ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ସିଲେରୁ ନିକଟ ଚିନ୍ତାପଲ୍ଲୀ ଗାଁରେ ଟ୍ରିପଲ୍ ମର୍ଡର ଘଟିଛି। ନିଶାଗ୍ରସ୍ତ ଭିଣୋଇ ନିଜର ୩ ଶାଳକଙ୍କୁ ଧାରୁଆ ଅସ୍ତ୍ର ଓ ଧନୁତୀରରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଛି। ମୃତକ ୩ଜଣ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ କୋପାଗୁଡ଼ା ଗ୍ରାମର ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଖେମୁଡ଼ୁ ବୋଲି ଜଣାପଡ଼ିଛି। ଖବର ଜଣାପଡ଼ିବା ପରେ ଚିତ୍ରକୋଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସିଲେରୁ ଥାନାରେ ମାମଲା ରୁଜୁ ହୋଇଛି ଓ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଆନ୍ଧ୍ରର ଚିନ୍ତାପଲ୍ଲୀ ଗ୍ରାମରେ କୋପାଗୁଡ଼ା ଗ୍ରାମର ମୃତ ରାଜୁ ଖେମୁଡୁଙ୍କ ଭଉଣୀ ବିବାହ କରିଛନ୍ତି। ଭଉଣୀଙ୍କ ଶ୍ବଶୁର ଘରେ କୌଣସି ବ୍ୟକ୍ତିଙ୍କ ଦେହାନ୍ତ ପରେ ତିନି ଭାଇ ରାଜୁ, କୁଞ୍ଜ ଓ କ୍ରିଷ୍ଣା ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ସେଠାକୁ ଯାଇଥିଲେ। ଦଶାହ କାର୍ଯ୍ୟ ସରିବା ପରେ ରବିବାର ରାତିରେ
ଭିଣୋଇ ଘେନୁ ହନ୍ତାଳ ନିଶାଗ୍ରସ୍ତ ଅବସ୍ଥାରେ ପତ୍ନୀଙ୍କ ସହିତ ଗଣ୍ଡଗୋଳ କରିବା ସହିତ ମାରପିଟ କରିଥିଲା। ଭଉଣୀ ସହିତ କାହିଁକି ମାରପିଟ କରୁଛ କହି ୩ଭାଇ ବିରୋଧ କରିଥିଲେ। ଏଥିରେ ଘେନୁ ଉତ୍ତ୍ୟକ୍ତ ହୋଇ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଫଳରେ କୁଞ୍ଜ ଓ ରାଜୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପରେ କ୍ରିଷ୍ଣାଙ୍କୁ ତୀର ମାରିବାରୁ ସେ ଗୁରୁତର ଆହତ ହୋଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଚିନ୍ତାପଲ୍ଲୀ ଏଏସ୍ପି ନବଜ୍ୟୋତି ମିଶ୍ର ଘଟଣାର ତଦନ୍ତ କରୁଛନ୍ତି।