ଆରପାରିରେ ଆଲବମ୍‌ କୁଇନ୍‌ ଦୀପା ସାହୁ

ଭୁବନେଶ୍ୱର : ଓଡ଼ିଆ ଆଲବମ୍‌ ଜଗତର ରାଣୀ ଦୀପା ସାହୁ ଆଉ ନାହାନ୍ତି। ସ୍ପର୍ଶ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍‌ଣ ୪ଟା ୨ରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୩୭ ବର୍ଷ ହୋଇଥିଲା। ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଆଜି ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ତାଙ୍କ ସହ ଆଲବମ୍‌ରେ ଅଭିନୟ କରିଥିବା ବହୁ ଅଭିନେତା ଓ ପ୍ରଶଂସକ ଦୀପାଙ୍କୁ ଶେଷଥର ପାଇଁ ଦେଖିବାକୁ ସବୁ କଟକଣା ସତ୍ତ୍ବେ ହସ୍ପିଟାଲ୍‌କୁ ଧାଇଁ ଆସିଥିଲେ।

ଦୀପା କିଛି ବର୍ଷ ତଳେ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା। ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ମାତ୍ର କିଛିଦିନ ପୂର୍ବରୁ ନୀଳାଦ୍ରିବିହାରସ୍ଥିତ ଘରକୁ ଫେରି ଆସିଥିଲେ। ପୁଣି ଯେବେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା କଟକଣା ଯୋଗୁଁ ଆଉ ମୁମ୍ବାଇ ଯାଇପାରିନଥିଲେ। ଅବସ୍ଥା ଗୁରୁତର ହେବାରୁ ଜୁନ୍‌ ୨୦ ତାରିଖରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଶେଷରେ କିଛି କଳାକାରଙ୍କ ସହଯୋଗରେ ତାଙ୍କୁ ଏମ୍‌ସ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସା ଚାଲିଥିବାରୁ ଅର୍ଥାଭାବ ଦେଖା ଦେଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ କଳାକାରମାନେ ଏକତ୍ରିତ ହୋଇ ଆର୍ଥିକ ସହାୟତା ‌ଯୋଗାଇ ଦେଇଥିଲେ। ଓଏସ୍‌ଟିଏଫ୍‌ ପାଣ୍ଠି ଓ କଳାକାର ସଂଘ ପକ୍ଷରୁ ମଧ୍ୟ କିଛି ଆର୍ଥିକ ସହାୟତା ଦିଆଯାଇଥିଲା। ଏଣେ ଏମ୍‌ସ‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ତାଙ୍କୁ ଘରକୁ ଅଣାଇଥିଲା। ପୁନର୍ବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ରବିବାର ତାଙ୍କୁ ସ୍ପର୍ଶ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଗତକାଲି ରାତି ୧୧ଟାରେ ଅବସ୍ଥା ବିଗିଡ଼ିବା ସହ ଶରୀରର ସବୁ ଅଙ୍ଗ ଧୀରେଧୀରେ ଅଚଳ ହୋଇଯାଇଥିଲା। ଶେଷରେ ଆଜି ଅପରାହ୍‌ଣରେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ।

Sambad English

ଢେଙ୍କାନାଳର ଭାପୁର ନିକଟସ୍ଥ ବାଲିଆମ୍ବାରେ ୧୯୮୩ ମସିହା ନଭେମ୍ବର ୧ରେ ଜନ୍ମିତ ଦୀପାଙ୍କର ପିଲାବେଳୁ ନୃତ୍ୟ ପ୍ରତି ସଉକ ଥିଲା। ସେ ଓଡ଼ିଶୀ ନୃତ୍ୟ ଶିଖୁଥିବା ବେଳେ ଆଲବମ୍‌ରେ ଅଭିନୟର ସୁଯୋଗ ପାଇଲେ। ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି.., ହାଏ ହାଏ ତୋ ମଲ୍ଲି ଫୁଲ ଗଜରା.., ଏକଡ଼ା ଏକଡ଼ା ରା… ଭଳି ହିଟ୍‌ ‌ଗୀତ ଭେଟି ଦେଇଥିବା ଦୀପା ଶତାଧିକ ଆଲବମ୍‌ରେ ଅଭିନୟ ସହ ଆଲବମ ରାଣୀ ପାଲଟି ଯାଇଥିଲେ। ନାରୀ ଆଖିରେ ନିଆଁ, ସୁନା ଚଢ଼େଇ ମୋ ରୁପା ଚଢ଼େଇ ଓ କଲେଜ୍‌ ଟାଇମ ଭଳି ଫିଲ୍ମ ସହ ‘ବଡ଼ ଘର ବଡ଼ ଗୁମର କଥା’ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ।

ଦୀପାଙ୍କ ସ୍ବାମୀ ମନୀନ୍ଦ୍ରନାଥ ଦତ୍ତଙ୍କ ସୂଚନା ଅନୁଯାୟୀ ଦୀପାଙ୍କ ଶେଷ ଇଚ୍ଛା ମୁତାବକ ତାଙ୍କୁ ଢେଙ୍କାନାଳସ୍ଥିତ ଗ୍ରାମକୁ ନିଆଯାଇ ଗାଁ’ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ଦୀପାଙ୍କର ସାଇନି ନାମକ କନ୍ୟା ସନ୍ତାନ ଅଛନ୍ତି। ଏଲିନା, ସୁମନ, ଦେବାଶିଷ, ବିଦୁସ୍ମିତା, ଅଖିଳଙ୍କ ଭଳି କଳାକାର ଓ ବହୁ ପ୍ରଶଂସକ ଶେଷ ଦର୍ଶନ ପାଇଁ ହସ୍ପିଟାଲ୍‌ ସମ୍ମୁଖରେ ଭିଡ଼ ଜମାଇଥିଲେ।

ସମ୍ବନ୍ଧିତ ଖବର