ପାଟଣାଗଡ଼: ଆଲିସାନ ସିନେମା ହଲ୍‌ରେ ଗଣ୍ଡଗୋଳ ମାମଲାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋ‌ଷ ସିଂହ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂହ ସାଲୁଜାଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହାଇକୋର୍ଟରୁ ସେମାନଙ୍କ ଜାମିନ ମଞ୍ଜୁର ହେବା ପରେ ସୋମବାର ସେମାନେ ଜେଲ୍‌ରୁ ବାହାରିଛନ୍ତି।

Advertisment

ସୂଚନା ଅନୁସାରେ, ଗତ ଫେବ୍ରୁଆରି ୧ ତାରିଖ ଦିନ ବେଲପଡ଼ା ଥାନା ଅନ୍ତର୍ଗତ ଆଲିସାନ ସିନେମା ହଲ୍‌ରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ସିନେମା ‌ହଲ୍‌ ମାଲିକ ବେଲପଡ଼ା ଥାନାରେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବେଲପଡ଼ା ପୁଲିସ କେସ୍‌ ନଂ ୨୪ରେ ମାମାଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଦର୍ଶାଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜା (୩୨), ଅଜୟ ଅଗ୍ରୱାଲ(୪୦), ବିକି ଓରଫ ବିକାଶ ଅଗ୍ରୱାଲ(୩୭), ବିପୁଲ ମାରୁ(୩୭), ରାଜା ପାତ୍ର (୨୩), ରାକେଶ ସେଠ ଓ ହରିଆଣାର ସିରଶା ଜିଲ୍ଲା ଡାବୁବାଲି ମଣ୍ଡି ଥାନା ଅନ୍ତର୍ଗତ ଧରମବୀର ଗୁପ୍ତା(୩୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସେତେବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ପାଟଣାଗଡ଼ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ ଜାମିନ ନାମଞ୍ଜୁର ହୋଇଥିଲା। ପରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜାମିନ କାଗଜ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ଦାଖଲ କରିବା ପରେ ସେଜିଙ୍କ ସହ ଆଉ ୬ ଜଣଙ୍କୁ ସର୍ତ୍ତମୂଳକ ଜାମିନରେ ଜେଲ୍‌ରୁ ବାହାରିବାକୁ ଆଦେଶ ଦିଆଯାଇଛି। ତାଙ୍କୁ ନେବା ପାଇଁ ତାଙ୍କ ଓକିଲ ବିଷ୍ଣୁ ପ୍ରସାଦ ଶର୍ମାଙ୍କ ସହ ଭାଇ ଓ ବନ୍ଧୁ ତଥା ସମ୍ପର୍କୀୟମାନେ ପାଟଣାଗଡ଼ ଜେଲ୍‌ ପରିସରକୁ ପହଞ୍ଚିଥିଲେ।