ମଦ ନିଷେଧ ପ୍ରସଂଗ: ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ : ମଦ ନିଷେଧ ପ୍ରସଂଗରେ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜ‌ଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ପ୍ରସଂଗରେ ପରବର୍ତ୍ତୀ ଶୁଣାଣିର ଏକ ସପ୍ତାହ ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫କୁ ଧାର୍ଯ୍ୟ କରାଯାଇଛି।

ପ୍ରକାଶ୍ୟ ଯେ, ସାରା ରାଜ୍ୟରେ ସମସ୍ତ ପ୍ରକାର ମଦ ନିଷେଧ କରାଯାଉ ବୋଲି ଦାବି କରି ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ନିଷିଦ୍ଧ ମଦ ତିଆରି ଓ ବିକ୍ରିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଓଡ଼ିଶା ପ୍ରୋହିବିସନ୍ ଆକ୍ଟ, ୧୯୫୬ ଅନୁସାରେ ସାରା ରାଜ୍ୟରେ ମଦକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯିବା କଥା। ଏହି ଆଇନ ଏବେ ମଧ୍ୟ ବଳବତ୍ତର ଥିବାବେଳେ ନିୟମ ଅନୁସାରେ ରାଜ୍ୟରେ ସବୁ ପ୍ରକାର ମଦ ଉତ୍ପାଦନ ଓ ବିକ୍ରି ଉପରେ କଟକଣା ଜାରି କରାଯିବା କଥା। ଏହାପରେ ଏପ୍ରିଲ ୫ରେ ହାଇକୋର୍ଟ ଏହି ପ୍ରସଂଗରେ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ସମୟ ଲୋଡା ଯାଇଥିଲା।

ସମ୍ବନ୍ଧିତ ଖବର