ଆଳି: ସାମ୍ପ୍ରତିକ ସମୟର ଛାତ୍ରଛାତ୍ରୀ ଓ ଯୁବପିଢ଼ି ଦେଶ, ଜାତି, ନାଗରିକ ସମାଜ ପାଇଁ ତ୍ୟାଗ ସ୍ବୀକାର କରିଥିବା ସହଦେବ ଦାସଙ୍କ ପରି ସଂଗ୍ରାମୀମାନଙ୍କ ଜୀବନୀ ପୁସ୍ତକ ପଢ଼ନ୍ତୁ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୋଗ ବଦଳରେ ତ୍ୟାଗ ଓ ନିରବତା ପରିବର୍ତ୍ତେ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସଂଗ୍ରାମ କରିବା ଶିଖନ୍ତୁ। ତାହା ନ ହେଲେ ସ୍ବାଧୀନତା ସଂଗ୍ରାମୀ, ପ୍ରଜା ଆନ୍ଦୋଳନର ନେତା ସହଦେବ ଦାସଙ୍କ ପରି ବିପ୍ଳବୀମାନେ ଲହୁଲୁହ ଦେଇ ଯେଉଁ ଅତ୍ୟାଚାରୀ ବ୍ରିଟିସ ଶାସକ ଓ ରାଜତନ୍ତ୍ରକୁ ହଟାଇଥିଲେ; ସେହି ଅତ୍ୟାଚାରୀ, ସ୍ବେଚ୍ଛାଚାରୀ ଶାସନ ପୁଣିଥରେ ପ୍ରତିଷ୍ଠା ହେବ ବୋଲି ଆଳି ଗାନ୍ଧୀ ସହଦେବ ଦାସଙ୍କ ଜୀବନୀ ଆଧାରିତ ପୁସ୍ତକ ‘ଯଶୋଦେହେ ଚିରଞ୍ଜୀବୀ’ର ଲୋକାର୍ପଣ ସମାରୋହରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ନ’ମୌଜାସ୍ଥିତ ସାରସ୍ୱତ ମଣ୍ଡପରେ ଶୁକ୍ରବାର ପୂର୍ବାହ୍ଣରେ ସୁକାନ୍ତ ଦାସଙ୍କ ଦ୍ବାରା ସଙ୍କଳିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଗଣତନ୍ତ୍ରକୁ ହଟାଇ ନୂଆ ରୂପରେ ଆସୁଥିବା ରାଜତନ୍ତ୍ର ପ୍ରତି ସତର୍କ ରହିବା ବର୍ତ୍ତମାନ ସମୟର ବଡ଼ ଆହ୍ବାନ ବୋଲି କହିଥିଲେ।
ମହାନ୍ ସ୍ବାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ ଜନନେତା, ପୂର୍ବତନ ବିଧାୟକ ସହଦେବ ଦାସଙ୍କ ତ୍ୟାଗ ଓ ବଳିଦାନ ପାଇଁ ତାଙ୍କୁ ଆଳିରତ୍ନ ନୁହେଁ ସମଗ୍ର ବିଶ୍ୱର ଏକ ଅମୂଲ୍ୟ ରତ୍ନ ଭାବରେ ଅଭିହିତ କରାଯାଇପାରେ ବୋଲି ସମାରୋହର ମୁଖ୍ୟବକ୍ତା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସର୍ବୋଦୟ, ଭୂଦାନ ଆନ୍ଦୋଳନର ନେତା କୃଷ୍ଣ ସିଂ ମତବ୍ୟକ୍ତ କରିଥିଲେ। ସମ୍ମାନିତ ବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ସହଦେବ ଦାସଙ୍କ ଜୀବନୀ ଆଧାରିତ ପୁସ୍ତକ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଶ୍ରମିକ ନେତା ବିଷ୍ଣୁ ମହାନ୍ତି ନ୍ୟାଯ୍ୟ ଅଧିକାର ହାସଲ ପାଇଁ ସଂଘର୍ଷ ଓ ସଂଗ୍ରାମ ଲୋଡ଼ା ବୋଲି କହିଥିଲେ। ‘ସମ୍ବାଦ ସାହିତ୍ୟଘର’ ସଭାପତି ନୀଳାଦ୍ରିଭୂଷଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ସାହିତ୍ୟିକ କୃତିବାସ ଜେନାଙ୍କ ମହାବାତ୍ୟା ସ୍ମୃତି ଆଧାରିତ ‘ହଜିଥିବା ଠିକଣା’ ପୁସ୍ତକକୁ ମଧ୍ୟ ମୁଖ୍ୟ ଅତିଥି ସୌମ୍ୟରଂଜନ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ସମାରୋହରେ ‘ଯଶୋଦେହେ ଚିରଞ୍ଜୀବୀ’ର ସଂକଳକ ସୁକାନ୍ତ ଦାସ ଓ ‘ହଜିଥିବା ଠିକଣା’ର ଲେଖକ କୃତିବାସ ଜେନା ଲେଖକୀୟ ଅନୁଭୂତି ବର୍ଣ୍ଣନା କରିଥିଲେ। ବରିଷ୍ଠ ସାମ୍ବାଦିକ ସରୋଜ କୁମାର ଦାଶ ସହଦେବ ଦାସଙ୍କ ଜୀବନୀ ଆଧାରିତ ପୁସ୍ତକ ସମ୍ପାଦନା ଓ ପ୍ରକାଶନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ।
ଏହି ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରଞ୍ଜନ କୁମାର ପାତ୍ର, ଅଶୋକ ବାରିକ, ରାଜେନ୍ଦ୍ରପ୍ରସାଦ ବେହେରା, ମହାଦେବ ପଣ୍ଡାଙ୍କ ନେତୃତ୍ୱରେ ‘ସମ୍ବାଦ ସାହିତ୍ୟଘର’ ଓ ‘ଆମ ଓଡ଼ିଶା’ ସଦସ୍ୟମାନେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କୁ ବାଇକ୍ ଶୋଭାଯାତ୍ରାରେ ମେଣ୍ଢପୁର ହନୁମାନ ମନ୍ଦିର ନିକଟରୁ ସଭାସ୍ଥଳକୁ ପାଛୋଟି ନେଇଥିଲେ। ‘ସମ୍ବାଦ ସାହିତ୍ୟଘର’ର ପୂର୍ବତନ ସମ୍ପାଦକ ଅଶୋକ ବିଶ୍ବାଳ, ଅକ୍ଷୟ ଦାସ ମଞ୍ଚ ପରିଚାଳନା କରିଥିଲେ। ପ୍ରଦୀପ୍ତ ମହାପାତ୍ର ବେଦପାଠ ଓ କାର୍ଯ୍ୟକାରୀ ସଭାପତି ରଞ୍ଜନ ବେହେରା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ‘ସମ୍ବାଦ ସାହିତ୍ୟଘର’ ସମ୍ପାଦକ ସୁଶାନ୍ତ ନାୟକ ଆଳି ଗାନ୍ଧୀ ସହଦେବ ଦାସଙ୍କ ସଂକ୍ଷିପ୍ତ ଜୀବନୀ ପାଠ କରିଥିଲେ। ଉପଦେଷ୍ଟା ଗୋବିନ୍ଦଚନ୍ଦ୍ର ନନ୍ଦ ଧନ୍ୟବାଦ ଦେଇଥିଲେ। ଆଳି ‘ସମ୍ବାଦ ସାହିତ୍ୟଘର’ ସଂଯୋଜକ ପ୍ରମୋଦ ମଲ୍ଲିକ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।