ବାରିପଦା : ଆଜି ଥିଲା ପବିତ୍ର ଅକ୍ଷୟ ତୃତୀୟା। ପ୍ରତିବର୍ଷ ଏହି ପବିତ୍ର ଦିନରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦା ହୋଇପଡ଼େ ଚଳଚଞ୍ଚଳ। ମାତ୍ର ଅଦୃଶ୍ୟ ମହାମାରୀ କରୋନା କାରଣରୁ ହୋଇଥିବା ଲକ୍ଡାଉନ ଫଳରେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ନଥିଲା ଭକ୍ତଙ୍କ ଗହଳି। ସମସ୍ତ ନୀତିକାନ୍ତି ଶ୍ରୀଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ବେଢ଼ା ଭିତରେ ସମ୍ପନ୍ନ ହୋଇଥିଲା। ପବିତ୍ର ଘୋଷଯାତ୍ରା ପାଇଁ ଆଜି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନି ଠାକୁରଙ୍କ ରଥର ଚକରେ ଅଖ ଲାଗି ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ବେଢ଼ା ଭିତରେ ୨୧ଦିନିଆ ଚନ୍ଦନଯାତ୍ରାର ବିଧି ମଧ୍ୟ ଶୁଭାରମ୍ଭ ହୋଇଛି।
/sambad/media/post_attachments/wp-content/uploads/2020/04/ବାରିପଦା-ରଥ-300x169.jpg)
ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଶ୍ରୀଶ୍ରୀ ଶ୍ରୀହରି ବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଘୋଷଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହେବା ପରେ ଆଜି ରଥର ଅଖରେ ଚକ ଲାଗି ହୋଇଛି। ଏହି ଅବସରରେ ମନ୍ଦିରରେ ମହାପ୍ରଭୂଙ୍କ ନିକଟରେ ସନ୍ଧ୍ୟା ଆଳତୀ ଶେଷ ହେବା ପରେ ପରିଚ୍ଛା ଦୁର୍ଗା ଚରଣ ଜିତ୍ ବାବୁ ମହାପ୍ରଭୂଙ୍କ ନିକଟରୁ ଆଜ୍ଞାମାଳ ନେବା ସହ ମୁଖ୍ୟ ସେବାୟତ ଅରୁଣ କୁମାର ମିଶ୍ର ମହାପ୍ରଭୂ ବାସୁଦେବଙ୍କ ସହ ଆସି ନିର୍ଦ୍ଦିଷ୍ଟ କିଛି ସେବାୟତଙ୍କ ସହିତ ମନ୍ଦିର ବେଢ଼ା ଭିତରେ ପୂଜାର୍ଚ୍ଚନା କରିଥିଲେ। ପରେ ସମସ୍ତ ବିଧିବ୍ୟବସ୍ଥା ମନ୍ଦିର ଭିତରେ ହିଁ ସମାପନ ହୋଇଥିଲା। ପ୍ରଥମେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଅଖରେ ଚକ ଲାଗି ହୋଇଥିଲା । ଏହାପରେ ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଚକ ଲାଗି ହୋଇଥିଲା।
/sambad/media/post_attachments/wp-content/uploads/2020/04/Ratha-Katha-Anukula-f-273x300.jpg)
ପୁରୀରେ ୨୧ଦିନିଆ ଚନ୍ଦନଯାତ୍ରାରେ ପ୍ରତିଦିନ ଚାପଖେଳ ହେଉଥିବାବେଳେ ଏଠାରେ ଶେଷ ତିନି ଦିନରେ ତିନିଠାକୁର ଚାପ ଖେଳିଥାଆନ୍ତି। ଏହି ଯାତ୍ରାର ଅନ୍ତିମ ତିନିଦିନକୁ ବାରିପଦାରେ ଓଲଟ ଚନ୍ଦନଯାତ୍ରା କୁହାଯାଇଥାଏ । ମାତ୍ର ଆଜି ପାରମ୍ପରିକ ନୀତି ଅନୁଯାୟୀ ଚଳନ୍ତି ଠାକୁର ମଦନମୋହନ, ଶ୍ରୀଦେବୀ ଓ ମାତାଭୂଦେବୀଙ୍କୁ ସ୍ଥାନୀୟ ହେମସାଗର ପୁଷ୍ପରିଣୀକୁ ଚନ୍ଦନଯାତ୍ରା ପାଇଁ ଯାଇନଥିଲେ । ନିରାଶ ହୋଇଥିଲା ହେମସାଗର ପୁଷ୍କରିଣୀ। ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ ହିଁ ହୋଇଥିଲା। କରୋନା କାରଣରୁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସମସ୍ତ ନୀତିକାନ୍ତିକୁ ସରକାରୀ ନିୟମ ଅନୁସାରେ ପାଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Ratha-Katha-@-Baripada.jpg)