ମଦ ଯୋଗୁଁ ଗ୍ରାମାଞ୍ଚଳରେ ଜନଜୀବନ ବିପନ୍ନ ‌ହେଉ ନାହିଁ: ମନ୍ତ୍ରୀ

ସମ୍ପୂର୍ଣ୍ଣ ନିଶା ନିବାରଣ ପ୍ରଶ୍ନକୁ ଏଡ଼ାଇଗଲେ

ଭୁବନେଶ୍ବର : ମଦ ପ୍ରଭାବରେ ଗ୍ରାମାଞ୍ଚଳରେ ଜନଜୀବନ ଓ ଅର୍ଥନୀତି ବିପନ୍ନ ହେଉଥିବା ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ। ମଦର ପ୍ରସାର କରି ଅବକାରୀ ରାଜସ୍ବ ବୃଦ୍ଧି କରିବା ତଥା ଗ୍ରାମାଞ୍ଚଳରେ ଜନଜୀବନ ନଷ୍ଟ କରିବା ସରକାରଙ୍କ ଅଭିପ୍ରାୟ ନୁହେଁ। ଚୋରା ମଦକୁ ପ୍ରତିହତ କରିବା ପାଇଁ ଓ କୌଣସି ଅଞ୍ଚଳରେ ମଦ୍ୟପାନ ସହ ଅଭ୍ୟସ୍ତ ଥିବା ବ୍ୟକ୍ତିମାନଙ୍କ ଚାହିଦାକୁ ଦୃଷ୍ଟି‌‌େର ରଖି ଉପଯୁକ୍ତ ମୂଲ୍ୟରେ ଠିକ୍ ମାନର ମଦ ଯୋଗାଇ ଦେବା ନିମନ୍ତେ ସରକାର ଲାଇସେନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ଖୁଚୁରା ବିକ୍ରୟ କେନ୍ଦ୍ର ନିମନ୍ତେ ଅନୁମତି ଦେଇଥା’ନ୍ତି। ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ‌ଦେଇଛନ୍ତି।

ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନ ଥିଲା, ଅବକାରୀ ରାଜସ୍ବ ବୃଦ୍ଧି ମଦର ପ୍ରସାରକୁ ଇଙ୍ଗିତ କରୁ ନାହିଁ କି? ମଦ ପ୍ରଭାବରେ ଛାତ୍ର-ଯୁବଗୋଷ୍ଠୀ ଉଦ୍‌ଭ୍ରାନ୍ତ ହେବା ସହ ଗ୍ରାମାଞ୍ଚଳରେ ଜନଜୀବନ ଓ ଅର୍ଥନୀତି ବିପନ୍ନ ହେଉଥିବାରୁ ସରକାର ନିରପେକ୍ଷ ସର୍ଭେ କରି ସନ୍ତୁଳିତ ଅବକାରୀ ନୀତି ଆଣିବେ କି ? ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଥିଲେ ଯେ ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟା ୨୦୧୪ ମସିହାରେ ୩୪୯୦ ଥିଲା ବେଳେ ୨୦୧୯ ମାର୍ଚ୍ଚ ସୁଦ୍ଧା ୩୫୭୬ଟି ବିଭିନ୍ନ କିସମର ଦେଶୀ ଓ ବିଦେଶୀ ମଦ ଦୋକାନ କାର୍ଯ୍ୟକ୍ଷମ ଅଛି। ଏହି ସମୟ ମଧ୍ୟରେ ଅବକାରୀ ରାଜସ୍ବ ୧୭୮୦.୨୯ କୋଟି ଟଙ୍କାରୁ ୩୯୨୫.୪୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅବକାରୀ ରାଜସ୍ବ ବୃଦ୍ଧି ମଦର ପ୍ରସାର ଯୋଗୁ ହେଉଥିବା କଥା ତଥ୍ୟଭିତ୍ତିକ ନୁହେଁ। ପ୍ରତି ବର୍ଷ ସରକାର ଏପ୍ରିଲ ୧ ତାରିଖରୁ ନୂଆ ଅବକାରୀ ନୀତି ପ୍ରଣୟନ କରିଥା’ନ୍ତି। ଅବକାରୀ ନୀତିରେ ଦେଶୀ, ବିଦେଶୀ ମଦ ଦୋକାନର ଲାଇସେନ୍ସ ଫି ଓ ଅବକାରୀ ଶୁଳ୍କ ଆଦି ବୃଦ୍ଧି କରିଥା’ନ୍ତି।

ସେହିପରି ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ସଂକ୍ରାନ୍ତରେ ଅନନ୍ତ ନାରାୟଣ ଜେନାଙ୍କ ଆଉ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଶୃଙ୍ଖଳା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଦ୍ୟପାନରେ ଅଭ୍ୟସ୍ତ ଥିବା ଜନସାଧାରଣଙ୍କୁ ସରକାରୀ ଅନୁମୋଦିତ ମଦ ଦୋକାନ ମାଧ୍ୟମରେ ସୁଲଭ ତଥା ଉତ୍ତମ ମାନର ମଦ ଯୋଗାଇ ଦିଆଯାଉଛି। ସମ୍ପୂର୍ଣ୍ଣ ନିଶା ନିବାରଣ ପରିବର୍ତ୍ତେ ଚୋରା ମଦ କାରବାରକୁ ପ୍ରତିହତ କରିବା ପାଇଁ ବ୍ୟାପକ ଅବକାରୀ ଧରପଗଡ଼ କାର୍ଯ୍ୟକ୍ରମ ନିୟମିତ ଚାଲୁ ରଖାଯାଇଛି।

ସମ୍ବନ୍ଧିତ ଖବର