ମଦ ନିଷିଦ୍ଧ କଲେନି! : ୪ ମାସ ପାଇଁ ଅବକାରୀ ନୀତି ଘୋଷଣା ହେଲା, ଲାଇସେନ୍ସ ଫି’ ବଢ଼ାଇ ଦୋକାନ ନବୀକରଣ

ଭୁବନେଶ୍ବର : ରାଜ୍ୟରେ ମଦ ବିରୋଧରେ ଆନ୍ଦୋଳନ ଜୋର ଧରିଲାଣି। ବିଭିନ୍ନ ସଂସ୍ଥା ମଦ ନିଷିଦ୍ଧ କରିବା ଲାଗି ଚାପ ସୃଷ୍ଟି କରୁଛନ୍ତି। ମହିଳାମାନେ ମଦ ଦୋକାନ ଭାଙ୍ଗି ସେମାନଙ୍କର ଆକ୍ରୋଶ ଜଣାଇଲେଣି। ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀକୁ ସରକାର ପାଳନ କରୁଛନ୍ତି। ଏ ଅବସରରେ ଗତ ଅକ୍ଟୋବର ୨ ତାରିଖରେ ମଧ୍ୟ ବିଭିନ୍ନ ସାମାଜିକ ସଂଗଠନ, ଗାନ୍ଧୀବାଦୀ ନେତା ମଦ ନିଷିଦ୍ଧ କରିବା ଲାଗି ଆନ୍ଦୋଳନ କରିଥିଲେ।

ଆଶା କରାଯାଉଥିଲା, ସରକାର ରାଜ୍ୟରେ ମଦକୁ ନିଷିଦ୍ଧ କରିବେ। ମାତ୍ର ଏସବୁ ଚାପର ଆଦୌ ପ୍ରଭାବ ପଡିନାହିଁ। ବରଂ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ େକ୍ଷତ୍ରକୁ ସବୁଜ ସଙ୍କେତ େଦଇଛନ୍ତି। ଲାଇସେନ୍ସ ଫି ବଢାଇ ଦେଇଛନ୍ତି, କୋଟା ବି। ପୂର୍ବରୁ ୪ଟି ପୃଥକ୍ ବର୍ଗ କରି ଏହି ଫି ଆଦାୟ କରୁଥିଲେ। ଏଥର ଏହାକୁ ୬ଟି ବର୍ଗରେ ପରିଣତ କରାଯାଇଛି।

ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ରେ ସାଧାରଣ ନିର୍ବାଚନ ବର୍ଷ ହୋଇଥିବାରୁ ସରକାର ଏଥର ବର୍ଷିକିଆ ଅବକାରୀ ନୀତି ବଦଳରେ ୪ ମାସିଆ ନୀତି ନିର୍ଦ୍ଧାରଣ କରିଛନ୍ତି। ଅର୍ଥାତ୍ ମଦଦୋକାନ ଗୁଡ଼ିକର ଲାଇସେନସ ନବୀକରଣ ଏପ୍ରିଲରୁ ୨୦୧୯ ମସିହା ୩୧ ଜୁଲାଇ ପର୍ଯ୍ୟନ୍ତ ୪ ମାସ ପାଇଁ କରାଯାଇଛି। ନୂଆ ସରକାର ଆସିବା ପରେ ପୁଣି ଥରେ ଅବକାରୀ ଫି, ଅବକାରୀ ଶୁଳ୍କ ନେଇ ସମୀକ୍ଷା କରାଯିବ।

୨୦୧୯-୨୦ ପାଇଁ ଅବକାରୀ ବିଭାଗ ଧାର୍ଯ୍ୟ କରିଥିବା ନୀତିରେ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଅପମିଶ୍ରିତ ମଦ କାରବାରକୁ ନିୟନ୍ତ୍ରଣ କରିବା ସହିତ କମ ଆଲକୋହଲ ବ୍ୟବହୃତ ମଦ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଇଛି। ସେଥିପାଇଁ ଦେଶୀ ମଦ ଉତ୍ପାଦନ କରୁଥିବା ଆସ୍କା ଫର୍ଟି ମଦ ଉତ୍ପାଦନରେ ଆଲକୋହଲ ପରିମାଣ କମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଅବକାରୀ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡ଼ିକୁ ୬ଟି ଭୌଗଳିକ ଭାଗରେ ବିଭକ୍ତ କରାଯାଇ ଲାଇସେନସ ଫି ବୃଦ୍ଧି କରାଯାଇଛି। ପ୍ରଥମ ବର୍ଗରେ ଆସୁଥିବା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକ ୨୦୧୮-୧୯ ଆର୍ଥିକ ବର୍ଷରେ ଲାଇସନ୍ସ ଫି ବାବଦରେ ମାସିକ ୭୫ ହଜାର ଟଙ୍କା ଦେଉଥିଲେ। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ମାସିକ ଲାଇସେନ୍ସ ଫି ବାବଦରେ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେହିପରି ଦ୍ବିତୀୟ ବର୍ଗରେ ଆସୁଥିବା ରାଉରକେଲା ଓ ବ୍ରହ୍ମପୁର ମହାନଗର ନିଗମ ସମେତ ଅନୁଗୁଳ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ପୌରାଞ୍ଚଳରେ ଆଗରୁ ଲାଇସେନସ ଫି ବାବଦରେ ଥିବା ୭୫ ହଜାର ଟଙ୍କାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ତୃତୀୟ ବର୍ଗରେ ସମ୍ବଲପୁର ମହାନଗର ନିଗମ, କଟକ ମହାନଗର ସମେତ ବାଲେଶ୍ବର, ବରଗଡ଼, ଦେଓଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ସୁନ୍ଦରଗଡ଼, ଅନୁଗୁଳ ଓ କେନ୍ଦ୍ରାପଡ଼ାର ବିଜ୍ଞାପିତ ଅଞ୍ଚଳରେ ଠିପି ବନ୍ଦ ବିଦେଶୀ ମଦଦୋକାନଗୁଡ଼ିକ ୁଲାଇସେନସ ଫି ବାବଦରେ ମାସିକ ୮୦ ହଜାର ଟଙ୍କା ଦେବାକୁ ପଡ଼ିବ।

ସେହିପରି ନୂଆ ବିଜ୍ଞପ୍ତି ଅନୁଯାୟୀ ଚତୁର୍ଥ ବର୍ଗରେ ଆସୁଥିବା ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାର ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ମାସିକ ୬୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ପଞ୍ଚମ ଓ ଷଷ୍ଠ ବର୍ଗରେ ଆସୁଥିବା ବାକି ଅଞ୍ଚଳରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକ ମାସିକ ଲାଇସେନସ ଫି ବାବଦରେ ମାସିକ ଯଥାକ୍ରମେ ୪୮ ହଜାର ଓ ୪୦ ହଜାର ଟଙ୍କା ଦେବେ।

ସେହିପରି ପୁରୀ ପୌରନିଗମ ଅଞ୍ଚଳରେ ଦେଶୀ ମଦ ବିକୁଥିବା ଦୋକାନଗୁଡ଼ିକ ଲାଇସେନସ ଫି ବାବଦରେ ୧ ଲକ୍ଷ ୨୦ ହଜାର ଟଙ୍କା , ପୁରୀ ବାଦ ଅନ୍ୟ ପୌରାଞ୍ଚଳରେ ଥିବା ଦେଶୀ ମଦ ଦୋକାନଗୁଡ଼ିକୁ ୧ଲକ୍ଷ, ବିଜ୍ଞାପତି ପରିଷଦ ଅଞ୍ଚଳ ପାଇଁ ୮୦ ହଜାର ଓ ଅନ୍ୟ ଅଞ୍ଚଳରେ ଥିବା ଦେଶୀ ମଦ ଦୋକାନଗୁଡ଼ିକ ଲାଇସେନସ ଫି ବାବଦରେ ମାସିକ ୩୦ ହଜାର ଟଙ୍କା ଦେବେ। ଏହାବ୍ୟତୀତ ରାଜ୍ୟର ଆଦିବାସୀ ବହୁଳ ୨୧ଟି ଅବକାରୀ ଜିଲ୍ଲାରେ ଥିବା ମହୁଲ ଓ ପୋଚ ଦୋକାନ ମାସିକ ଲାଇସେନସ ଫି ଉପରେ ୧୫% ବୃଦ୍ଧି କରାଯାଇଛି।

ସରକାରଙ୍କ ନୂଆ ଅବକାରୀ ନୀତି ଅନୁଯାୟୀ, ଆଉ ଏଣିକି ଗ୍ରାମାଞ୍ଚଳରେ ଭାଙ୍ଗ, ଗଞ୍ଜେଇ ଓ ଅଫିମ ଦୋକାନ ଖୋଲିବାକୁ ଆଉ ଅନୁମତି ଦିଆଯିବନି। ସେହିପରି ଗ୍ରାମାଞ୍ଚଳରେ ଠିପି ଖୋଲା ମଦ ଦୋକାନ କାରବାର ପାଇଁ ମଦ କାରବାର କରିବାକୁ ନୂଆକରି ରେସ୍ତୋରାଁ ଖୋଲିବାକୁ ନିଷିଦ୍ଧ କରାଯାଇଛି।

ବିଭିନ୍ନ ବ୍ରାଣ୍ଡର ମଦ ଉପରେ ଲାଗୁଥିବା ଲେଭଲ ପଞ୍ଜିକରଣ ପାଇଁ ଲାଗୁଥିବା ଅଲଗା ଅଲଗା ସରକାରୀ ଫିକୁ ମିଶ୍ରଣ କରି ଏକାଥରକେ ଫି ଭରଣା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି।

ସମ୍ବନ୍ଧିତ ଖବର