ଏଥର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ନୁହନ୍ତି, ଅକ୍ଷିମୁଠି ଅନୁକୂଳ କରିଛନ୍ତି ଅଫିସର

ଭୁବନେଶ୍ୱର ( ସୁବ୍ରତ ଦାସ) : ଆଜି ପବିତ୍ର ଅକ୍ଷୟ ତୃତୀୟା। ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ଚାଷ କାର୍ଯ୍ୟର ଶୁଭାରମ୍ଭ ହୁଏ ଆଜି। ପାରମ୍ପରିକ ଭାବେ ଚାଷୀମାନେ ଧାନ ବୁଣା କାର୍ଯ୍ୟ ଆଜିଠାରୁ ଆରମ୍ଭ କରନ୍ତି। ଓଡ଼ିଶାର ଚାଷୀମାନେ ସବୁଠାରୁ ବଡ଼ ଭୋଟ ବ୍ୟାଙ୍କ୍‌ ହୋଇଥିବାରୁ ସବୁ ରାଜନୈତିକ ଦଳ ଏହି ସୁଯୋଗ ହାତଛଡା କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କଠାରୁ ଆରମ୍ଭ କରି ଅନ୍ୟ ଦଳର ମୁଖିଆମାନେ ଚାଷୀ ମନ ଜିିଣିବା ପାଇଁ ଅକ୍ଷିମୁଠି ଅନୁକୂଳ କରିବା ଗତ କେତେ ବର୍ଷ ହେଲା ଏକ ରାଜନୈତିକ ପରମ୍ପରାରେ ପରିଣତ ହୋଇଛି। ମାତ୍ର ଚଳିତ ବର୍ଷ ଏଥିରେ ଦେଖାଯାଇଛି ବ୍ୟତିକ୍ରମ। ରାଜନୈତିକ ଦଳ ମୁଖିଆଙ୍କ ଦ୍ୱାରା ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ କରାଯାଇ ନାହିଁ, ବରଂ ଏହି କାର୍ଯ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ଅଫିସରମାନଙ୍କ ଦ୍ୱାରା ସଂପାଦିତ ହୋଇଛି।

ଗତ ୩ ତାରିଖ ଦିନ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଦ୍ୱାରା ରାଜ୍ୟର ଚାଷୀକୁଳର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଶହ ଶହ ଏକର ଜମିରେ ଫସଲ ଉଜୁଡ଼ି ଯାଇଛି। ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଭୋଟଗଣତି ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିଛି। ସେଥିପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟକଳାପ ଉପରେ କଟକଣା କାଏମ ରହିଛି। ଅକ୍ଷିମୁଠି ଅନୁକୂଳ କରି ଚାଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ରାଜନୈତିକ ନେତାମାନେ ଏଥର ଏଥିରୁ ନିବୃତ୍ତ ରହିଛନ୍ତି। କୃଷି ସଚିବ ସୌରଭ ଗର୍ଗ ଏ ପ୍ରସଙ୍ଗରେ ‘ସମ୍ବାଦ ଡଟ୍‌ ଇନ’କୁ କହିଛନ୍ତି, ସରକାରୀ ସ୍ତରରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ପାଳନ କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଏବଂ ରାଜଧାନୀର ବରମୁଣ୍ଡାରେ ଥିବା କୃଷି ଫାର୍ମରେ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କରାଯାଇଛି।

ତେବେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ନବୀନ ବାବୁ ସିନା ସରକାରୀ କାର୍ଯ୍ୟକ୍ରମ କରିଥାଆନ୍ତି, କିନ୍ତୁ ଆମର ତ ଏହା ଦଳୀୟ କାର୍ଯ୍ୟକ୍ରମ। ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପଦ୍ମପୁର, ଆନନ୍ଦପୁର ଏବଂ କେନ୍ଦ୍ରାପଡ଼ାରେ ଅକ୍ଷିମୁଠି ଅନୁକୂଳ କରାଯାଇଛି। ସେହିପରି ପିସିସି ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ ଆମ ଦଳ ଅକ୍ଷିମୁଠି ଅନୁକୂଳ ଭଳି ଲୋକଦେଖାଣିଆ କାର୍ଯ୍ୟକ୍ରମ ଠାରୁ ଅଧିକ ଗୁରୁତ୍ୱ ଦେଇଛି ଫନି ପରବର୍ତ୍ତୀ ସହାୟତା ଉପରେ। ଆମେ ଫନି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଭେଟିଛୁ।

ଖବରକାଗଜ, ଟେଲିଭିଜନ ଓ ଗଣମାଧ୍ୟମଗୁଡିକରେ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ଅନ୍ୟାନ୍ୟ ରାଜନୈତିକ ଦଳର ମୁଖ୍ୟଙ୍କ ପକ୍ଷରୁ ଅକ୍ଷୟ ତୃତୀୟା ପାଇଁ ଚାଷୀମାନଙ୍କ ଲାଗି ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥାଏ। କିନ୍ତୁ ଏଥର ତାହାର ଅନୁପସ୍ଥିତି ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର