ ସ‌ମବେତ ଭାବେ ଉପଭୋଗ କରିବାର ଅବସର ପାଇବେ ନାହିଁ। ପ୍ରଭୁଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ଉପଶମ ଦେବା ପାଇଁ ପୋଖରୀରେ ଚାପ ଖେଳିବା ପାଇଁ ବନ୍ଦୋବସ୍ତ କରାଯାଏ। ଡଙ୍ଗାରେ ପ୍ରଭୁଙ୍କୁ ଜଳକ୍ରୀଡ଼ା କରାଇବା ବେଳର ଦୃଶ୍ୟକୁ ଉପଭୋଗ କରିବା ପାଇଁ ବିନ୍ଦୁସାଗରଠୁ ନେଇ ଇସ୍କନରେ ଭିଡ଼ ଜମୁଥିଲେ ହେଁ ଏହା ଏଥର କରୋନା ଲକଡାଉନ୍‌ ପାଇଁ ସମ୍ଭବ ହେବ ନାହିଁ।

ସେହିପରି ଏହି ନିର୍ଦ୍ଦିଷ୍ଟ ଦିନରେ ବିନା ପାଞ୍ଜି ଦେଖି ସମସ୍ତ ଶୁଭାଶୁଭ କାର୍ଯ୍ୟ କରାଯିବାର ବିଧି ରହିଛି। ମନ୍ଦିର ପ୍ରତିଷ୍ଠାଠୁ ନେଇ ଘର ପ୍ରତିଷ୍ଠା, ବ୍ୟ‌‌ାବସାୟିକ ଅନୁଷ୍ଠାନ ପ୍ରତିଷ୍ଠା କାର୍ଯ୍ୟ କରାଯିବା ପାଇଁ ଅନେକ ଯୋଜନା କରିଥିଲେ ହେଁ ବହୁ ମାଙ୍ଗଳିକ ଓ ଶୁଭାରମ୍ଭ କାର୍ଯ୍ୟ ସମବେତ ଭାବେ ହୋଇପାରିବ ନାହିଁ। ଅନେକ ଏହି ଦିନ ଜମି କିଣିବା ପାଇଁ ମଧ୍ୟ ଶୁଭ ବୋଲି ବିଚାରନ୍ତି। ଖାଲି ସେତିକି ନୁହେଁ, ଏଇ କିଛି ବର୍ଷ ହେବ ଅକ୍ଷୟ ତୃତୀୟାକୁ ସମୃଦ୍ଧିର ଦିନ ଭା‌ବେ ବିଚାର କରାଯାଉଥିବା ବ‌େଳେ ଅଳଙ୍କାର କିଣିବା ପାଇଁ ସମସ୍ତ ଅଳଙ୍କାର ସୋ’ରୁମ୍‌ରେ ଲମ୍ବା ଲାଇନ୍‌ ଲାଗୁଥିଲା। ମାତ୍ର ଏଥର ଏଥିରେ ରୋକ୍‌ ଲାଗିବ। ଦାନ କରିବାର ବିଧି ଥିବାରୁ ଅନେକ ଦାନ ଧର୍ମ କରି ଆଶୀର୍ବାଦ ଭିକ୍ଷା କରିବାର ବିଧି ରହିଥିଲେ ହେଁ ଏହା ମଧ୍ୟ ସମ୍ଭବ ହେବ ନାହିଁ। ତେବେ ବି କିଛି ସ୍ଥାନରେ ଏଭଳି ଅନୁକୂଳ ପର୍ବ ଅଳ୍ପ ଲୋକଙ୍କୁ ନେଇ ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର