ଗ୍ରାମାଞ୍ଚଳରେ ଖାଦ୍ୟ କମିଛି, ମଦ ବଢ଼ିଛି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦ୍‌ବେଗ

ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି

ଭୁବନେଶ୍ବର : ଗ୍ରାମାଞ୍ଚଳ ଲୋକେ ଖାଇବା କମାଇଲେ ଓ ରାଜ୍ୟରେ ମଦ ଦୋକାନ ପ୍ରସଙ୍ଗକୁ ନେଇ ଆଜି ଶୂନ୍ୟକାଳରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି। ଏମିତି ଯେ ମାନ୍ଦାବସ୍ଥାର ଓଡ଼ିଶା ଉପରେ ଠୋସ୍ ପ୍ରଭାବ କଣ ରହିଛି, ସେ ସଂକ୍ରାନ୍ତରେ ସ୍ବତନ୍ତ୍ର ଆଲୋଚନା ସହିତ ସଦସ୍ୟମାନେ ରାଜ୍ୟ ସରକାରଙ୍କ ଠାରୁ ଏକ ବିବୃତି ଦାବି କରିଥିଲେ। ଗୃହରେ ଏହାକୁ ନେଇ ବେଶ୍ କିଛି ସମୟ ସରଗରମ ଆଲୋଚନା ହୋଇଥିଲା।

ମାନ୍ଦାବସ୍ଥା ମାଡ଼ର ପ୍ରଭାବ ସଂପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ରିପୋର୍ଟ ପଢି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କର ଆଲୋଚନା ଆରମ୍ଭ କରିଥିଲେ। କହିଥିଲେ ଯେ ତଥ୍ୟ ସ୍ପଷ୍ଟ କରୁଛି, ୧୯୭୨-୭୩ ମସିହା ପରଠାରୁ ଏଭଳି ପ୍ରଭାବ କେବେ ପଡିନଥିଲା। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ସ୍ପଷ୍ଟ ସୂଚାଉଛି ଯେ ଓଡ଼ିଶା ଉପରେ ଜବରଦସ୍ତ ପ୍ରଭାବ ପଡିବ। କିନ୍ତୁ ଦୁର୍ଭାଗ୍ୟ ହେଉଛି, ଗ୍ରାମାଞ୍ଚଳରେ ଖାଦ୍ୟ ଖାଇବା କମୁଥିବା ବେଳେ ଓଡ଼ିଶାରେ କିନ୍ତୁ ମଦ ପିଇବା ବଢିଛି। ନୂଆ ମଦ ଦୋକାନ ଖୋଲାଯାଉଛି। ବିଦ୍ୟାଳୟ, ମନ୍ଦିର ଆଦି ନିକଟରେ ମଦ ଦୋକାନ ଖୋଲାଯାଉଛି। ବଲାଙ୍ଗୀରରେ ମଧ୍ୟ ଜାତୀୟ ରାଜପଥ ଉପରେ ମଦ ଦୋକାନ ଖୋଲାଯାଇଛି। ଏ ନେଇ ମନ୍ତ୍ରୀ ଦୃଷ୍ଟି ଦେବେ ବୋଲି କହିଥିଲେ। ଆଜି ବି ଅଛି, ଯେମିତି ଥିଲା। ସରକାର ବେଶିରୁ ବେଶି ମଦ ଦୋକାନ ଖୋଲିବାକୁ ଚାହୁଁଛନ୍ତି। ମଦୁଆ ଥିବା ପର୍ଯ୍ୟନ୍ତ ମଦ ବନ୍ଦ କରିବା ସମ୍ଭବ ନୁହେଁ। କିନ୍ତୁ ମଦ ବିକ୍ରି ଉପରେ କଟକଣା ଲଗାଇବା ଜରୁରୀ। ସହଜରେ ଯେମିତି ମଦ ନ ମିଳିବ, ସେ ନେଇ ପଦକ୍ଷେପ ନେବା ଆବଶ୍ୟକ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ଯେମିତି ଅବସ୍ଥାରେ ପହଞ୍ଚିଲାଣି ଯେ ଗାଁରେ ଜଣେ ଲୋକ ମାସକୁ ୫୮୦ ଟଙ୍କା ଖର୍ଚ୍ଚ କରୁଛି। ଗତ ଚାରି ଦଶନ୍ଧି ଭିତରେ ଏମିତି ସ୍ଥିତି ହୋଇନଥିଲା। ଭାରତ ସରକାର ବାହାଦୁରି ମାରୁଛନ୍ତି। ଲୋକଙ୍କ ଅବସ୍ଥା କିନ୍ତୁ ସାଂଘାତିକ ହେଲାଣି। ଅର୍ଥମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ଯେ ଓଡ଼ିଶାରେ ମାନ୍ଦାବସ୍ଥାର ପ୍ରଭାବ କିଭଳି ପଡିଛି। ଗୋଟିଏ ସମୟରେ ୪୭% ଦାରିଦ୍ର୍ୟ ସୀମାରେଖା ତଳେ ଥିବା କଥା କୁହାଯାଉଥିଲା। ଏବେ ୨୫% କମିଛି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁରସ୍କୃତ ହୋଇଛନ୍ତି। ଏଣୁ ଓଡ଼ିଶାର ସ୍ଥିତି ଗୃହ ସାମ୍ନାକୁ ଆସିବା ଦରକାର। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ମଧ୍ୟ କହିଥିଲେ ଯେ ଏବେ ମାନ୍ଦାବସ୍ଥା ମାଡ଼ରେ ଖାଉଟି ହନ୍ତସନ୍ତ ହେଲେଣି। ଅଭିବୃଦ୍ଧି ୪.୨%କୁ ଖସିଆସିଲେଣି। ୨ କୋଟି ଲୋକଙ୍କ ରୋଜଗାର ଉପରେ ମାଡ଼ ବସିଛି। ଏଣୁ ଦେଶର ଆର୍ଥିକ ସ୍ଥିତି ଓ ଓଡ଼ିଶା ଉପରେ ଏହାର ପ୍ରଭାବ ସଂପର୍କରେ ଗୃହରେ ଆଲୋଚନା ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର