ରେଢ଼ାଖୋଲ: ପଞ୍ଚାୟତ ନିର୍ବାଚନରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ପୂର୍ବ ରେକର୍ଡ ଭାଂଗିଛି ବିଜେଡି। ୭ଟି ଜିଲ୍ଲା ପରିଷଦ ଜୋନ୍ରୁ ୬ଟି ଆସନ ବିଜେଡି ଅକ୍ତିଆର କରିଛି। ତେବେ, ବିଜେଡି ଦୁର୍ଗ ଭାବେ ପରିଚିତ ରେଢ଼ାଖୋଲ ବ୍ଲକର ଗୋଟିଏ ଆସନ ବିଜେପି ଅକ୍ତିଆର କରିନେଇଛି। ବିଜେଡି ଗଡ଼ରେ ବିଜେପିର ପ୍ରବେଶ ବିଜେଡି ପାଇଁ ସତର୍କ ଘଣ୍ଟି ହୋଇଛି। ଦିନ ଥିଲା ରେଢ଼ାଖୋଲ ବ୍ଲକ ବିଜେଡିର ଗଡ଼ ଭାବରେ ପରିଚିତ ଥିଲା। ହେଲେ ଏବେ ବିଜେପି ତାର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି।
ଏହି ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦେଖିଲେ ଜୋନ୍-୧ରେ ବିଜେଡିର ଶ୍ରାବଣୀ ଭୋଇ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଜୋନ୍-୨ରେ ବିଶ୍ବରଂଜନ ପ୍ରଧାନ ଲଢ଼େଇ କରୁଥିଲେ। ଜୋନ୍ ୧ରେ ଶ୍ରୀମତୀ ଭୋଇ ବଡ଼ କଷ୍ଟରେ ମାତ୍ର ୧୯୪ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଥିଲେ। ଗଣତି ଆରମ୍ଭରୁ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ଆଗୁଆ ରହିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ବିଜେଡି ବାଜି ମାରି ନେଇଥିଲା। ସେହିପରି ଜୋନ୍-୨ରେ ବିଶ୍ବରଂଜନ ବିଜେପିର ନବାଗତ ପ୍ରାର୍ଥୀ ଶରତ ପ୍ରଧାନଙ୍କଠାରୁ ହାରି ଯାଇଥିଲେ। ସେ ମାତ୍ର ୭୧୭୧ ଭୋଟ୍ରେ ସୀମିତ ରହିଥିଲେ। ବିଜେପିର ଶରତ ଏଠାରୁ ୮୭୨୬ ଭୋଟ୍ ପାଇ ବିଜୟୀ ହେଲେ। ବିଶ୍ବରଂଜନଙ୍କ ହାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
୨୦୧୭ ନିବାର୍ଚନରେ ମାନେଶ୍ବର, ଯୁଯୁମୁରା, ଧନକଉଡା, ନାକଟିଦଉଳ ଅଞ୍ଚଳରେ ବିଜେପିର ଦବ୍ଦବା ରହିଥିଲା। ହେଲେ ସେ ସମୟରେ ରେଢ଼ାଖୋଲ ବ୍ଲକ୍ର ଦୁଇଟି ଯାକ ଜୋନ୍ରେ ବିଜେପିକୁ ପରାସ୍ତ କରିବାର ସକ୍ଷମ ହୋଇଥିଲା। ୨୦୧୨ ମସିହା ନିର୍ବାଚନରେ ଦୁଇଟି ଯାକ ଆସନ ବିଜେଡି ହାତରେ ଥିବା ବେଳେ ୨୦୦୭ ମସିହା ନିର୍ବାଚନରେ ଗୋଟିଏ ବିଜେଡି ଓ ଗୋଟିଏ କଂଗ୍ରେସ ହାତରେ ରହିଥିଲା। ଏଥର ଟିକଟ ବଣ୍ଟନକୁ ନେଇ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ବିଜେଡିର ପରାଜୟ ଏକ ବଡ଼ କାରଣ ବୋଲି ଅଂଚଳରେ ଚର୍ଚ୍ଚା ଚାଲିଛି।
ହେଲେ ଚଳିତ ନିର୍ବାଚନରେ ଚାରିଆଡେ ବିଜେପି ପରାଜୟ ହୋଇଥିବା ବେଳେ ରେଢ଼ାଖୋଲରେ ବିଜେପି ତାର ସ୍ଥିତି ସୁଦୃଢ଼ କରିଥିବା ଦେଖାଯାଇଥିଲା। ଆଗକୁ ଏନ୍ଏସି ନିର୍ବାଚନ ଆସୁଛି। ଏବେଠାରୁ ବିଜେଡି ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାର ପରିଚାଳନା ସବୁ ଯେପରି ଠିକ୍ ଠାକ୍ ହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖିଛି। ନିଜେ ବିଧାୟକ ଇଂ ରୋହିତ ପୂଜାରୀଙ୍କ ସମେତ ଦଳର ଅନ୍ୟ ନେତାମାନେ ବ୍ଲକ୍ରେ ବିଜେଡିର ସ୍ଥିତିକୁ ନେଇ ସମୀକ୍ଷା କରିବା ସହିତ ଏନଏସି ନିର୍ବାଚନରେ ଯେପରି ଭଲ ପ୍ରଦର୍ଶନ କରିବେ ତାହା ଉପରେ ଧ୍ୟାନ ଦେଇଛନ୍ତି। ଏହା ସହିତ ସ୍ଥାନୀୟ ନେତା ଓ କର୍ମୀମାନଙ୍କୁ ତାଗିଦ କରି ଦଳକୁ ସୁଦୃଢ଼ କରିବାକୁ କହିଛନ୍ତି। ଏନ୍ଏସି ନିର୍ବାଚନରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିବାର୍ଚନ ରଣନୀତି ପ୍ରସ୍ତୁତ କରିବାର ଗୁରୁ ଦାୟିତ୍ବ ଇଂ. ପୂଜାରୀଙ୍କ ଉପରେ ରହିଛି। ସେ କିପରି ଗୋଟି ଚାଳନା କରୁଛନ୍ତି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Symbol1.jpg)