୩୦ ବର୍ଷରେ ମଦ ନେଲାଣି ୨୪୧ ମୁଣ୍ତ

କଟକ : ଗୁଡ଼ ଓ ମହୁଲରୁ ତିଆରି ଦେଶୀ ମଦରେ ମିଶୁଛି ଗାଡ଼ିରେ ବ୍ୟବହୃତ ବ୍ୟାଟେରୀ ଗୁଣ୍ତ। ଏମିତିକି ୟୁରିଆ ସାର ସହିତ ଧୂପକାଠି ଓ ଘର ରଙ୍ଗରେ ବ୍ୟବହାର କରାଯାଉଥିବା ସ୍ପିରିଟ୍‌ ମଧ୍ୟ ମିଶାଯାଉଛି। ଅଧିକ ନିଶା ପାଇଁ ମଦ ମାଫିଆ ସମ୍ପୂର୍ଣ୍ଣ ବେଆଇନ ଢ˚ଗରେ ଦେଶୀ ମଦରେ ଏସବୁ ମିଶାଉଛନ୍ତି। ଫଳରେ ରାଜ୍ୟରେ ମଦ ମୃତ୍ୟୁ ଘଟଣା ବାରମ୍ବାର ଘଟୁଛି। ଜଣେ ବରିଷ୍ଠ ଅବକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ସାଧାରଣତଃ ମହୁଲ ଓ ଗୁଡ଼ରେ ପ୍ରସ୍ତୁତ କରାଯାଉଥିବା ଦେଶୀ ମଦ ପିଇଲେ ସହଜେ ମୃତ୍ୟୁ ହୁଏ ନାହିଁ। କିନ୍ତୁ ସେଥିରେ ସାର, ସ୍ପିରିଟ୍‌ ଓ ବ୍ୟାଟେରୀ ଗୁଣ୍ତ ଅଧିକ ନିଶା ହେବା ପାଇଁ ମଦ ମାଫିଆମାନେ ମିଶାଉଥିବାରୁ ମଦ ବିଷାକ୍ତ ହୋଇଯାଉଛି। ଏହି ବିଷାକ୍ତ ମଦ ପିଇଲେ ଆଖି ନଷ୍ଟ ହେବା ସହିତ ପେଟ ଫୁଲିଯାଏ। ପରେ ଲୋକେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ବିଷାକ୍ତ ମଦ ପିଇ ଗଲା ୩୦ ବର୍ଷରେ ଓଡ଼ିଶାରେ ୨୪୧ ଜଣଙ୍କ ମୃତ୍ୟୁ ଘଟିଲାଣି। ଗଲା ମଙ୍ଗଳ ବାର ଦିନ ଭଦ୍ରକ ଜିଲ୍ଲା ତିହିଡ଼ିରେ ୮ ଜଣଙ୍କ ମୃତ୍ୟୁ ଘଟଣାକୁ ମିଶାଇ ଭଦ୍ରକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩ ଥର ମଦ ମୃତ୍ୟୁ ଘଟିଲାଣି। ଏଥିରେ ମୋଟ ୨୭ ଜଣଙ୍କ ଜୀବନ ଗଲାଣି। ଓଡ଼ିଶାରେ ଶେଷ ଥର ପାଇଁ ୨୦୧୦ରେ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏଭଳି ମଦ ମୃତ୍ୟୁ ଘଟିଥିଲା। ଦୀର୍ଘ ୯ ବର୍ଷ ପରେ ପୁଣି ରାଜ୍ୟରେ ମଦ ମୃତ୍ୟୁ ଘଟିବା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି।

ରାଜ୍ୟ ଅବକାରୀ କମିସନଙ୍କ ମଦ ମୃତ୍ୟୁ ଜନିତ ରିପୋର୍ଟ ଅନୁଯାୟୀ ବାଲେଶ୍ବର ଜିଲ୍ଲା ନୀଳଗିରିରେ ୧୯୮୯ ଫେବ୍ରୁଆରି ୨ ତାରିଖରେ ୧୪ ଜଣଙ୍କ ମଦମୃତ୍ୟୁ ହୋଇଥିଲା। ଗୃହ ବିଭାଗ ପକ୍ଷରୁ ବାଲେଶ୍ବର ଏଡିଏମ୍‌ଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ୧୯୯୦ ମାର୍ଚ୍ଚ ୧୫ ତାରିଖରେ ଭଦ୍ରକରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। କଟକ ଆର‌୍‌ଡିସି ଘଟଣାର ତଦନ୍ତ କରିଥିଲେ। କଟକରେ ୧୯୯୨ ମସିହା ମେ ମାସରେ ୧୩୪ ଜଣଙ୍କ ମୃତ୍ୟୁ ଘଟଣାରେ ଆର‌୍‌ଡିସିଙ୍କ ପକ୍ଷରୁ ମେ ୮ ତାରିଖରେ ପ୍ରଶାସନିକ ତଦନ୍ତ କରାଯାଇଥିଲା। ପରେ ୧୯୯୩ ଜୁଲାଇ ୨୦ ତାରିଖରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବି.କେ. ବେହେରାଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିସନ ବସିଥିଲା। ଏହି ମଦ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ତରୁ ୧୧୦ ମୃତ ପରିବାର ଲୋକଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶୀ ପ୍ରଦାନ କରାଯାଇଥିଲା। ୧୯୯୪ ମସିହା ଅଗଷ୍ଟରେ ଗଞ୍ଜାମ ପୁରୁଷୋତ୍ତମପୁରରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ସେହି ମାସ ୮ ତାରିଖରେ ବ୍ରହ୍ମପୁର ଆର‌୍‌ଡିସିଙ୍କ ପକ୍ଷରୁ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଉକ୍ତ ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରାଯାଇ ଡିସେମ୍ବର ୨୦ ତାରିଖରେ ଜିଲ୍ଲା ଜଜ୍‌ଙ୍କ ଦ୍ବାରା ତଦନ୍ତ କରାଯାଇଥିଲା। ୧୯୯୬ ମସିହା ଏପ୍ରିଲ୍‌ରେ ଭଦ୍ରକର ୨ ଜଣଙ୍କ ମୃତ୍ୟୁ ପ୍ରସ˚ଗରେ ଅବକାରୀ କମିସନର ତଦନ୍ତ କରିଥିଲେ। ମୃତକଙ୍କୁ କୌଣସି ପ୍ରକାର ସହାୟତା ରାଶୀ ପ୍ରଦାନ କରାଯାଇନଥିଲା। ୨୦୦୧ ଫେବ୍ରୁଆରିରେ ପୁରୀରେ ୧୦ ଜଣ ଓ ଖୋର୍ଧାରେ ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଖୋର୍ଧା ଜିଲ୍ଲା ଓ ଦୌରା ଜଜ ଜଷ୍ଟିସ୍‌ ଏମ୍‌.ଏନ୍‌. ପଟ୍ଟନାୟକଙ୍କ ପକ୍ଷରୁ ଫେବ୍ରୁଆରି ୨୪ ତାରିଖରେ ଘଟଣାର ତଦନ୍ତ କରାଯାଇଥିଲା। ଏହି କମିସନ ୨୦୦୫ ଡିସେମ୍ବର ୨ ତାରିଖରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ମୃତକଙ୍କୁ କୌଣସି କ୍ଷତିପୂରଣ ରାଶୀ ପ୍ରଦାନ କରାଯାଇନଥିଲା। ୨୦୦୬ ମସିହା ମାର୍ଚ୍ଚ ଓ ଏପ୍ରିଲ୍‌ରେ ଗଞ୍ଜାମରେ ୨୯ ଜଣଙ୍କ ମୃତ୍ୟୁ ଘଟଣାରେ ସେହି ମାସ ୫ ତାରିଖରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରସନ୍ନ କୁମାର ପାତ୍ର କମିସନ ବସିଥିଲା। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୩ ମୃତକଙ୍କ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ରାଶୀ ପ୍ରଦାନ କରାଯାଇଥିଲା। ୨୦୦୯ ମେ ୪ ଓ ୫ ତାରିଖରେ ଖୋର୍ଧା ଜିଲ୍ଲା ବଡ଼ପୋଖରୀରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ କଟକ ଆର‌୍‌ଡିସିି ୫ ତାରିଖରେ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିଲା। ୨୦୦୯ ଜୁନ ୨୫ ଓ ୨୬ ତାରିଖରେ ବଲାଙ୍ଗୀର ଗଣ୍ତାପଲ୍ଲୀ ଓ ମୁଣ୍ତାପଲ୍ଲୀରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଜୁନ୍‌ ୨୬ ତାରିଖରେ ସମ୍ବଲପୁର ଆର‌୍‌ଡିସିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ରାଶୀ ପ୍ରଦାନ କରାଯାଇଥିଲା। କଟକ ସାଲେପୁରର ନାନପୁର ଓ କୁକୁଡାଙ୍ଗରେ ୨୦୧୦ ଫେବ୍ରୁଆରି ୨୭ ତାରିଖରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ୩୦ ବର୍ଷରେ ୧୩ ଥର ଘଟିଥିବା ମଦ ମୃତ୍ୟୁ ଘଟଣାରେ ମୋଟ ୨୪୧ ମୃତକଙ୍କ ମଧ୍ୟରୁ ୧୪୪ ଜଣ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ରାଶୀ ବଣ୍ଟନ କରାଯାଇଥିବା କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର