ପୁରୀ: ପୁରୀରେ ବିଶ୍ବ ପ୍ରସିଦ୍ଧା ଶ୍ରୀମନ୍ଦିର ରହିଛି। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସାରା ବିଶ୍ବରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏଭଳି ଅବସ୍ଥାରେ ଦର୍ଶନ ବ୍ୟବସ୍ଥାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଛି। ଦର୍ଶନ ବେଳେ ଅନେକ ସମୟରେ ଅଘଟଣା ହେବା ନଜୀର ରହିଛି। ବିଶେଷ କରି ଭିତର କାଠ ନିକଟରେ ଶ୍ରଦ୍ଧାଳୁମାନେ ଶ୍ବାସରୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଦଳଚକଟା ଭଳି ପରିସ୍ଥିତି ଦେଖାଯାଉଛି। ମହାପ୍ରଭୁଙ୍କ ସ୍ବତନ୍ତ୍ର ବେଶ ସମୟରେ ଏଭଳି ଅଘଟଣ ଘଟୁଛି। ଶ୍ରୀମନ୍ଦିର ବାହାରେ ମଧ୍ୟ ଅନେକ ସମୟ ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିବାକୁ ପଡୁଛି। ପରିଚାଳନାଗତ ତ୍ରୁଟି ହିଁ ଏହାର ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ତେଣୁ ଦର୍ଶନ ବ୍ୟବସ୍ଥାକୁ ସ୍ବତନ୍ତ୍ର କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।
କୀର୍ତ୍ତନ ଚକଡ଼ା ବ୍ୟାରିକେଡ୍ ପରିଚାଳନା ଶୃଙ୍ଖଳିତ କରାଯାଉ
ଦୈନିକ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ଓ କିର୍ତ୍ତନ ଚକଡ଼ାରେ ବ୍ୟାରିକେଡ଼୍ର ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବା ପାଇଁ ଦାବି ହୋଇଛି। ବିଶେଷ କରି କିର୍ତ୍ତନ ଚକଡ଼ାରେ ଥିବା ବ୍ୟାରିକେଡ୍ରେ ଦଶଟି ଧାଡ଼ି ରହିଥିବା ବେଳେ ଡ୍ୟୁଟିରେ ଥିବା ପୁଲିସମାନେ ସମସ୍ତ ଦଶଟିଯାକ ଧାଡ଼ିର ଭକ୍ତମାନଙ୍କୁ ଏକକାଳୀନ ଛାଡ଼ି ଦେଉଛନ୍ତି। ଯେଉଁଥିପାଇଁ ଗରୁଡ଼ସ୍ତମ୍ବ ପାଖ ଏବଂ ବାହାର କାଠ ମଧ୍ୟରେ ପ୍ରବଳ ଭିଡ଼ ହୋଇଯାଉଛି।
ଭିତରକାଠରେ ବାରମ୍ବାର ଶ୍ବାସରୁଦ୍ଧ ହେଉଛନ୍ତି ଶ୍ରଦ୍ଧାଳୁ
ଶିଶୁ ଓ ବରିଷ୍ଠନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି
ଯଦି ଏହି ବ୍ୟାରିକେଡ଼ରେ ଥିବା ଭକ୍ତମାନଙ୍କୁ ଛାଡ଼ିବା ପାଇଁ ପ୍ରଥମେ ୫ଟି ଓ ପରେ ୫ଟି ବ୍ୟାରିକେଡ଼ର ଭକ୍ତମାନଙ୍କୁ ଛଡ଼ାଯାଆନ୍ତା, ତେବେ ନିଶ୍ଚିତ ଭାବେ ନାଟମଣ୍ଡପରେ ଭିଡ଼କୁ ନିୟନ୍ତ୍ରଣ କରିହୁଅନ୍ତା ବୋଲି ଚର୍ଚ୍ଚା ହେଉଛି। ସେହିପରି ଛୋଟ ପିଲା, ଶାରିରୀକ ଅକ୍ଷମ ଭକ୍ତମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ ଯଦି ଘଣ୍ଟିଦ୍ବାର ପଟେ ଛଡ଼ାଯାଆନ୍ତା, ତେବେ ସେମାନେ ଏହି ଭିଡ଼ର ଯନ୍ତ୍ରଣାରୁ ମୁକ୍ତ ହୋଇପାରନ୍ତେ ବୋଲି ମଧ୍ୟ ପରାମର୍ଶ ଆସିଛି। ପ୍ରଶାସନ ଏଦିଗରେ ଧ୍ୟାନ ଦେବାପାଇଁ ଦାବି ହୋଇଛି।
ଭୋର୍ ଓ ରାତିରେ ପୁଲିସଙ୍କ ଦେଖାମିଳୁନି
ଆଜିର ଏହି ଅଘଟଣ ସମୟରେ ଶ୍ରୀମନ୍ଦିର ପରିସରରେ ଆବଶ୍ୟକ ସଂଖ୍ୟକ ପୁଲିସ ନଥିଲେ। ସେବାୟତମାନେ ଅଭିଯୋଗ କରିଛନ୍ତି ଯେ ପୂର୍ବାହ୍ନ ୫ଟାରୁ ସାଢ଼େ ୬ଟା ଓ ରାତି ୯ରୁ ୧୦ଟା ମଧ୍ୟରେ ଶ୍ରୀମନ୍ଦିର ଭିତରେ ପୁଲିସମାନଙ୍କ ଦେଖା ମିଳେନାହିଁ। ତେଣୁ ଶ୍ରୀମନ୍ଦିରରେ ସବୁବେଳେ ଏହିଭଳି ଦଳାଚକଟା ପରିସ୍ଥିତି ଦେଖାଯାଇଥାଏ। ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଦୈନିକ ହଜାର ହଜାର ଭକ୍ତ ଆସୁଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉନାହିଁ। ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନେ ଶ୍ରୀମନ୍ଦିର ବାହାରେ ରହି ଭିଡ଼ ନିୟନ୍ତ୍ରଣକୁ ପରିଚାଳନା କରୁଥିବା ବେଳେ ଶ୍ରୀମନ୍ଦିର ପରିସରରେ ଅନଭିଜ୍ଞ ସିପାହୀଙ୍କୁ ଛାଡ଼ିଦେଇ ଅଚିନ୍ତାରେ ରହିଯାଉଛନ୍ତି। ତେଣୁ ଶ୍ରୀମନ୍ଦିର ପରିସରରେ ଅଭିଜ୍ଞ ପୁଲିସମାନଙ୍କୁ ନିୟୋଜିତ କରାଗଲେ ହିଁ ଏହି ସମସ୍ୟାର ପ୍ରକୃତ ସମାଧାନ ହୋଇପାରିବ ବୋଲି ସେବାୟତମାନଙ୍କ ମଧ୍ୟରୁ ପରାମର୍ଶ ଆସିଛି।
ଶ୍ରୀମନ୍ଦିରରେ ଅଭିଜ୍ଞ ସମ୍ପନ୍ନ ପୁଲିସଙ୍କୁ ନିୟୋଜିତ କରାଯାଉ
ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ଅନଭିଜ୍ଞ ପୁଲିସମାନଙ୍କୁ ନିୟୋଜିତ କରାଯାଉଛି। ଯେଉଁ ଅନଭିଜ୍ଞ ପୁଲିସମାନେ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ ନିୟୋଜିତ ରହୁଛନ୍ତି, ସେମାନେ ଭକ୍ତମାନଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଭିଡ଼କୁ ଶୃଙ୍ଖଳିତ ଭାବେ ନିୟନ୍ତ୍ରଣ କରିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଯଦି ଅଭିଜ୍ଞତା ସମ୍ପନ୍ନ ପୁଲିସମାନଙ୍କୁ ସିଂହଦ୍ବାର, ଶ୍ରୀମନ୍ଦିର ପରିସରରେ ନିୟୋଜନ କରାଯାଏ ତେବେ ସେମାନେ ଠିକ୍ ନିଷ୍ପତ୍ତି ନେଇ ଭିଡ଼ନିୟନ୍ତ୍ରଣ କରିବା ସହ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇପାରିବେ।