ରାଉରକେଲା: ଏଏସ୍‌ଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ନେଉନି। ଏକ୍ସାଇଟେଡ୍‌ ଡେଲିରିୟମ୍‌ ଲକ୍ଷଣ ବା ଅତ୍ୟଧିକ ଉତ୍ତେଜନା କାରଣରୁ ଏଲିସଙ୍କ ମୃତ୍ୟୁ ହୋଇଥିବା ରାଉରକେଲା ଏସ୍‌ପି ସୂଚନା ଦେଇଥିଲେ। ତେବେ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ପରିବାରବର୍ଗ। ବାସ୍ତବରେ ହତ୍ୟାକାରୀଙ୍କୁ ସୁରକ୍ଷା ଦେବାକୁ ପୁଲିସ ମନଗଢ଼ା କାହାଣୀ କହୁଥିବା ମୃତକଙ୍କ ସ୍ବାମୀ ଅଭିଯୋଗ ଆଣିଛନ୍ତି। ଏହା ସହ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି।
Advertisment
ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ମୃତ ଏଏସ୍‌ଆଇ ଏଲିଶଙ୍କ ସ୍ବାମୀ ସଞ୍ଜୟ ଲାକ୍ରା କହିଲେ, ଘଟଣାର ପ୍ରଥମ ଦିନରୁ ପୁଲିସ କେବଳ ମିଛ କହୁଛି। ଏବେ ଏଲିଶଙ୍କୁ ରୋଗୀ ଦର୍ଶାଯାଉଛି, ଯାହାକି ନିନ୍ଦନୀୟ ଓ ଅଗ୍ରହଣୀୟ। ଏଯାଏ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ‘ଏକ୍ସାଇଟେଡ୍‌ ଡେଲିରିୟମ୍‌’କୁ ରୋଗର ସ୍ବୀକୃତି ଦେଇ ନଥିବା ବେଳେ କେଉଁ ଆଧାରରେ ରାଉରକେଲା ଏସ୍‌ପି ଏହି ରୋଗରୁ ଏଲିଶଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି? ଏମିତିକି ଏଲିଶଙ୍କ ଦେହରେ କ୍ଷତ ଚିହ୍ନ ନଥିବା ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍‌ପି କହିଥିଲେ। ବାସ୍ତବରେ ଏଲିଶଙ୍କ ଶରୀରର ଅନେକ ଅଙ୍ଗ, ଯଥା-ଗାଲ, ପେଟ, ପିଠି, ଗୋଡ଼, ବେକ ଆଦି ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନଟ ରହିଥିଲା। ଏମିତିକି ଶରୀରରେ କେତୋଟି ସ୍ଥାନରେ ରକ୍ତ ଜମାଟ ବାନ୍ଧି କଳା ପଡ଼ି ଯାଇଥିଲା। କେଉଁ କାରଣରୁ ରକ୍ତ ଜମାଟ ବାନ୍ଧିଲା? ଘଟଣା ଦିନ, ଅର୍ଥାତ୍‌ ଅକ୍ଟୋବର ୧ ତାରିଖରେ ଦୁର୍ଘଟଣାଗ୍ରସ୍ତ ବସ୍‌ର ମାଲିକ ଓ ତା’ଙ୍କ ପୁଅ ଏଲିଶଙ୍କୁ ୬/୭ ଜଣ ଯୁବକଯୁବତୀ ଘେରି ରହିଥିବା ମତବ୍ୟକ୍ତ କରିଥିଲେ।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ସହ ଏଲିଶଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ପୂର୍ବରୁ ଏସ୍‌ପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଯଦି ଉଭୟ ଘଟଣା ମଧ୍ୟରେ କୌଣସି ସମ୍ପର୍କ ନ ଥିଲା, ତା’ହେଲେ ସୁସ୍ମିତାଙ୍କ ପରିବାର ଲୋକ କ’ଣ ପାଇଁ ଏଲିଶଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ? ଚାଞ୍ଚଲ୍ୟକର ବିଷୟ ଆମର ହସ୍ତଗତ ହୋଇଛି। ସୁସ୍ମିତାଙ୍କ ମୃତ୍ୟୁର ଦିନକ ପୂର୍ବରୁ, ଅର୍ଥାତ୍‌ ସେପ୍ଟେମ୍ବର ୧୮ ତାରିଖ ମଧ୍ୟରାତ୍ରିରେ ସୁସ୍ମିତା ଉଦିତନଗର ଥାନାରେ କ’ଣ କରୁଥିଲେ ଓ ସେତେବେଳେ ଏଲିଶ ବି ସେଠାରେ ଥିଲେ କି ବୋଲି ସ୍ବାମୀ ଶ୍ରୀ ଲାକ୍ରା ପ୍ରଶ୍ନ କରିଥିଲେ। ଘଟଣା ଦିନ, ଅର୍ଥାତ୍‌ ଗତ ୧ ତାରିଖ ଅପରାହ୍‌ଣରେ ରିଂ ରୋଡ୍‌ସ୍ଥ ଆର୍‌ଏମ୍‌ସି ଛକ ନିକଟରେ ଏଏସ୍‌ଆଇ ଏଲିଶ କର୍ତ୍ତବ୍ୟରତ ଥିଲେ। ଉକ୍ତ ଦିନ ପ୍ରାୟ ୨.୫୮ ମିନିଟ୍‌ରେ ତାଙ୍କ ମୋବାଇଲ ଫୋନକୁ କଲ୍‌ କରି ଆମ୍ବେଦକର ଛକକୁ ଯାଇ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ କିଛି ଯୁବକଯୁବତୀ ଓ ବସ୍‌ ଚାଳକ, କଣ୍ଡକ୍ଟରଙ୍କ ମଧ୍ୟରେ ମାଡ଼ପିଟ୍‌ ହେଉଥିବା ଦର୍ଶାଇ ପୁନର୍ବାର ୩.୨୫ରେ କେବଳ ଦୁଇଜଣ କନଷ୍ଟେବଲଙ୍କ ସହ ଏଲିଶଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏହା କେବଳ ଏକ ସଂଯୋଗ ନା ଯୋଜନାବଦ୍ଧ ହତ୍ୟାର ଏକ ଅଂଶ? ଶବ ବ୍ୟବେଚ୍ଛଦ ରିପୋର୍ଟକୁ ନେଇ ମଧ୍ୟ ଆମକୁ ଅନ୍ଧାରରେ ରଖାଯାଇଛି।
ପ୍ରଥମ ବ୍ୟବଚ୍ଛେଦ ରିପୋର୍ଟ ଅକ୍ଟୋବର ୮ ଓ ଭିସେରା ରିପୋର୍ଟ ଅକ୍ଟୋବର ୧୯ ତାରିଖରେ ପୁଲିସର ହସ୍ତଗତ ହୋଇଥିଲା। ତେବେ ଆମକୁ କୌଣସି ସୂଚନା ଦିଆଯାଇ ନଥିଲା। ଏନେଇ ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲୁ। ମୃତକ ଖୋଦ ପୁଲିସ ଅଧିକାରୀ ହୋଇଥିବାବେଳେ ତାଙ୍କ ପରିବାରକୁ ବି ବ୍ୟବଚ୍ଛେଦ ରିପୋର୍ଟ ଦିଆନଯିବା ପଛରେ କାରଣ କ’ଣ? ଏହାସହ ଶ୍ରୀ ଲାକ୍ରା କହିଲେ, ପୁଲିସ ପ୍ରଶାସନ ଉପରେ ଆମର ପୂର୍ଣ୍ଣ ଭରସା ରହିଥିଲା। କିନ୍ତୁ ଆରମ୍ଭରୁ ମିଛ କହି ବିଭ୍ରାନ୍ତି କରିବାର ଶତ ଚେଷ୍ଟା ଯୋଗୁଁ ଭରସା ତୁଟିଗଲାଣି। ଏଣୁ ମାମଲାର ସିବିଆଇ ତଦନ୍ତ ସହ ହତ୍ୟାକାରୀଙ୍କ ବିରୋଧରେ ଦଫା ୩୦୨ ପ୍ରତ୍ୟାହାର କରାନଯିବା, ସପ୍ତାହେ ଭିତରେ ସତ୍ୟାସତ୍ୟ ଜନସାଧାରଣଙ୍କ ସମ୍ମୁଖରେ ରଖିବାକୁ ଶ୍ରୀ ଲାକ୍ରା ଦାବି କରିଥିଲେ। ଯଦି ଦାବି ପୂରଣ ନହୁଏ, ତା’ହେଲେ ଆମ ପାଖରେଥିବା ସମସ୍ତ ପ୍ରମାଣ, ସୂଚନା ସାର୍ବଜନୀନ କରିବୁ ବୋଲି ସେ ଚେତାବନୀ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ମୃତ ଏଲିଶଙ୍କ ଭାଇ ସୁଶାନ୍ତ ମୁଣ୍ଡୁ, ଦିଅର ଜୟନ୍ତ ଲାକ୍ରା ଉପସ୍ଥିତ ଥିଲେ।