ବ୍ରହ୍ମଗିରି: ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ଶ୍ରୀ ଅଲାରନାଥ ମନ୍ଦିର। ଏବେ ଏହି ମନ୍ଦିର ଚାରିପଟେ ଯେତିକି ଆବର୍ଜନା ଗଦା ହୋଇଛି ତା’ଠାରୁ ଅଧିକ ବେଢ଼ାକୁ ଲାଗି ରହିଥିବା ପରିସରରେ ଭର୍ତ୍ତି ହୋଇରହିଛି। ଏହାରି ଭିତରେ ଶ୍ରୀ ଅଲାରନାଥଙ୍କ ମନ୍ଦିର ପରିସରରେ ଥିବା ଆନନ୍ଦ ବଜାରକୁ ଦେଖି ପର୍ଯ୍ୟଟକ ବିମୁଖ ହେଉଛନ୍ତି। ୨୦୧୫ ମସିହାରେ ଶ୍ରୀଜିଉଙ୍କ ମହାଅଣସର ଦର୍ଶନବେଳେ ପୀଠର ଉନ୍ନତୀକରଣ ହୋଇଥିଲା। ନୂଆକରି ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାର ନିର୍ମାଣ ହୋଇଛି। ଏକା ସାଙ୍ଗରେ ଶତାଧିକ ଶ୍ରଦ୍ଧାଳୁ ବସି ପ୍ରସାଦସେବନ କରିବାର ବ୍ୟବସ୍ଥା କରାଯାଇଛି। ଚାରିପଟେ ପାଚେରୀ ନିର୍ମାଣ ହେବା ସହିତ ପାନୀୟଜଳ ଓ ହାତ ଧୋଇବାର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସୁଛନ୍ତି।
ମନ୍ଦିର ପରିସରରେ ଥିବା ଆନନ୍ଦ ବଜାର ଦୁରବସ୍ଥାକୁ ନଦେଖିଲେ କେହି ବିଶ୍ବାସ କରିବେନି। ଯୁଆଡ଼େ ଚାହିଁବ ସେଠାରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇରହିଛି। ଖାଲି ଯେ ଆବର୍ଜନା ଗଦା ହୋଇଛି ତାହା ନୁହେଁ ବରଂ ଘାସଲତାରେ ଜଙ୍ଗଲିଆ ହୋଇ ଅପରିଷ୍କାର ହୋଇପଡ଼ିଛି। ପିଇବା ପାଣି କୁଣ୍ତରେ ଗଛ ଉଠିଗଲାଣି। ହାତ ଧୋଇବା ସ୍ଥାନରେ ଟ୍ୟାପ୍ ସବୁ ନଷ୍ଟ ହୋଇ ଚାରିପଟେ ଗଛ ଉଠିଗଲାଣି। ଗଛଲତା ସାଙ୍ଗକୁ ଆବର୍ଜନା ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆନନ୍ଦ ବଜାର ଅବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେହିପରି ଚନ୍ଦନ ଚକଡ଼ା କଥା ନ କହିବା ଭଲ। ଏଠାରେ ଅସ୍ଥାୟୀ ଶୌଚାଳୟ ରହିଛି। କିନ୍ତୁ ସେଠାକୁ ଗଲେ ଖୋଲା ପଡ଼ିଆରେ ଶୌଚ ହେବାଭଳି ସବୁଆଡ଼େ ମଇଳା ଗଦା ହୋଇଛି। ପ୍ରଶାସନ ଓ ଶ୍ରୀ ଅଲାରନାଥ ମନ୍ଦିର ଟ୍ରଷ୍ଟି ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସବୁସ୍ତରରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/26/4AbECHpuYPyF58rEHjt4.jpg)