ଭୁବନେଶ୍ୱର : ମଦ ଦୋକାନୀଙ୍କୁ ଆଉ ଏକ ସରକାରୀ ଛାଟ ବାଜିଛି। ଷ୍ଟକ୍ ଓ ବେପାର ବାବଦରେ ତଥ୍ୟ ଲୁଚାଉଥିବା ବେପାରୀଙ୍କ ଖସିବା ବାଟ ବନ୍ଦ କରିବାକୁ ଯାଉଛନ୍ତି ସରକାର। ସମସ୍ତ ଦୋକାନୀ ଏବେ ସରକାରଙ୍କ ଓଏସ୍ବିସି ୱେବ୍ସାଇଟ୍ରେ ନିଜକୁ ପଞ୍ଜୀକୃତ କରିବେ। ଦୋକାନରେ ଥିବା ଷ୍ଟକ୍ ସହ ଉପଲବ୍ଧ ବ୍ରାଣ୍ଡ ବାବଦରେ ସମସ୍ତ ତଥ୍ୟ ଅପ୍ଲୋଡ୍ କରିବେ। ଦୁଇଦିନ ମଧ୍ୟରେ ଏହି ପ୍ରକ୍ରିୟା ପୂରଣ କରିବାକୁ ଅବକାରୀ ଆୟୁକ୍ତ ଅଞ୍ଜନ ମାଣିକ ସମସ୍ତ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାତିରେ ହିଁ ଏହି ଅବଧି ଶେଷ ହେଉଛି। ଅନେକ ଦୋକାନୀ ଅଦ୍ୟାବଧି ଅନ୍ଲାଇନ୍ରେ ପଞ୍ଜୀକରଣ କରିନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସରକାର ଅନ୍ଲାଇନ୍ରେ ମଦ ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ହେଲେ କେଉଁ ଦୋକାନୀ ପାଖରେ କେଉଁ ବ୍ରାଣ୍ଡର କେତେ ଷ୍ଟକ୍ ଅଛି, ତାହା ସରକାର ଜାଣି ନାହାନ୍ତି। ଯଦିଓ ସରକାରଙ୍କୁ ଗୋଟି ଗୋଟି ହିସାବ ଦେବାକୁ ନିୟମ ରହିଛି, କେହି ଜଣାଉନାହାନ୍ତି। ଅବକାରୀ ବିଭାଗ-ବ୍ୟବସାୟୀ ହାତ ମିଳାଇ ବେଆଇନ ବେପାରରେ ମାତିଥିବାରୁ ଏହା ସମ୍ଭବ ହୋଇ ପାରୁନାହିଁ। ଏବେ ମଦ ହୋମ୍ ଡେଲିଭରି ହେଉଥିବାରୁ ଅନ୍ଲାଇନ୍ରେ ସମସ୍ତ ତଥ୍ୟ ଉପଲବ୍ଧ ହେବା ଆବଶ୍ୟକତା ରହିଛି। ତା’ ଛଡ଼ା ଅନ୍ଲାଇନ୍ରେ ଗ୍ରାହକ କିଣିବା ଲୋଭରେ ଠକାମିର ଶିକାର ହେଉଥିବା ନଜରକୁ ଆସୁଛି। ଏଣୁ ଏହି ବେପାରରେ ଏବେ ସ୍ବଚ୍ଛତା ସହ ଏକକ ପ୍ରଣାଳୀରେ ବେପାର ହେବା ବାଞ୍ଛନୀୟ ହୋଇଛି। ଏଣୁ ସମସ୍ତ ଦୋକାନୀ ପଞ୍ଜୀକୃତ ହେବା ସହ ତଥ୍ୟ ଅପ୍ଲୋଡ୍ ପାଇଁ କୁହାଯାଇଛି। ଯଦିଓ ଏହି ନିର୍ଦ୍ଦେଶନାମା ଅନୁଯାୟୀ ଅନ୍ଲାଇନ୍ରେ ନିଜକୁ ପଞ୍ଜୀକୃତ ନ କଲେ, କ’ଣ କାର୍ଯ୍ୟାନୁଷ୍ଠାନ ହେବ ତାହା କୁହାଯାଇ ନାହିଁ, ସରକାର କିନ୍ତୁ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ପଞ୍ଜୀକୃତ ନ ହେଲେ ଯେଉଁ କାର୍ଯ୍ୟାନୁଷ୍ଠାନ ହେବ, ତାହାର ପ୍ରଭାବ ବ୍ୟବସାୟୀଙ୍କ ଲାଇସେନ୍ସ ଉପରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/alcohol-shop-1.jpg)