ଆବାସ ଯୋଜନାରୁ ବଞ୍ଚିତ ଅକ୍ଷୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଲେ ଅନଶନ 

ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଜଣେ ବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିଛନ୍ତି। ସବୁ ପ୍ରକାର ଯୋଗ୍ୟତା ରଖିଥିବା ଏଇ ବ୍ୟକ୍ତି ଜଣଙ୍କୁ ଜାଣିଶୁଣି ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ ବୋଲି ଅନଶନକାରୀ ଅକ୍ଷୟ ସେଠୀ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଟିଲୋ ଗ୍ରାମ ପଞ୍ଚାୟତର ଦେବତାଗଡିଆ ଗ୍ରାମର ବାସିନ୍ଦା ଅକ୍ଷୟ ସେଠୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବା ପାଇଁ ଦୀର୍ଘ ଦିନରୁ ଆବେଦନ କରିଆସୁଥିଲେ ମଧ୍ୟ ତାଙ୍କ ନାମକୁ ଚକ୍ରାନ୍ତ କରାଯାଇ ହିତାଧୀକାରୀ ତାଲିକାରୁ ବାଦ ଦିଆଯାଉଛି। ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାରୁ ବାଦ୍ ଦିଆଯିବା ଘଟଣାକୁ ନେଇ ଅକ୍ଷୟ ବହୁବାର ବନ୍ତ ବ୍ଲକର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ତାଙ୍କ ଅଭିଯୋଗ ବ୍ଲକ କତ୍ତୃର୍ପକ୍ଷ ଶୁଣି ନାହାନ୍ତି। ବାଧ୍ୟ ହୋଇ ଶ୍ରୀ ସେଠୀ ବ୍ଲକ ଆଗରେ ଧାରଣା ଦେଇଛନ୍ତି, ଅନଶନ କରିଛନ୍ତି। ଏପରିକି ଆତ୍ମାହୁତି ଦେବାକୁ ପ୍ରୟାସ କରିଛନ୍ତି। ଏସବୁ ପରେ ମଧ୍ୟ ବ୍ଲକ ପ୍ରଶାସନର ଶ୍ରୀ ସେଠୀଙ୍କ ପ୍ରତି ତିଳେ ମାତ୍ର ଦୟା ଆସିଲା ନାହିଁ। ଏଭଳି ଜଣେ ଅସହାୟ ମଣିଷଙ୍କୁ ଅବାସ ଯୋଜନାରେ ଘର ଖଣ୍ଡେ ଦେବାରେ ବିଡିଓ ବାବୁଙ୍କର କେଉଁ ଅସୁବିଧା ହେଉଥିଲା।

ଭଦ୍ରକ ଜିଲ୍ଲାରେ ଆବାସ ଯୋଜନାର କେଳଙ୍କରୀ ଦାଣ୍ଡରେ ପଡି ହାଟରେ ଗଡୁ ଥିବା ବେଳେ ବନ୍ତ ବିଡିଓ ବାବୁ ଏଭଳି କେଉଁ ନିୟମ କାନୁନକୁ ଧରି ବସିଲେ ଯେ, ଜଣେ ବ୍ୟକ୍ତିଙ୍କ ଦୀର୍ଘ ବର୍ଷ ଧରି ଆବାସ ଯୋଜନାରୁ ବଞ୍ଚିତ ହେବାକୁ ପଡିଲା। ବ୍ଲକ ପ୍ରଶାସନ ପାଖରୁ ନିରୁପାୟ ହୋଇ ଆଜି ଶେଷରେ ଶ୍ରୀ ସେଠୀ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି। ଶ୍ରୀ ସେଠୀଙ୍କ ଯୁକ୍ତି ହେଉଛି ।ମୋତେ ଆବାସ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ମୁଁ ଏହି ଅନଶନରୁ ଉଠିବି ନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବରଂ ଆତ୍ଜାହୁତି ଦେବି କିନ୍ତୁ ଘରକୁ ଫେରିବି ନାହିଁ।

ଅକ୍ଷୟଙ୍କର ଏଭଳି ଆମରଣ ଅନଶନ ନିଷ୍ପତ୍ତି ପ୍ରଶାସନକୁ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି। ଅକ୍ଷୟଙ୍କ ଜିଦ୍ ମୋତେ ଘର ଦିଅ, ନହେଲେ ମାରି ଦିଅ। ଆଉ ଏଭଳି କଲ ବଲ କରନି। ଜିଲ୍ଲାପାଳ ମୋ ଗୁହାରୀ ନଶୁଣିଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି। ତେଲେ ଅକ୍ଷୟଙ୍କୁ କହିଁକି ଓ କେଉଁ ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ସେ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର