ସୁନ୍ଦରଗଡ଼/ଗୁରୁଣ୍ଡିଆ : ଗୋଟିଏ ପଟେ ମଦ ଏବଂ ଅନ୍ୟପଟେ ଅନ୍ଧବିଶ୍ବାସ। ଏଥିପାଇଁ ଦୁଇଟି ଜୀବନ ଯାଇଛି।
ସେଥିମଧ୍ୟରୁ ଗୋଟିଏ ଘଟଣା ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ଘଟିଛି। ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ପ୍ରାଣ ହରାଇଛି। ମୃତା ମହିଳା ହେଲେ ନିୟତି। ଘରେ ସ୍ତ୍ରୀ ଥିବା ସତ୍ତ୍ବେ ରାଜୁ ଏକ୍କା ନାମକ ଜଣେ ବ୍ୟକ୍ତି ମଙ୍ଗଳବାର ଦିନ ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଘରକୁ ନେଇ ଆସିଥିଲା। ଏହାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଇଥିଲା। ଉଭୟେ ଥାନାକୁ ମଧ୍ୟ ଯାଇଥିଲେ। ସେଠାରୁ ବୁଝାସୁଝା ପରେ ଘରକୁ ଫେରି ଯାଇଥିଲେ। ତେବେ, ଘରେ ରାତିରେ ପୁଣି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେତେବେଳେ ମଦନିଶାରେ ଚୁର୍ ଥିବା ସ୍ବାମୀ ରାଜୁ ହଠାତ୍ ରାଗିଯାଇ ଘର କୋଣରେ ଥିବା ଟାଙ୍ଗିଆ ଆଣି ସ୍ତ୍ରୀ ନିୟତିଙ୍କୁ ନିର୍ମମ ଭାବେ ହାଣି ପକାଇଥିଲା। ନିୟତି କିଛି ସମୟ ଛଟପଟ ହୋଇ ନିଶ୍ଚଳ ହୋଇଯାଇଥିଲେ। ଏହାପରେ ନିଶାସକ୍ତ ସ୍ବାମୀ ପାଖରେ ଥିବା ଏକ ଘରେ ଶୋଇପଡ଼ିଥିଲା। ଘଟଣା ସମ୍ପର୍କରେ ତାଙ୍କ ପୁଅ ପଡ଼ୋଶୀଙ୍କୁ କହିବାପରେ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି।
ସେହିପରି ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ୍ ବନେଇକେଲା ଗ୍ରାମର ମାଣିକ ନାଏକ (୨୫)ଙ୍କ କ୍ଷେତ୍ରରେ ‘ଟିବି ହାରିବ ଦେଶ ଜିତିବ’ କେବଳ ସ୍ଲୋଗାନ୍ରେ ସୀମିତ ହୋଇ ରହିଯାଇଛି। ମାଣିକ ଯକ୍ଷ୍ମା ହେବା ଜାଣି ଉପଖଣ୍ଡ ଚିକିତ୍ସାଳୟରୁ ପ୍ରଥମ ଡୋଜ୍ ଔଷଧ ଆଣିଥିଲେ। ଆଶାଦିଦି ମଧ୍ୟ ଘରକୁ ଆସି ଦୈନିକ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ତାଙ୍କ ଶାଶୂ ଔଷଧ ନ ଖାଇବାକୁ କହି ଚେରମୂଳି ଖାଇବାକୁ ଦେଉଥିଲେ। ଅନ୍ୟପକ୍ଷରେ ରକ୍ତହୀନତା ଯୋଗୁ ତାଙ୍କ ଶରୀରର ପୀଡ଼ା ଅସହ୍ୟ ହେଉଥିଲା। ଦୁଇଦିନ ତଳେ ବେହୋସ୍ ଅବସ୍ଥାରେ ମାଣିକଙ୍କୁ ପ୍ରଥମେ ବଣାଇ ଉପଖଣ୍ଡ ଚିକିତ୍ସାଳୟ ନେବାପରେ ସେଠାରୁ ରାଉରକେଲାସ୍ଥ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ନିଆଯାଇଥିଲା। ସେଠାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଣିକଙ୍କ ମୃତ୍ୟୁ ପରେ ତାଙ୍କର ଏକମାତ୍ର ଝିଅ ୫ ବର୍ଷର ପିଙ୍କି ମା’ଛେଉଣ୍ଡ ହୋଇଯାଇଛି। ଭିନ୍ନକ୍ଷମ ବାପା କିପରି ତାର ପ୍ରତିପୋଷଣ କରିପାରିବେ, ସେ ନେଇ ପ୍ରଶ୍ନ ଉଠୁଛି।
ଏଠାରେ ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ‘ସମ୍ବାଦ’ରେ ପିଙ୍କିର ହୃଦ୍ରୋଗ ଖବର ପ୍ରକାଶିତ ହେବା ପରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ୍ ଆର୍ବିଏସ୍କେ ସହାୟତାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାର ସଫଳ ଚିକିତ୍ସା କରାଯାଇଥିଲା। ଏଥିରେ ପିଙ୍କି ମରଣମୁହଁରୁ ବର୍ତ୍ତି ଯାଇଥିଲା। ମାତ୍ର ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମା ମାଣିକଙ୍କ ଜୀବନ ଚାଲିଯିବା ସାଧାରଣରେ ଗ୍ରହଣୀୟ ହେଉନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/dead-bbc-1.jpg)