ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କଲେ ପ୍ରଯୋଜକ ଅକ୍ଷୟ ପରିଜା

କଟକ: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜକ ଅକ୍ଷୟ ପରିଜା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି। ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି।

ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ଜଣେ ଦଳିତ ଯୁବତୀଙ୍କୁ ଦୀର୍ଘଦିନ ଧରି ‌‌ଯୌନ ଶୋଷଣ ଅଭିଯୋଗ ପରେ ଶ୍ରୀ ପରିଜା ସୁରକ୍ଷା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜଣେ ଯୁବତୀଙ୍କୁ ଅଭିନେତ୍ରୀ କରାଇବାକୁ କହି ଶ୍ରୀ ପରିଜା ଯୌନ ଶୋଷଣ କରିଥିବା ଅଭିଯୋଗ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ତାଙ୍କୁ ନିର୍ଦ୍ଦିଷ୍ଟ ଯୁବତୀ ବ୍ଲାକମେଲ କରୁଥିବା ନେଇ ଶ୍ରୀ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥ‌ିଲେ।

ଏଣେ ଶ୍ରୀ ପରିଜାଙ୍କ ଏତଲା ଆଧାରରେ ନୂଆପଲ୍ଲୀ ଥାନା ପୁଲିସ ଯୁବତୀଙ୍କୁ ଖୋଜିବା ଆରମ୍ଭ କରିଛି। ଯେଉଁ ମୋବାଇଲ୍‌ ଫୋନ୍‌ରୁ ଶ୍ରୀ ପରିଜାଙ୍କୁ ଫୋନ୍‌ ହୋଇଥିଲା, ପୁଲିସ ତାକୁ ଟ୍ରାକ୍‌ କରୁଛି। ସେହିଭଳି ଭାଇରାଲ୍ ହେଉଥିବା ଅଶ୍ଳୀଳ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଥମେ କିଏ ଅପଲୋଡ୍ କଲା, ତା’କୁ ବି ପୁଲିସ ଖୋଜୁଛି। ଏସବୁ ତଥ୍ୟ ପୁଲିସର ହସ୍ତଗତ ହେବା ପରେ ଏବଂ ଖୋଦ୍‌ ପୀଡ଼ିତା ସାମ୍ନାକୁ ଆସିବା ପରେ ଏହି ମାମଲା ପଛର ପ୍ରକୃତ ସତ ପଦାକୁ ଆସିବ ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର