ଘଣ୍ଟାପଡ଼ା : କଣ୍ଟାମାଳ ଥାନା ବଡ଼ଛପାପାଲି ଗ୍ରାମର ସୁରୁ ଖଟୁଆ (୪୭) ଗୁରୁବାର ପୂର୍ବାହ୍ନରେ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇ କଣ୍ଟାମାଳ ଥାନା ସମ୍ମୁଖରେ ଥିବା ବରଗଛରେ ଚଢ଼ି ଯାଇଥିଲା। ଗଛରୁ ଡେଇଁବାକୁ ବାରମ୍ବାର ଧମକ ଦେଉଥିଲା। କଣ୍ଟାମାଳ ଥାନା ପକ୍ଷରୁ ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଦୁଇଘଣ୍ଟା ଧରି ଉଭୟ ପୁଲିସ ଏବଂ ଦମକଳ ବାହିନୀ ନାକେଦମ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୨ ଘଣ୍ଟା ପରେ ବ୍ୟକ୍ତି ଜଣକ ନିଜ ଇଚ୍ଛାରେ ଗଛରୁ ଓହ୍ଲାଇଥିବା ଜଣାପଡ଼ିଛି। ଓହ୍ଲାଇବା ପରେ ତାଙ୍କୁ ଥାନା ପକ୍ଷରୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଘଟଣାସ୍ଥଳରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ, କଣ୍ଟାମାଳ ଆଇଆଇସି ଅଶ୍ୱିନୀ ଭିତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟକ୍ତି ଜଣକ ମଦ ନିଶାରେ ପରିବାର ସହିତ ଝଗଡ଼ା କରି ଏପରି କାଣ୍ଡ ଭିଆଇଥିବା ପୁଲିସ କହିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।