ଅଳସୀ ମେଳରେ ଅଳସ ଭାଙ୍ଗୁଛି କୋରାପୁଟ, ସଜେଇ ହୋଇଛି  ହଳଦିଆ ଶାଢି

କୋରାପୁଟ: ଅଳସୀ ଫୁଲର ହଳଦିଆ କ୍ଷେତ ସହ ଏବେ ମନ ମିଶାଇ ମନର ଗୀତ ଗାଉଛି କୋରାପୁଟ। ଶୀତ ଆସୁ ଆସୁ ଅଳସୀ ଫୁଲର ହଳଦିଆ ଶାଢୀ ପିନ୍ଧି ସଜେଇ ହୋଇଛି ଏହି ସୁନ୍ଦରୀ ଜିଲ୍ଲା। ଆଉ ଏହା ରାସ୍ତା କଡରେ ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖୁଛି। ଜିଲ୍ଲାର ଯେ କୌଣସି ପ୍ରାନ୍ତକୁ ଗଲେ ଏବେ ଆଖିରେ ପଡୁଛି, ଅଳସୀ ଫୁଲର ସମ୍ଭାର। ଆଉ ଏହାକୁ ଦେଖୁ ଦେଖୁ ଆଖି ଲାଖି ଯାଉଛି। ପ୍ରଥମ ଦେଖାରେ ହିଁ ହଳଦୀ ସୁନ୍ଦରୀ ପ୍ରେମରେ ପଡି ଯାଉଛନ୍ତି ହଜାର ହଜାର ଲୋକ।  କିଛି ନ ହେଲେ ବି ତା’ ସହ ଫଟୋ ଉଠାଉଛନ୍ତି, ସମୟ ବିତାଉଛନ୍ତି। ଆଉ ତା’ ପାଖରୁ ଫେରିଲାବେଳକୁ ଓଠରେ ଚେନାଏ ହସ ସହ ମିଠା ମିଠା ଅନୁଭବ ନେଇ ଫେରୁଛନ୍ତି।

କୋରାପୁଟ ଜିଲ୍ଲାର ଅଧିକାଂଶ ଅଂଚଳରେ ଏବେ ଫୁଟିଛି ଏହି ମନଲୋଭା ଅଳସୀ ଫୁଲ। କୋରାପୁଟ-ଜୟପୁର ରାସ୍ତା କଡ ସହ ଜିଲ୍ଲାର ଅଧିକା˚ଶ ପ୍ରମୁଖ ରାସ୍ତା କଡରେ ଏବେ ଏହି ହଳଦୀ ସୁନ୍ଦରୀ ‘ଅଳସୀ ଫୁଲ’ ହସୁଛି। ଲକ୍ଷ୍ମୀପୁରରୁ ଲମତାପୁଟ ପର୍ଯ୍ୟନ୍ତ, ଗାଁରୁ ସହର ଯାଏ ସବୁଠି ମିଳୁଛି ଫୁଲର ମହକ। ଏହା ସାଧାରଣ ଲୋକଙ୍କୁ ଏକ ନିଆରା ସ୍ବାଦ ଦେଉଥିଲାବେଳେ ପ୍ରକୃତିପ୍ରେମୀଙ୍କୁ ବାନ୍ଧି ରଖୁଛି। କେବଳ ଏହି ଅଳସୀ ଫୁଲ ସହ ଫଟୋ ଉଠାଇବା ବହୁ ପର୍ଯ୍ୟଟକଙ୍କୁ ଏବେ କୋରାପୁଟକୁ ଟାଣି ଆଣୁଛି। ଆଉ ଯିଏ ଆସୁଛି ମନରେ ମାୟା ଲାଗି ଯାଉଛି।

ଅଳସୀ ଫୁଲ ପାଇଁ କୋରାପୁଟର ଏକ ସ୍ବତନ୍ତ୍ରତା ରହିଛି। ଶୀତ ଆସୁ ଆସୁ ଅଳସୀ ଆସେ କୋରାପୁଟକୁ। ଏହି ହଳଦୀ ରଙ୍ଗର ଫୁଲରେ ଭର୍ତ୍ତି ହୋଇଯାଏ କୋରାପୁଟର ଡଙ୍ଗର ଓ ଜମି। ଏଠାକାର ଲୋକମାନେ ତେଲ ପାଇଁ ଏହି ଅଳସୀ ମ˚ଜି ବୁଣିଥାନ୍ତି। କାଶତଣ୍ତୀ ଫୁଲର ଗହଳିରେ ପାର୍ବଣର ସଫେଦ୍‌ ପରିବେଶ ଧୀରେ ଧୀରେ ଫିକା ହୋଇ ଆସିଲା ପରେ ଏହି ଅଳସୀ ସୁନ୍ଦରୀ କୋରାପୁଟର ସୌନ୍ଦର୍ଯ୍ୟକୁ ଆହୁରି ବଢାଇବା ପାଇଁ ଫୁଟିବା ଆରମ୍ଭ କରେ। ନଭେମ୍ବର ଓ ଡିସେମ୍ବର ମାସ ବେଳକୁ ଜିଲ୍ଲାର ବିଭିନ୍ନ ଅ˚ଚଳକୁ ହଳଦୀ ଶାଢୀରେ ଘୋଡାଇ ରଖିଥାଏ ଏହି ଅଳସୀ। ପଟାଙ୍ଗୀ, ସେମିଳିଗୁଡା, ନନ୍ଦପୁର, ଦାମନଯୋଡି, କାକିରିଗୁମ୍ମା, ଲମତାପୁଟ ଅ˚ଚଳରେ ଅଧିକ ଫୁଲ ଫୁଟିଥାଏ। ପାହାଡରେ ଏହି ଫୁଲ ଫୁଟୁଥିବାରୁ ଏବ˚ ଏହାର ରଙ୍ଗ ଗାଢ ହଳଦିଆ ହୋଇଥିବାରୁ ବହୁ ଦୂରକୁ ଏହା ଦେଖାଯାଏ। ବର୍ଷକକୁ ଥରେ ଏହି ଅଳସୀ ଫୁଟୁଥିବାରୁ ଏହାର ସାନ୍ନିଧୢ ପାଇବାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏପରିକି ଖାସ ଅଳସୀ ପାଇଁ ବାହାରୁ ପର୍ଯ୍ୟଟକ ଜିଲ୍ଲାକୁ ଆସିଥାନ୍ତି। ଅଳସୀ ସହ ଫଟୋ ଉଠାଇବା ସହ ଏହାର ସୌନ୍ଦର୍ଯ୍ୟର ମଜା ନେଇଥାନ୍ତି।

ଅଳସୀ ଫୁଲର ସୌନ୍ଦର୍ଯ୍ୟ କୋରାପୁଟ ପର୍ଯ୍ୟଟନକୁ ଅଧିକ ମନୋରମ କରିଥାଏ। କୋରାପୁଟବାସୀଙ୍କ ସମେତ ପର୍ଯ୍ୟଟକ ଅଳସୀ କ୍ଷେତ ପାଖରେ ପର୍ଯ୍ୟଟକ ଘଣ୍ଟା ଘଣ୍ଟା ଠିଆ ହେବା ସହ କ୍ଷେତରେ ସେଲଫି ଉଠାଇଥାନ୍ତି। ଫଳରେ ‌ଏବେ ସାମାଜିକ ଗଣମାଧ୍ୟମରେ ଅଳସୀ ଫୁଲ ଛାଇଗଲାଣି। ଆଉ ଏହି ଫଟୋ ସବୁ କୋରାପୁଟ ସୌନ୍ଦର୍ଯ୍ୟର କଥା କହୁଛି। ଅଳସୀ ଫୁଟିବା ପରେ କୋରାପୁଟ ସାହିତ୍ୟିକ ପାଣିପାଗକୁ ବି ଉଷ୍ମ ହେଉଛି। ଏହି ଫୁଲର ଭିଡ ଭିତରେ ସାଧାରଣ ଲୋକଟିଏ ଭାବୁକ ହୋଇଯାଏ। ଆଉ କବି କଳ୍ପନା ରାଜ୍ୟରେ ଘୁରିବୁଲେ। ତେଣୁ କୋରାପୁଟର ଅଧିକା˚ଶ ଲେଖକ ଏବେ ଅଳସୀର ସୌନ୍ଦର୍ଯ୍ୟକୁ ସାହିତ୍ୟର ରୂପ ଦେବାକୁ ଲାଗି ପଡିଛନ୍ତି। କବି, ଭାବୁକ ଅଳସୀକୁ ନେଇ ନାନା କବିତା ଲେଖିବା ସହ କୋରାପୁଟ ମାଟିର ଗୀତ ଗାଉଛନ୍ତି। ଆଉ ଏହା କୋରାପୁଟକୁ ଏକ ସ୍ବତନ୍ତ୍ର ପରିଚୟ ଦେଉଛି।

ସମ୍ବନ୍ଧିତ ଖବର