କାଗଜପତ୍ରରେ ଲକ୍ଷ୍ୟ ବଢାଇଦେଲେ, ଚାଷୀକୁ ପ୍ରସ୍ତୁତ କରିନାହାନ୍ତି
କୃଷି-ଜଳସଂପଦ-ସମବାୟ-ଶକ୍ତି ବିଭାଗ ଭିତରେ ସମନ୍ବୟ ନାହିଁ
ଆଳୁ ମିସନ ଫେଲ୍ ପରେ ବି ସରକାର ହେଜିନାହାନ୍ତି, ‘୫ଟି’ ଏଠି ଅକାମୀ
ଭୁବନେଶ୍ବର : ଅକ୍ଷୟ ତୃତୀୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନାରେ ଚାଷୀଙ୍କୁ ୯୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମଧ୍ୟ ୫୫୬ କୋଟି ୬୪ଲକ୍ଷ ଟଙ୍କା ଚାଷୀକୁ ଦିଆଯାଇଛି। ହେଲେ ଚାଷୀ ବିଲ ମୁଣ୍ଡରେ ପାଣି ସମସ୍ୟା ଯେମିତି ଉତ୍କଟ, ଠିକ୍ ସେମିତି ବିହନ, ସାର, ବଜାର ସମସ୍ୟା ବି ସଙ୍ଗିନ୍ ହେଲାଣି। ଓଡ଼ିଶା ବିହନ ନିଗମ ପରିଚାଳନା ନିର୍ଦେଶକ ଜ୍ୟୋତି ପ୍ରକାଶ ମିଶ୍ର ଦାବି କରିଛନ୍ତି ଯେ ଚଳିତବର୍ଷ ସେମାନେ ୫ଲକ୍ଷରୁ ସାମାନ୍ୟ ଅଧିକ ଧାନ ବିହନ ଚାଷୀକୁ ଦେବାକୁ ପ୍ରସ୍ତୁତ କରିଛନ୍ତି, ଯେଉଁଥିରୁ ଏବେ ସୁଦ୍ଧା ୪ଲକ୍ଷ ୯୨ହଜାର କ୍ବିଣ୍ଟାଲ ପ୍ରୋସେସିଂ ସରିଲାଣି। ବାକି ୨୦ ହଜାର କ୍ବିଣ୍ଟାଲ ବିହନ ପ୍ରକ୍ରିୟାକରଣରେ ରହିଛି। ଆଜି ସୁଦ୍ଧା ୨୫ ହଜାର କ୍ବିଣ୍ଟାଲ ଧାନ ବିହନ ଦିଆଯାଇସାରିଲାଣି। କୃଷି ବିଭାଗ ଅଧିକାରୀ ଜାଣିପାରୁନାହାନ୍ତି ସିନା, ସେମାନେ ଜିଲ୍ଲାରେ ବିହନ ପହଞ୍ଚାଇସାରିଲେଣି। ସେହିଭଳି ତୈଳବୀଜ କ୍ଷେତ୍ରରେ ୫୦ହଜାର କ୍ବିଣ୍ଟାଲ ବିହନ ଯୋଗାଇ ଦେବାକୁ ନିଗମ ଏଥର ଲକ୍ଷ୍ୟ ରଖିଛି।
ହେଲେ ରାଜ୍ୟ ସରକାରଙ୍କ କୃଷି ବିଭାଗର ପ୍ରସ୍ତୁତି ଓ ବିହନ ନିଗମ ଲକ୍ଷ୍ୟ ଭିତରେ ଯେଭଳି ତାଳମେଳ ନାହିଁ, ଠିକ୍ ସେମିତି ରାଜ୍ୟ ସରକାରଙ୍କ କୃଷି-ଜଳସଂପଦ-ସମବାୟ-ଶକ୍ତି ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଜଳ ଜଳ ପରିଲକ୍ଷିତ ହେଉଛି। ବେଶୀ ଦୂରକୁ ନଯାଇ ତୈଳବୀଜ ଓ ଡାଲିଜାତୀୟ ଫସଲକୁ ଉଦାହରଣ ଭାବେ ନେଲେ, ଏହା ସହଜରେ ବୁଝାପଡ଼ିଯିବ। ସାଧାରଣତଃ ଢିପ ଜମିରେ ଧାନ ଚାଷ କରାଯାଇପାରେନାହିଁ, କାରଣ ସେଠାକୁ ପାଣିଯିବା କାଠିକର ପାଠ। ଏସବୁ ଜମିରେ ଚାଷୀ ପନିପରିବା, ତୈଳବୀଜ, ଡାଲିଜାତୀୟ ଫସଲ କରିଥାନ୍ତି। ରାଜ୍ୟ ସରକାର ଚଳିତବର୍ଷ ଗୋଟିଏ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କୃଷି ବିଭାଗର ତଥ୍ୟ ଅନୁସାରେ, ଏବର୍ଷ ରାଜ୍ୟରେ ଯେଉଁ ୬୨ଲକ୍ଷ ୧୭ ହଜାର ହେକ୍ଟର ଜମିରେ ଖରିଫ୍ ହେବ ବୋଲି ଲକ୍ଷ୍ୟ ରଖାଯାଇଛି, ସେ ମଧ୍ୟରୁ ୩୫ ଲକ୍ଷ ହେକ୍ଟର ଧାନ୍ ବାଦ ଦେଲେ ବାକି ଜମିରେ ତୈଳବୀଜ ଓ ଡାଲିଜାତୀୟ ଚାଷ କରାଯିବ। ଉଦ୍ଦେଶ୍ୟ ହେଲା, ଚାଷୀର ଦୃଷ୍ଟି ଧାନ ଉପରୁ ଫେରାଇ ଅର୍ଥକାରୀ ଫସଲ ଆଡ଼କୁ ତାକୁ ମୁହାଁଇବା। ଏହି କ୍ରମରେ ଗତବର୍ଷ ୨ଲକ୍ଷ ୩୫ ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥର ତାହା ବୃଦ୍ଧି ପାଇ ୩.୮୨ଲକ୍ଷ ହେକ୍ଟର ଜମିରେ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ୬ଲକ୍ଷ ୨୩ ହଜାର ହେକ୍ଟର ବଦଳରେ ୮ଲକ୍ଷ ୩୫ ହଜାର ହେକ୍ଟର ଜମିରେ ଡାଲିଜାତୀୟ ଫସଲ କରିବାକୁ ସରକାର ଯୋଜନା କରିଛନ୍ତି। ହେଲେ ଏ ଲକ୍ଷ୍ୟ ସାଧନ ବେଳେ କୃଷି ବିଭାଗ ବିହନ ନିଗମକୁ କେତେ ବିଶ୍ବାସକୁ ନେଇଛି, ତାହା ଏବେ ବଡ଼ ପ୍ରଶ୍ନ। କୃଷି ଭବନରେ ସରକାର ନେଇଥିବା ଏଭଳି ନିଷ୍ପତ୍ତି ସଂପର୍କରେ ଚାଷୀକୁ କିଏ ବୁଝାଇଲା? କେଉଁ ଚାଷ କଲେ ସେମାନେ କେତେ ଲାଭ ପାଇବେ, କରୋନା ସମୟରେ କେଉଁ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ଅଧିକାରୀମାନେ ଚାଷୀପାଖକୁ ଯାଇ ଏକଥା ବୁଝାଇଛନ୍ତି? ରାଜ୍ୟସ୍ତରରେ ବା ଜିଲ୍ଲାସ୍ତରରେ କେତୋଟି ପ୍ରଶିକ୍ଷଣ କର୍ମଶାଳା ହୋଇଛି? ଚାଷୀ ତାର ପାରମ୍ପରିକ ଚାଷ ଛାଡ଼ି କେଉଁ ଆଶାରେ ନୂଆ ଚାଷ ପ୍ରତି ମନବଳାଇବ?
କୃଷି ବିଶେଷଜ୍ଞଙ୍କର କହିବା କଥା ହେଉଛି, ରାଜ୍ୟ ସରକାରଙ୍କ ବାମ ହାତ କଣ କରୁଛି, ଡାହାଣ ହାତ ଜାଣିପାରୁନାହିଁ। ଅନ୍ୟ ବିଭାଗ ତୁଳନାରେ କୃଷି ବିଭାଗରେ ଏ ସ୍ଥିତି ଟିକିଏ ବେଶୀ ଗମ୍ଭୀର ଅବସ୍ଥାରେ ପହଞ୍ଚିଛି। ସେଠି ବେଶୀ ବୈଠକ ହେଉଛି, ଭାଷଣବାଜି ଚାଲୁଛି, କିନ୍ତୁ ଫଳ ଶୂନ। ଚାଷୀ ଯେବେ ଅର୍ଥକରୀ ଫସଲ ଆଡ଼କୁ ମୁହାଁଉଛି, ସେବେ ତାର ବଜାର ପାଇଁ ସରକାରଙ୍କ ଯୋଜନା କାଗଜପତ୍ରରେ। ଚିନାବାଦାମ, ମୁଗ, ବିରି, ହରଡ଼ ତା' ଠାରୁ କିଏ କିଣିବ? ସରକାର ଏଭଳି କେତୋଟି ମଣ୍ଡି କରୁଛନ୍ତି? କେବେ ସେ ମଣ୍ଡି ଆରମ୍ଭ ହେଉଛି?
ପନିପରିବା ସ୍ଥିତି ନ କହିବା ଭଲ। ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବାରେ ସରକାର ଯେଭଳି ବିଫଳ, ଶୀତଳଭଣ୍ଡାର କ୍ଷେତ୍ରରେ ସ୍ଥିତି ତା’ ଚାହିଁ ଉତ୍କଟ। ଚାଷୀର ଫସଲ ସାମଗ୍ରୀ ରଖିବା ପାଇଁ ଶୀତଳଭଣ୍ଡାର ନାହିଁ କି ସେ ତା’ର ପ୍ରାପ୍ୟ ପାଉନି। ସର୍ବସ୍ବାନ୍ତ ହେଉଛି। ବରଗଡ ଜିଲ୍ଲାଠାରୁ ଆରମ୍ଭ କରି ପୁରୀ ଜିଲ୍ଲାର ସାତଶଙ୍ଖ, ତେଇଶିପୁର ଯାଏ ଚାଷୀ ଯେବେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି, ସେବେ ସରକାର ବା କୃଷି ବିଭାଗ କେତେଥର ସାହାଯ୍ୟ କରିବାକୁ ଆସିଛନ୍ତି? କୃଷି ମନ୍ତ୍ରୀ-ସମବାୟ ମନ୍ତ୍ରୀ କେତେଥର ଏକାଠି ବସି ଚାଷୀକୁ ତା’ର ଉତ୍ପାଦନ ପରିଣାମରେ ଉପଯୁକ୍ତ ଦର ମିଳୁ ବୋଲି ସହମତି ହୋଇ ପଦକ୍ଷେପ ନେଇଛନ୍ତି? ଶୀତଳଭଣ୍ଡାରକୁ ଯୋଗାଇ ଦିଆଯାଉଥିବା ବିଦ୍ୟୁତ୍ ବିଲ୍ ଯେବେ ବାଣଜ୍ୟିକ ୟୁନିଟ୍ ବୋଲି ଧରିନେଇ ଶକ୍ତି ବିଭାଗ ଆଦାୟ କରୁଛି, ସେବେ କେତେଥର କୃଷି ମନ୍ତ୍ରୀ-ଶକ୍ତି ମନ୍ତ୍ରୀ ଏକାଠି ବସି ଏକଥା ଆଲୋଚନା କରିଛନ୍ତି? ଶୀତଳଭଣ୍ଡାର ବଞ୍ଚିବ କେମିତି? ରାଜ୍ୟ ସରକାରଙ୍କ ଆଳୁ ମିସନ ଫେଲ୍ ମାରିବା ହେଉଛି, ଏ କ୍ଷେତ୍ରରେ ଏକ ବଡ଼ ଉଦାହରଣ। କୋଟି କୋଟି ଟଙ୍କା ଚାଷୀ ନଷ୍ଟ କଲା ଓ ବରବାଦ ହୋଇ ଫସଲ ଛାଡ଼ିଦେଲା। ତଥାପି କୃଷି ବିଭାଗ ଏଥିରୁ କିଛି ଶିଖିନାହିଁ।
କେବଳ ସେତିକି ନୁହେଁ, ଉନ୍ନତ ଓ ଗବେଷଣାଲବ୍ଧ ନୂଆ ବିହନ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ଯେଭଳି ବିଫଳତାର ପାହାଡ଼ ଉପରେ ଠିଆ ହୋଇଛି, ସାର ଯୋଗାଣ ସମସ୍ୟାକୁ ଦେଖିଲେ ସ୍ଥିତି ଆହୁରି ଗମ୍ଭୀର। କାଗଜପତ୍ରରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଯେ ଏବର୍ଷ ୯ ଲକ୍ଷ ୧୫ ହଜାର ମେଟ୍ରିକ୍ ଟନ୍ ସାର ଚାଷୀଙ୍କୁ ଦିଆଯିବ। ଅକ୍ଷୟତୃତୀୟା ପୂର୍ବରୁ ପ୍ରତି ପଞ୍ଚାୟତ ଗୋଦାମରେ ସାର ଓ ବିହନ ରଖିବା ପାଇଁ କାହିଁକି କୃୃଷି ବିଭାଗ ଖସଡ଼ା ପ୍ରସ୍ତୁତ କରିପାରିଲା ନାହିଁ? କେଉଁ ଗୋଦାମରେ କେତେ ସାର ଅଛି, ସେ ତଥ୍ୟ କୃଷି ବିଭାଗ ପାଖରେ ଅଛି? କୃଷି କ୍ୟାଲେଣ୍ଡରରେ ଏହା ପ୍ରମୁଖ ଭାବେ ସ୍ଥାନିତ ହେବା କଥା। ଚାଷୀ ଯେବେ ତଳି ବୁଣିବ, ସେବେ ସାର ନାହିଁ। ଏ ବାବଦରେ ପ୍ରତିବର୍ଷ କୋଟି କୋଟି ଟଙ୍କାର କେଳେଙ୍କାରୀ ହେଉଥିବା ଅଭିଯୋଗ ହେଉଛି। ସରକାର ନାଁ କୁ ମାତ୍ର ଚଢ଼ଉ କରି ସମୁଦାୟ ମାମଲାକୁ ରଫାଦଫା କରିଦେଉଛନ୍ତି। ଏଥିରେ ଓଡ଼ିଶାରେ ଚାଷୀ ଲାଭ ପାଇବ ନା ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିବ? ରାଜ୍ୟ ସରକାରଙ୍କ ‘୫ଟି’ ଏସବୁ ପ୍ରସଙ୍ଗରେ ସୁଧାର ପାଇଁ କି କି ପଦକ୍ଷେପ ନେଇଛନ୍ତି? ଅନ୍ତତଃ ଏଥର ଅକ୍ଷୟତୃତୀୟାରେ ଚାଷୀ ପାଇଁ ଠୋସ୍ କିଛି ପଦକ୍ଷେପ ସରକାର ନିଅନ୍ତୁ।