ମଦ ନାଁରେ ବିଷ!

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ଫାଙ୍କିଦେଲେ
ସୁପ୍ରିମକୋର୍ଟଙ୍କ ଆପତ୍ତିକୁ ଗୁରୁତ୍ୱ ନାହିଁ
ମାଫିଆଙ୍କ ପାଇଁ ବାଜିରେ ଲାଗିଛି ଆଦିବାସୀଙ୍କ ଜୀବନ
ଅବକାରୀ ବିଭାଗ ନିରବଦ୍ରଷ୍ଟା, ସରକାର ବେଫିକର

ଭୁବନେଶ୍ୱର : ରେକ୍ଟିଫାଏଡ୍‌ ସ୍ପିରିଟ୍‌ରେ ମଦ ପ୍ରସ୍ତୁତି ଉପରେ କଟକଣା ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହାକୁ ସମର୍ଥନ ଦେଇ ଏଭଳି ସ୍ପିରିଟ୍‌ରେ ମଦ ପ୍ରସ୍ତୁତି ଉପରେ ଆପତ୍ତି ଉଠାଇଥିଲେ। ଖାସ୍‌ ସେଥିପାଇଁ ଦେଶୀ ମଦ ପ୍ରସ୍ତୁତି ପ୍ରକ୍ରିୟାରେ ସରକାର ପରିବର୍ତ୍ତନ ଆଣିଛନ୍ତି। ହେଲେ ଯେଉଁ ସ୍ପିରିଟ୍‌କୁ ବିଷ ବୋଲି କହି ବିଦେଶୀ ମଦ ପ୍ରସ୍ତୁତି କ୍ଷେତ୍ରରେ ଦୂରେଇ ଦିଆଯାଇଛି, ସେହି ସ୍ପିରିଟ୍‌ କିନ୍ତୁ ମହୁଲି ମଦ କ୍ଷେତ୍ରରେ ଖୋଲାଖୋଲି ବ୍ୟବହାର ହେଉଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।

ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ଅନୁସୂଚିତ ଜନଜାତି ବର୍ଗର ଲୋକମାନେ ଏହି ମଦ ବର୍ଷ ବର୍ଷ ଧରି ପିଉଛନ୍ତି। ବଡ଼ କଥା ହେଉଛି, ଏ ସଂପର୍କରେ ଜାଣି ବି ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ସାଧାରଣ ଲୋକଙ୍କ ଜୀବନ ପ୍ରତିବଦଳରେ ମାଫିଆଙ୍କ ପାଇଁ ସରକାର ବାଟ ଖୋଲା କରିବାକୁ ଯାଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

 

ଉଲ୍ଲେଖଯୋଗ୍ୟ, ୨୦୧୮-୧୯ ବର୍ଷ ଲାଗି ରାଜ୍ୟ ସରକାରଙ୍କ ଅବକାରୀ ନୀତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମ୍ଭବତଃ ଆସନ୍ତାକାଲି କ୍ୟାବିନେଟ୍‌ ମଞ୍ଜୁରି ପାଇଁ ଏ ସଂକ୍ରାନ୍ତ ପ୍ରସ୍ତାବ ଆସିପାରେ। ହେଲେ ମହୁଲି ମଦ ପ୍ରସ୍ତୁତି ଆଳରେ ରାଜ୍ୟ ସରକାର କିଭଳି ବିଷାକ୍ତ ମଦ ପ୍ରସ୍ତୁତିକୁ ଅନୁମତି ଦେଉଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ଦିନ ଦିପହରରେ ମହୁଲି ମଦ ନା’ରେ ବିଷ ମଦ ପ୍ରସ୍ତୁତି ଚାଲିଛି ଓ ଲୋକେ ଆକଣ୍ଠ ପାନ କରୁଛନ୍ତି। ଯେ କୌଣସି ମୁହୂର୍ତରେ ଏହା ଘାତକ ସାଜିପାରେ।

ପୂର୍ବରୁ ବିଜୁ ପଟ୍ଟନାୟକ ସରକାର ମହୁଲି ମଦ ପ୍ରଚଳନକୁ ଓଡ଼ିଶାରେ ନିଷିଦ୍ଧ କରିଥିଲେ। ହେଲେ ପରବର୍ତୀ ସମୟରେ ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ବିକାଶ ଓ ମହୁଲି ମଦ ସ୍ୱାସ୍ଥ୍ୟ ପାଇଁ ହିତକାରକ ବୋଲି ଦ୍ୱାହି ଦେଇ ଏହାର ପୁନଃ ପ୍ରଚଳନ ହୋଇଥିଲା। ହେଲେ ଏବେ ଏହି ମହୁଲି ମଦ ପ୍ରସ୍ତୁତି ବିପଜ୍ଜନକ ଜାଣି ସୁଦ୍ଧା ଅବକାରୀ ବିଭାଗ ବାବୁମାନେ ଖାସ୍‌ ଟିକସ ପାଇଁ ଲୋକଙ୍କ ଜୀବନ ସହିତ ଖେଳ ଆରମ୍ଭ କରିଛନ୍ତି। ଆଜି ଦିନରେ ଓଡ଼ିଶା ହେଉଛି, ଏକମାତ୍ର ରାଜ୍ୟ ଯେଉଁଠି ମହୁଲି ମଦର ପ୍ରଚଳନ କରାଯାଉଛି। ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟରେ ଆଦିବାସୀ ମହୁଲ ସଂଗ୍ରହ କରୁଥିଲେ ହେଁ, ସରକାର ସେଠାରେ ମଦ ପ୍ରଚଳନ ଲାଗି ଅନୁମତି ଦେଇନାହାନ୍ତି। ଏକଥା ମଧ୍ୟ ବାବୁମାନେ ଏଯାଏ ହେଜୁନାହାନ୍ତି ବା କାହିଁକି ସେସବୁ ରାଜ୍ୟ ଏ ଦିଗରେ ଆଗ୍ରହ ଦେଖାଉନାହାନ୍ତି, ସେ ନେଇ ଅନୁଧ୍ୟାନ ମଧ୍ୟ କରାଯାଉନାହିଁ।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ରେକ୍ଟିଫାଏଡ୍‌ ସ୍ପିରିଟ୍‌ ବ୍ୟବହାର ହେଉଥିବା ମଦ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହାନିକାରକ ହୋଇଥିବା କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ କଟକଣା ଜାରି କରିଛନ୍ତି। ଏଥିପାଇଁ ସରକାର ଏହାର ପୁନଃ ପ୍ରକ୍ରିୟାକରଣ କରି ନ୍ୟୁଟ୍ରାଲ ଆଲ୍‌କହଲ୍‌ ଜରିଆରେ ଦେଶୀ ମଦ ପ୍ରସ୍ତୁତି ଲାଗି ବାଟ ଖୋଲିଛନ୍ତି। ଏହାଦ୍ୱାରା ସ୍ୱାସ୍ଥ୍ୟ ହାନି ହେବ ନାହିଁ ବୋଲି ଦାବି କରାଯାଉଛି। ହେଲେ ମହୁଲି ମଦ କ୍ଷେତ୍ରରେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ନିୟମ ଓଲଟି ଯାଇଛି। ଏହାର ଖୋଲମ୍‌ଖୋଲା ଉଲ୍ଲଂଘନ ଚାଲିଛି।

ସାଧାରଣତଃ ମହୁଲକୁ ପଚାଇ ମଦ ପ୍ରସ୍ତୁତି କରିବା ଲାଗି ଅତିକମରେ ସାତ ଦିନ ସମୟ ଲାଗିଥାଏ। ଏହା ଅତ୍ୟନ୍ତ ସମୟ ସାପେକ୍ଷ। କେବଳ ସେତିକି ନୁହେଁ, ମହୁଲ ଦର ଉଚ୍ଚା ରହୁଥିବାରୁ କେବଳ ଏଥିରେ ମଦ ପ୍ରସ୍ତୁତ କଲେ, ଏହାର ଦାମ ମଧ୍ୟ ଅଧିକ ହେବା କଥା। ମାତ୍ର ଅବକାରୀ ବିଭାଗ ସହିତ ସଲାସୁତୁରା କରି ମାଫିଆମାନେ ମହୁଲି ମଦ ବଦଳରେ ଏବେ ଗୁ଼ଡରେ ମଦ ପ୍ରସ୍ତୁତ କରୁଥିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଛି। ଏହା ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ। କିଛି କ୍ଷେତ୍ରରେ ସେଥିରେ ୟୁରିଆର ଜବରଦସ୍ତ ବ୍ୟବହାର କରାଯାଉଛି। ମହୁଲରେ ୟୁରିଆ ପକାଇବା ଦ୍ୱାରା ଏହା ଶୀଘ୍ର ପଚୁଛି। ସମାନ୍ତରାଳ ଭାବେ ଏହା ବିଦେଶୀ ମଦ ଭଳି ଭିନ୍ନ ସ୍ୱାଦ ବି ଦେଉଛି।

ହେଲେ ୧୧ଟି ଜିଲ୍ଲାରେ ପ୍ରସ୍ତୁତ ହେଉଥିବା ମହୁଲି ମଦରେ ଆଲକହଲ୍‌ର ମାତ୍ରା କେତେ ରହିଛି, ନା ଏହା ମପାଯାଉଛି ନା ଏଥିପାଇଁ କିଛି ପ୍ରକ୍ରିୟା ଅଛି। ପରିଣାମ ହେଲା, ମହୁଲି ମଦ ପାନ କରି ଲୋକେ ସ୍ୱାସ୍ଥ୍ୟ ହାନିର ଶିକାର ହେଉଥିବା ଅଭିଯୋଗ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଲାଣି।

ସେହିଭଳି ମଦ ପ୍ରସ୍ତୁତି ବେଳେ ବ୍ୟବହାର ହେଉଥିବା ପାଣିର ମାନ ମଧ୍ୟ ତଦନ୍ତ ସାପେକ୍ଷ। ଏକଥାକୁ ତଳସ୍ତରରେ ଅଧିକାରୀମାନେ ଜାଣୁଛନ୍ତି, ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବିଷାକ୍ତ ମଦ ଜବତ ତାଲିକା ଦେଖିଲେ ଯେ କେହି ବୁଝିପାରିବ।

ଯେହେତୁ ଆଦିବାସୀଙ୍କ ପରମ୍ପରା ସହିତ ଏହା ଜଡିତ, ଏଥିପାଇଁ ମହୁଲି ମଦ କ୍ଷେତ୍ରରେ କେବଳ ଲାଇସେନ୍‌ସ ଫି ଦେବାକୁ ପଡିଥାଏ। ଡ୍ୟୁଟି ଆଦିର ବ୍ୟବସ୍ଥା ଏ କ୍ଷେତ୍ରରେ ନାହିଁ। ଏହାକୁ ଆଳ କରି ମନଇଚ୍ଛା ମଦ ରନ୍ଧା ଚାଲିଛି। ଆଦିବାସୀଙ୍କ ବ୍ୟବହାର ବା ସ୍ୱାସ୍ଥ୍ୟର ଆଳ ଦେଖାଇ ମୁଷ୍ଟିମେୟ ମାଫିଆ ସ୍ଥାନୀୟ ପ୍ରଶାସନ ଓ ରାଜନେତାଙ୍କୁ ସାଙ୍ଗରେ ନେଇ ୧୧ଟି ଜିଲ୍ଲାରେ ମଦ ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ ସରକାର କେତେ ରାଜସ୍ୱ ପାଉଛନ୍ତି, ତାହା ଯେତେ ବଡ଼ କଥା ନୁହେଁ, ତଳସ୍ତରରେ କୋଟି କୋଟି ଟଙ୍କାର କଳା କାରବାର ପାଇଁ ବାଟ ଖୋଲାଯାଇଛି। ସମାନ୍ତରାଳ ଭାବେ ଯେଉଁ ଆଦିବାସୀଙ୍କ ଲାଗି ସରକାର ମୁଣ୍ଡ କୋଡି କାନ୍ଦୁଛନ୍ତି, କିଛି ମାଫିଆଙ୍କ ସ୍ୱାର୍ଥ ପାଇଁ ସେମାନଙ୍କ ଜୀବନକୁ ବାଜି ଲଗାଯାଉଥିବା ଅଭିଯୋଗ ଜୋର ଧରିଲାଣି।

ସମ୍ବନ୍ଧିତ ଖବର