ଭୁବନେଶ୍ବର: କିଛି ମାସ ତଳେ ଚିକିଟି ମଦମୃତ୍ୟୁକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଆଜି ଖୋଦ୍ ରାଜଧାନୀରେ ବିଷାକ୍ତ ମଦପିଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଯୁବକଦ୍ବୟ ହେଲେ ଲକ୍ଷ୍ମୀସାଗର ଥାନା ଲେଙ୍କାସାହିର ବିଶ୍ବଜିତ ବେଉରା(୨୬) ଓ ସନ୍ତୋଷ ନାୟର(୩୮)। ଖବର ପାଇ ଅବକାରୀ ଟିମ୍ ଓ ଲକ୍ଷ୍ମୀସାଗର ଥାନା ପୁଲିସ କଳ୍ପନାସ୍ଥିତ ମଦ ଦୋକାନକୁ ସିଲ୍ କରିବା ସହ ସେଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇଛି।
ସୂଚନା ମୁତାବକ, ଗତ ୪ ତାରିଖ ଦିନ ବିଶ୍ବଜିତ୍, ସନ୍ତୋଷ ଓ ସେମାନଙ୍କ ୨୦ରୁ ଅଧିକ ସାଙ୍ଗ ମିଶି ବାଙ୍କୁଆଳ ନଦୀପଠାରେ ଭୋଜି କରିଥିଲେ। ଭୋଜି ପାଇଁ ସେମାନେ କଳ୍ପନାସ୍ଥିତ ବିଦେଶୀ ମଦ ଦୋକାନରୁ ବିୟର ଓ ମଦ ନେଇଥିଲେ। ଭୋଜି ସରିବା ପରେ ପରେ ବିଶ୍ବଜିତ୍, ସନ୍ତୋଷ ଏବଂ ଅନ୍ୟ ୩ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୨ ତାରିଖ ଦିନ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆଜି ଅର୍ଥାତ ମଙ୍ଗଳବାର ସକାଳେ ବିଶ୍ବଜିତଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସକୁ କୌଣସି ସୂଚନା ଦିଆନଯାଇ ପରିବାର ଲୋକେ ସେମାନଙ୍କ ଦାହସଂସ୍କାର କରିଦେଇଥିଲେ। ବିଷାକ୍ତ ମଦ ପିଇ ରାଜଧାନୀରେ ଦୁଇ ଦୁଇ ଯୁବକଙ୍କ ଜୀବନ ଯିବା ଘଟଣା ପଦାକୁ ଆସିବା ପରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ କଳ୍ପନାସ୍ଥିତ ସରକାରୀ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ସିଲ୍ ହେଲା ମଦଦୋକାନ
ପରୀକ୍ଷା ପାଇଁ ଗଲା ନମୁନା
ନବନିର୍ମାଣ ଯୁବଛାତ୍ର ସଙ୍ଗଠନର ବିକ୍ଷୋଭ
ସ୍ଥିତି ଅଣାୟତ୍ତ ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଓ ଅବକାରୀ ଟିମ୍ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଯୁବକମାନଙ୍କୁ ବୁଝାସୁଝା କରିଥିଲେ। ପରେ ଅବକାରୀ ଟିମ୍ ଦୋକାନରୁ ୧୫ଟି ମଦ ଓ ୫ଟି ବିୟରର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇଥିଲା। ଏହାଛଡ଼ା ସିସିଟିଭି ମଧ୍ୟ ଯାଞ୍ଚ କରାଯାଇଥିଲା। ପ୍ରକୃତରେ ସେମାନେ ବା ସେମାନଙ୍କ ସହଯୋଗୀ ଏହି ଦୋକାନରୁ ମଦ ନେଇଛନ୍ତି କି ନାହିଁ? ତାର ମଧ୍ୟ ଯାଞ୍ଚ କରାଯାଇଥିଲା। ମଦ ଦୋକାନରୁ ତଥ୍ୟ ହାତେଇବା ପରେ ଅବକାରୀ ଟିମ୍ ଦୋକାନକୁ ସିଲ୍ କରିଥିଲା। ଅନ୍ୟପଟେ ପୁଲିସ ଓ ଅବକାରୀ ଟିମ୍ ପକ୍ଷରୁ କୁହାଯାଇଛି ଯେ ଯଦି ବିଷାକ୍ତ ମଦପିଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ଶବ ବ୍ୟବଚ୍ଛେଦ କାହିଁକି କରାଇଲେ ନାହିଁ କି ମୃତ୍ୟୁ ଖବର ପୁଲିସକୁ ଜଣାଇଲେ ନାହିଁ? ପୁଲିସକୁ ନଜଣାଇ ଶବଦାହ କରିଦେଲେ? ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ସମସ୍ତ ଦିଗକୁ ନେଇ ପୁଲିସ ଓ ଅବକାରୀ ଟିମ୍ ତଦନ୍ତ କରୁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।
ଅନ୍ୟପଟେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି ଯେ ବିଜେପି ମଦ ମୁକ୍ତ ଓଡ଼ିଶା ପାଇଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲା। ଏହା ଭିତରେ ସରକାର ଗଠନକୁ ବର୍ଷେ ବିତିଗଲାଣି। ମଦମୁକ୍ତ ବଦଳରେ ମଦଦୋକାନ ବଢ଼ିଚାଲିଛି। ମଦ ଯୋଗୁ ଲୋକଙ୍କ ଜୀବନ ଯାଉଛି। ସେମିତି ଅପରାଧ ବଢ଼ୁଛି ଓ ଦୁର୍ଘଟଣା ଯୋଗୁ ଅକାଳ ମୃତ୍ୟୁ ଘଟୁଛି। ହେଲେ ସରକାର ସେଥିପ୍ରତି ଗୁରତ୍ବ ଦେଉନାହାନ୍ତି। ଖାଲି ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।