ଆଜି ଅକ୍ଷୟ ତୃତୀୟା, ଅଖିମୁଠି ଅନୂକୂଳ: ଚାଷ ପାଇଁ ବଢ଼ିଆ ପାଗ, ଚାଷୀ ହାତ ଖାଲି

ବିହନ ଯୋଗାଇ ପାରିଲାନି କୃଷି ବିଭାଗ

ମାତ୍ର ଦେଢ଼ଲକ୍ଷ କ୍ବିଣ୍ଟାଲ ବିହନ ପ୍ରସ୍ତୁତ ହୋଇଛି
୪୦ ବର୍ଷ ପରେ ବି ସ୍ବୟଂ ସମ୍ପୂର୍ଣ୍ଣ ହୋଇପାରିଲାନି

ଭୁବନେଶ୍ବର : ଆଜି ପବିତ୍ର ଅକ୍ଷୟ ତୃତୀୟା। ଅଖିମୁଠି ଅନୁକୂଳ କରିବା ସହିତ ଚାଷ ଆରମ୍ଭ କରିବ ଚାଷୀ। ସବୁ ବର୍ଷ ଭଳି ଏ ବର୍ଷ ରାଜନୈତିକ ନେତାମାନଙ୍କ ପାଇଁ ବିଲରେ ଲଙ୍ଗଳ ଧରି ଧାନ ବୁଣିବା ଭଳି ଉତ୍ସବ ଆୟୋଜନର ଅବକାଶ ନାହିଁ। କିନ୍ତୁ ଚାଷୀ ଅବଶ୍ୟ କ୍ଷେତକୁ ଯିବ ଓ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଠିକ୍ ଏମିତି ସମୟରେ ମାରାତ୍ମକ କରୋନାକୁ ନେଇ ସବୁ ମହଲରେ ଆତଙ୍କ ଖେଳିଯାଇଥିବା ବେଳେ କୃଷି ପାଣିପାଗ ବିଜ୍ଞାନୀମାନେ ଆଜି ଏକ ବଡ଼ ଆଶ୍ବାସନା ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଦୀର୍ଘ କେତେ ଦଶନ୍ଧି ପରେ ଏ ବର୍ଷ ଚାଷ ଆରମ୍ଭରୁ ପାଗ ଅନୁକୂଳ ରହିଛି। ଅର୍ଥାତ୍ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଥିବା କାରଣରୁ ଅକ୍ଷୟ ତୃତୀୟା ବେଳକୁ ମାଟି ଓଦା ଅଛି। ଚାଷୀ ହଳ କରିପାରିବ ଓ ଧାନ ବୁଣିବା ପାଇଁ ଏହା ଏକ ପ୍ରକୃଷ୍ଟ ସମୟ ବୋଲି କୁହାଯାଇପାରେ।

ସ୍ବାଭାବିକ ଭାବେ କରୋନା ଭଳି ନିରାଶାଜନକ ପରିସ୍ଥିତିରେ ଏଭଳି ପାଣିପାଗ ଖରିଫ୍ ଚାଷୀଙ୍କ ମନରେ ଆଶା ସଞ୍ଚାର କରିବା କଥା। ହେଲେ ଉଦ୍‌ବେଗର ବିଷୟ ହେଉଛି, ଆସନ୍ତାକାଲି ଅଖିମୁଠି ଅନୁକୂଳ ପାଇଁ ରାଜ୍ୟ ସରକାର ସବୁ ଗାଁ କଥା ଦୂରେ ଥାଉ ସବୁ ବ୍ଲକ୍‌ରେ ମଧ୍ୟ ବିହନ ପହଞ୍ଚାଇପାରିଲେ ନାହିଁ। ଆହୁରି ଚିନ୍ତାଜନକ ବିଷୟ ହେଉଛି, ଓଡ଼ିଶା କୃଷି ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତୁତି ମଧ୍ୟ ନିରୁତ୍ସାହଜନକ।

ଓଡ଼ିଶା ରାଜ୍ୟ ବିହନ ନିଗମର ଜଣେ ବରିଷ୍ଠ ଅଧିକାରୀ ଚକ୍ରଧର ପଣ୍ଡା କହିଛନ୍ତି, ଗତବର୍ଷ ୩ଲକ୍ଷ ୨୩ ହଜାର କ୍ବିଣ୍ଟାଲ ବିହନ ବିକ୍ରି କରାଯାଇଥିଲା। ଏ ବର୍ଷ ୧ଲକ୍ଷ ୫୦ ହଜାର କ୍ବିଣ୍ଟାଲ ବିହନ ଚାଷୀ ପାଖରେ ପହଞ୍ଚାଇବା ଲାଗି ବର୍ତମାନ ଯାଏ ବ୍ୟବସ୍ଥା ହୋଇଛି। ୩ଲକ୍ଷ କ୍ବିଣ୍ଟାଲ ବିହନକୁ ଦୃଷ୍ଟିରେ ରଖି ନିଗମ ପ୍ରସ୍ତୁତି ଚଳାଇଛି।

ହେଲେ ନିଗମ ଓ ଏହାର ସଂଲଗ୍ନ ବିଭିନ୍ନ ୱେବ୍‌ସାଇଟ୍ ତଥ୍ୟ କେଉଁଠି ନା କେଉଁଠି ସୂଚାଇ ଦେଉଛି, ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ଯେମିତି ଚାଷ ଆଦୌ ନାହିଁ। ରାଜ୍ୟରେ ଚାଷର ବିକାଶ ପାଇଁ ଗୋଟିଏ ପଟେ ସରକାର କେତେ ହଜାର କୋଟି ଅଧିକ ଋଣ ଦିଆଯାଇପାରିବ, ସେ ନେଇ ହିସାବ କିତାବ ଚଳାଇଥିବା ବେଳେ କୃଷି ବିଭାଗର ଉଦାସୀନତା ରାଜ୍ୟର ଚାଷ ପ୍ରତି ଏକ ବଡ଼ ବିପଦର କାରଣ ହେବାକୁ ବସିଲାଣି। ୱେବ୍‌ସାଇଟ୍‌ମାନଙ୍କରେ ଯେଉଁ ତଥ୍ୟ ରହିଛି, ତାହା ବହୁତ ବର୍ଷର ପୁରୁଣା। ଗୋଟିଏ ଦୁଇଟି ତଥ୍ୟ ଛାଡ଼ିଦେଲେ, ଏଥିରେ ନୂଆକଥା ଆଉ କିଛି ନାହିଁ। ଏପରିକି ଜଣେ ପରିଚାଳନା ନିର୍ଦେଶକ କେଉଁ ବର୍ଷ ତଳୁ ବଦଳି ହୋଇସାରିଲେଣି। ଏଯାଏ ତାଙ୍କ ନାମ ମଧ୍ୟ ପରିବର୍ତନ ହୋଇନାହିଁ। ଏପରିସ୍ଥଳେ, କେଉଁ ପଞ୍ଚାୟତ ଓ ବ୍ଲକ୍‌ରେ କେତେ ବିହନ ପହଞ୍ଚିଲା, ଏବେ ତାର ସ୍ଥିତି କଣ, ଏ ସଂକ୍ରାନ୍ତ ତଥ୍ୟ ନ ମିଳିବାରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ।

କୃଷି ବିଶେଷଜ୍ଞମା଼ନଙ୍କର କହିବା କଥା ହେଉଛି, କୃଷି ବିଭାଗ ନିଜକୁ ୫-ଟିରେ ଯୋଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ଏହି ଦାୟିତ୍ବ ବୁଝୁଛନ୍ତି। ତାଙ୍କୁ ବି କଣ କୃଷି ବିଭାଗ ଅସତ୍ୟ କହିଲା? ଶ୍ରୀ ପାଣ୍ଡିଆନ୍ ଥରୁଟିଏ କେବେ ନିଗମର ୱେବସାଇଟ୍ ଯାଞ୍ଚ କଲେ ଧରାପଡ଼ିଯିବ ଯେ ବିଭିନ୍ନ ବିଭାଗରେ ବୈଷୟିକ ଜ୍ଞାନକୌଶଳ ବଢ଼ାଇବା ପାଇଁ ସରକାରଙ୍କ ପ୍ରସ୍ତୁତି, େଘାଷଣା ଓ ବାସ୍ତବତା ଭିତରେ ଦୂରତା କେତେ ରହିଛି। ଚାଷୀଙ୍କୁ ରାଜ୍ୟ ସରକାର ଯେଉଁ ମୋବାଇଲ୍ ଯୋଗାଇଥିଲେ, ତାହା ଏବେ କୁଆଡ଼େ ଗଲା? ସେଥିରେ ବିହନ ଯୋଗାଣ ସଂକ୍ରାନ୍ତ ତଥ୍ୟ ଦିଆଯାଇଛି?

ଉଲ୍ଲେଖଯୋଗ୍ୟ, କୃଷି ବିଭାଗର ତଥ୍ୟ ହିସାବ ଅନୁସାରେ, ରାଜ୍ୟରେ ୩୬ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହେଉଛି। ଅର୍ଥାତ୍ ୧୮ଲକ୍ଷ କ୍ବିଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଛି। ହେଲେ ୧୯୭୮ ମସିହାରୁ ସ୍ଥାପିତ ରାଜ୍ୟ ବିହନ ନିଗମ ଏଯାଏ ଚାଷୀକୁ ଆବଶ୍ୟକ ବିହନ ଯୋଗାଇବା ସ୍ଥିତିକୁ ଆସିପାରିନାହିଁ। ଇତିମଧ୍ୟରେ ମୁଖ୍ୟଶାସନ ସଚିବ ଖରିଫ୍ ଚାଷ ପାଇଁ ନିର୍ଦେଶନାମା ଜାରି କରିସାରିଛନ୍ତି। ହେଲେ ଚାଷୀ ପାଖରେ କେବେ ସୁଦ୍ଧା ବିହନ ଯୋଗାଣ ଲାଗି ଖସଡ଼ା ପ୍ରସ୍ତୁତି ହୋଇଥିଲା? କେତେ ଚାଷୀଙ୍କୁ ସରକାର ଟାର୍ଗେଟ କରିଥିଲେ? ଏସବୁର ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମଧ୍ୟ କାହାକୁ ବେଳ ନାହିଁ। କୃଷି ବିଭାଗ ଏବେ କରୋନା କାର୍ଯ୍ୟରେ ଲାଗିଛି।

ଯଦି ସରକାରଙ୍କ କଥା ଅନୁସାରେ ଚାଷକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ଏବଂ ତାର ସ୍ଥିତି ଏୟା, ତେବେ ପ୍ରାଥମିକତାରେ ନଥିବା ବିଭାଗର ସ୍ଥିତି କଣ ହୋଇଥିବ ତାହା ସହଜରେ ଅନୁମେୟ।

ଡ. ପଶୁପାଳକଙ୍କର କହିବା କଥା ହେଉଛି, ଚାଷ ଉତ୍ପାଦନ ବୃଦ୍ଧି ସେତେବେଳେ ଘଟିବ, ଯେତେବେଳେ ଚାଷୀ ପାଣିପାଗର ଆବଶ୍ୟକତା ଅନୁସାରେ କ୍ଷେତକୁ ଗଲାବେଳେ ତା’ ପାଖରେ ବିହନ ଓ ସାର ଉପଲବ୍ଧ ଥିବ। ଏମିତିରେ ବିହନ ତ ଯୋଗାଇ ପାରିଲେନି। ଚାଷୀ ତା ପାଖରେ ରହିଥିବା ବିହନ ବା ଘରୋଇ ସଂସ୍ଥାଠାରୁ ଢେର୍ ଉଚ୍ଚା ଦରରେ ବିହନ ଆଣିପାରେ। ହେଲେ ରାଜ୍ୟର କେଉଁ ବ୍ଲକ୍‌ରେ କେତେ ସାର ରହିଛି, ପଞ୍ଚାୟତ ଗୋଦାମରେ ତାହା କେବେଠାରୁ ଉପଲବ୍ଧ ହେବ, ଏଯାଏ କୃଷି ବିଭାଗ କହୁନି କାହିଁକି?

ସମ୍ବନ୍ଧିତ ଖବର