ମଦ ବୋଝେଇ ଗାଡ଼ି ପୋଡ଼ି ମାମଲା: ମାଓନେତା ସବ୍ୟସାଚୀ ନିର୍ଦ୍ଦୋଷ

ଭଞ୍ଜନଗର: ଏକ ମଦ ବୋଝେଇ ମାରୁତି ଓମ୍‌ନି ଭ୍ୟାନ୍ ପୋଡ଼ି ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ବୁଧବାର ନିର୍ଦ୍ଦୋ‌ଷରେ ଖଲାସ ହୋଇଛନ୍ତି। ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଡ. ଅରୁଣ କୁମାର ସାହୁ ଉକ୍ତ ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ରାୟ ଶୁଣାଇଥିବା ବରିଷ୍ଠ ଆଇନଜୀବୀ ଏମ୍‌ତାଜ୍ ଆଦେନୀ ସୂଚନା ଦେଇଛନ୍ତି।

୨୦୧୦ ମସିହାରେ ଜଣେ ବ୍ୟକ୍ତି ତାଙ୍କର ଦୁଇ ସହଯୋଗୀଙ୍କ ସହ ମାରୁତି ଓମ୍‌ନି ଭ୍ୟାନ୍‌ରେ ମଦ ନେଇ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଚ୍ଛା ଗ୍ରାମକୁ ଯାଉଥିଲେ। ଏହି ସମୟରେ ଦୁଇଜଣ ମାଓବାଦୀ ମଦ ବ୍ୟବସାୟ ନକରିବାକୁ ତାଗିଦ୍ କରିବା ସହ ଗାଡ଼ି ସହ ମଦକୁ ପୋଡ଼ି ଦେଇଥିଲେ। ଏ ନେଇ ସୋରଡ଼ା ଥାନାରେ ନଂ. ୩୫/୨୦୧୦ରେ ଏକ ମାମଲା ରୁଜୁ ସହ ସବ୍ୟସାଚୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସବ୍ୟସାଚୀ ୨୦୧୪ରେ ଗିରଫ ହେବା ପରେ ଭଞ୍ଜନଗର ଏଡିଜେ କୋର୍ଟରେ ମାମଲାର ବିଚାର ଆରମ୍ଭ ହୋଇଥିଲା।

ଭଞ୍ଜନଗର ଏଡିଜେ କୋର୍ଟରେ ମଧ୍ୟ ତାଙ୍କ ବିରୋଧରେ ଥିବା ଅନ୍ୟ ଦୁଇ ମାମଲାରେ ତିନି ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଗତକାଲି ଉପରୋକ୍ତ ମାମଲାରେ ସବ୍ୟସାଚୀଙ୍କ ବୟାନ ରେକର୍ଡ଼ କରାଯାଇଥିବା ବେଳେ ଆଜି ତାଙ୍କୁ କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲ୍‌ରୁ ଭଞ୍ଜନଗର ଅଣାଯାଇଥିଲା। ଶୁଣାଣି ପରେ ତାଙ୍କୁ ପୁଣି ବ୍ରହ୍ମପୁର ଜେଲ୍‌କୁ ନିଆଯାଇଛି।

ସମ୍ବନ୍ଧିତ ଖବର