ସୁନ୍ଦରଗଡ଼ ଛାତ୍ର ଅକ୍ଷୟ କୁମାରଙ୍କ ଫ୍ୟାନ୍‌, ଘରୁ ଲୁଚି ପଳାଇଥିଲେ ମୁମ୍ବାଇ

ସୁନ୍ଦରଗଡ଼: ସିନେ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ପାଇଁ ପାଗଳ ଥିଲେ ସୁନ୍ଦରଗଡ଼ର ସ୍କୁଲ ଛାତ୍ର। ପାଖରେ ଥରେ ଦେଖିବା, ସାମ୍ନାସାମ୍ନି ବସି କଥା ହେବାକୁ ବେଶୀ ଇଚ୍ଛା ଥିଲା। ଆଉ ତାହା ହିଁ ତାଙ୍କୁ ଟାଣି ନେଇଥିଲା ସୁନ୍ଦରଗଡ଼ରୁ ମୁମ୍ବାଇ। ଘରୁ ଲୁଚି ମୋବାଇଲ୍‌ ବିକି ଅକ୍ଷୟଙ୍କୁ ଭେଟିବାକୁ ଛୁଟି ଯାଇଥିଲେ ମୁମ୍ବାଇ।

ତେବେ ଘଟଣାକ୍ରମରେ ଅକ୍ଷୟ କୁମାରଙ୍କ ଘର ପାଖରେ କାନ୍ଦୁଥିବା ଅବସ୍ଥାରେ ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରିବା ପରେ ଏ ରୋଚକ କଥା ସାମ୍ନାକୁ ଆସିଛି। ସୁନ୍ଦରଗଡ଼ର ଶ୍ରୀ ଅରବିନ୍ଦ ସ୍କୁଲର ଦଶମ ଶ୍ରେଣୀରେ ପଢୁଥିବା ବ୍ରାହ୍ମଣପଡ଼ାର ଏହି ଛାତ୍ର ଗତ ୯ ତାରିଖରେ ଘରୁ ଲୁଚି ପଳାଇଥିଲେ। ଅନଲାଇନ୍‌ ପାଠ ପାଇଁ ତାଙ୍କୁ ଘରେ କିଣି ଦିଆଯାଇଥିବା ମୋବାଇଲକୁ ବିକି ଦେଇ ସେ ଟଙ୍କାରେ ଝାରସୁଗୁଡ଼ାରୁ ରେଳ ଯୋଗେ ଯାଇଥିଲେ ମୁମ୍ବାଇ। ଏପଟେ ଘରକୁ ନଫେରିବାରୁ ବ୍ୟସ୍ତବିବ୍ରତ ପରିବାର ଏଠି ସେଠି ଖୋଜି ନିରାଶ ହେବା ପରେ ୧୦ ତାରିଖରେ ଟାଉନଥାନାରେ ନିଖୋଜ ଅଭିଯୋଗ ଦାଏର କରିଥିଲେ। କିନ୍ତୁ ସେଦିନ ଅପରାହ୍ନ ସାଢ଼େ ୩ଟାରେ ସମ୍ପୃକ୍ତ ସ୍କୁଲର ଜଣେ ଶିକ୍ଷକ ଅଞ୍ଜନ ଦାସଙ୍କ ମୋବାଇଲକୁ ମୁମ୍ବାଇରୁ କଲ୍‌ ଆସିଥିଲା। ଫିଲ୍ମଷ୍ଟାର୍‌ ଅକ୍ଷୟ କୁମାରଙ୍କ ସୁରକ୍ଷାକର୍ମୀ ପରିଚୟ ଦେଇ ଶିକ୍ଷକଙ୍କୁ ସୁନ୍ଦରଗଡ଼ର ସେ ଛାତ୍ରଙ୍କ ବିଷୟରେ ସୂଚନା ଦେଇଥିଲେ।

ପିଲାଟି ମୁମ୍ବାଇ ଅକ୍ଷୟ କୁମାରଙ୍କ ଘର ଆଗରେ କାନ୍ଦୁଥିବା ଦେଖି ତାଙ୍କୁ ଘର ଠିକଣା ପଚାରି ପାଖରେ ରଖିଥିବା ପ୍ରକାଶ କରିଥିଲେ। ଶିକ୍ଷକ ଜଣକ ତୁରନ୍ତ ପରିବାର ଲୋକଙ୍କୁ ଏ ସୂଚନା ଦେଇ ସତ୍ୟାସତ୍ୟ ଜାଣିବାକୁ ସୁରକ୍ଷାକର୍ମୀଙ୍କ ସହ ଭିଡିଓ କଲ୍‌ରେ କଥା ହେବା ସହ ଛାତ୍ରଙ୍କୁ ଦେଖିଥିଲେ। ଏହା ପରେ ପରିବାର ଲୋକଙ୍କ ସହ ଟାଉନଥାନାକୁ ଯାଇ ଏ ସୂଚନା ଦେଇଥିଲେ।

ପୁଲିସ ମଧ୍ୟ ସୁରକ୍ଷାକର୍ମୀଙ୍କ ସହ କଥା ହୋଇ ମୁମ୍ବାଇ ଶିଶୁ ସୁରକ୍ଷା ୟୁନିଟ୍‌ ସହ ଯୋଗାଯୋଗ କରି ଛାତ୍ରଙ୍କୁ ନିଜ ହେପାଜତରେ ରଖିବାକୁ ଅନୁରୋଧ କରିଥିଲା। ରାଉରକେଲା ଶିଶୁ ସୁରକ୍ଷା ୟୁନିଟ୍‌ ମଧ୍ୟ ମୁମ୍ବାଇ ୟୁନିଟକୁ ଛାତ୍ରଙ୍କ ସୁରକ୍ଷା ପାଇଁ ଯୋଗାଯୋଗ କରିଥିଲା। ଏହା ପରେ ଟାଉନ ପୁଲିସ ଓ ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର ଛାତ୍ରଙ୍କୁ ସୁନ୍ଦରଗଡ଼ ଫେରାଇ ଆଣିବାକୁ ମୁମ୍ବାଇ ଅଭିମୁଖେ ବାହାରିଥିବା ଟାଉନଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସ ପ୍ରକାଶ କରିଛନ୍ତି। ଛାତ୍ର ଜଣକ ପିଲାଟି ଦିନରୁ ଅକ୍ଷୟ କୁମାରଙ୍କ ପାଇଁ ପାଗଳ ଥିଲେ। ଏପରିକି ଦିନେ ତାଙ୍କ ପ୍ରିୟ ଶିକ୍ଷକ ଅଞ୍ଜନ ସାରଙ୍କ ଆଗରେ ଅକ୍ଷୟ କୁମାରଙ୍କୁ ଭେଟିବାର ପ୍ରବଳ ଇଚ୍ଛା ଥିବା ପ୍ରକାଶ କରି ସହଯୋଗ କରିବାକୁ ଅନୁନୟ ହୋଇଥିଲେ। ଏପରିକି ଏଥିପାଇଁ କାନ୍ଦି ପକାଇଥିଲେ ବୋଲି ଶିକ୍ଷକ ପ୍ରକାଶ କରିଛନ୍ତି। ତେବେ ଏତେ ସବୁ ଘଟଣା ମଧ୍ୟରେ ଛାତ୍ରଙ୍କ ସ୍ୱପ୍ନ ପୂରା ହୋଇପାରି ନାହିଁ, ଅକ୍ଷୟ କୁମାରଙ୍କ ଘର ପାଖକୁ ଯାଇ ତାଙ୍କୁ ଦେଖିବାର ସୁଯୋଗ ପାଇପାରି ନାହାନ୍ତି।

ସମ୍ବନ୍ଧିତ ଖବର