କଟକ: ଶାରଦୀୟ ନବରାତ୍ରୀରେ ପୀଠ ଓ ମନ୍ଦିରଗୁଡ଼ିକରେ ଦେବୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଜାରି ରହିଛି। ପୀଠରେ ଆଜି ମହାନବମୀ ପାଳନ ହୋଇଛି। ମଣ୍ଡପରେ ଆସନ୍ତାକାଲି ମହାନବମୀ ପାଳନ ହେବ। ପୂଜା ମଣ୍ଡପଗୁଡ଼ିକରେ ସପ୍ତମୀ ଦିନ ଠାରୁ ଶ୍ରଦ୍ଧାଳୁମାନଙ୍କର ଗହଳି ଦେଖିବାକୁ ମିଳୁଛି। ସକାଳ ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭିଡ଼ ରହୁଛି। ମଣ୍ଡପରେ ମହାନବମୀ ଅବସରରେ ବୁଧବାର ଦିନ ବିଭିନ୍ନ ପ୍ରକାରର ଆୟୋଜନ କରାଯାଇଛି। କଟକର ଐତିହାସିକ ଦୁର୍ଗାପୂଜା ଏଥର ମଧ୍ୟ ଜାକଜମକରେ ଆୟୋଜନ ହୋଇଛି। ମାଆ ଦୁର୍ଗାଙ୍କୁ ପୂର୍ବବର୍ଷ ଭଳି ଏଥର ମଧ୍ୟ ଆଲିଶା ବଜାର ଓ ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି ପକ୍ଷରୁ ଆମିଷ ଭୋଗ ଅର୍ପଣ କରାଯିବ। ପରେ ପ୍ରସାଦଙ୍କୁ ଭକ୍ତଙ୍କୁ ବିତରଣ କରାଯିବ। 

Advertisment

Alisa bazar1

ପ୍ରାୟ ‌ଶହେ ବର୍ଷରୁ ଅଧିକ ସମୟ ହେବ ଆଲିଶା ବଜାରରେ ମାଆ ଦୁର୍ଗାଙ୍କ ପୂଜା ଆୟୋଜନ ହୋଇଆସୁଛି। ଏହି ମଣ୍ଡପରେ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ। ମହାନବମୀରେ ସନ୍ଧ୍ୟା ୭ଟାରୁ ସାଢ଼େ ୭ଟା ଭିତରେ ମାଆଙ୍କ ଠାରେ ଆଳତି ହେବ। ଏହି ଅବସରରେ ମାଆଙ୍କୁ ଆମିଷ ଭୋଗ ଲାଗି କରାଯିବ। ପରେ ଏହାକୁ ଶ୍ରଦ୍ଧାଳୁମାନଙ୍କୁ ରାତି ୧୧ଟା ପର୍ଯ୍ୟନ୍ତ ବିତରଣ କରାଯିବ। ମା’ଙ୍କ ପ୍ରସାଦ ବିକ୍ରିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଭୋଗ ପାଇଁ ଚଳିତ ଥର ୧୫ କୁଇଣ୍ଟାଲର ମାଛ ଅଗ୍ରୀମ ଅର୍ଡର କରାଯାଇଛି। ପ୍ରାୟ ୫୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାସାଦ ବ୍ୟବସ୍ଥା କରାଯାଇଛି। ମାଆଙ୍କର ପ୍ରସାଦ ନେବା ପାଇଁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସମାଗମ ବଢୁଛି। ଗତବର୍ଷ ସାଢ଼େ ୪ ହଜାର ଲୋକ ମାଆଙ୍କର ପ୍ରସାଦ ନେଇଥିଲେ। ଏଥର ପ୍ରସାଦ ୧୦୦ ଟଙ୍କା ରଖାଯାଇଛି। ପ୍ରସାଦରେ ଭୋଗରେ କାନିକା ଓ ମାଛର ଡାଲମାକୁ ସାମିଲ କରାଯାଇଛି।  

-ଡକ୍ଟର ରବି ରଂଜନ ସାହୁ, ସଭାପତି, ଅଲିଶା ବଜାର, ଦୁର୍ଗାପୂଜା କମିଟି 

ସେହିପରି ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟିର ସଂପାଦକ ସୁଶାନ୍ତ କୁହନ୍ତି, ଏଥର ମହାନବମୀ ଅବସରରେ ମାଆଙ୍କ ନିକଟରେ ମାଛ ଭୋଗ ଲାଗି ହେବ। ଏଥି ପାଇଁ ୧୦ କୁଇଣ୍ଟାଲ ମାଛ ଓ ୧୫ କୁଇଣ୍ଟାଲ ପନିପରିବା ଅର୍ଡର କରାଯାଇଛି। ମା’ଙ୍କ ନିକଟରେ ଭୋଗ ଲାଗିଲା ପରେ ପ୍ରସାଦକୁ ବିତରଣ କରାଯିବ। ଆସନ୍ତା ବୁଧବାର (ମହାନବମୀ) ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ଯାଏଁ ୧୫,୦୦୦ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ  ସରା ୧୨୦ ଟଙ୍କା ଓ ହାଣ୍ଡି ୨୫୦ ଟଙ୍କା ନେଇ କିଣିପାରିବେ। 

କଟକର ଚାନ୍ଦିମେଢ଼

କଟକ ସହରର ୩୬ଟି ପୂଜାମଣ୍ଡପରେ ଚାନ୍ଦିମେଢ଼ ଝଲସି ଉଠୁଛି। ଚୌଧୁରୀବଜାର, ଶେଖ୍‌ ବଜାର, ଅଲିଶା ବଜାର, ବାଲୁବଜାର, ଚାଉଳିଆଗଂଜ, ଚାନ୍ଦିନୀ ଚୌକ, ଶଙ୍କରପୁର-ବାଦାମବାଡ଼ି (ମହାଦେବ), କାଜିବଜାର, ତୁଳସୀପୁର (ମହାଦେବ), ବୁଢ଼ି ଠାକୁରାଣୀ, ଗଣେଶଘାଟ (ମହାଦେବ), ବାଖରାବଜାର (ଛିନ୍ନମସ୍ତା), ଫିରିଙ୍ଗବଜାର, ନୟାସଡ଼କ (ମହାଦେବ), କାଠଗଡ଼ାସାହି, ପୀଠାପୁର (କାଳୀୟଦଳନ), ଦରଘାବଜାର, ମାଛୁଆବଜାର, ମଙ୍ଗଳାବାଗ, ରାଣୀହାଟ, ଛତ୍ରବଜାର, ଖାନନଗର, ଶିଖରପୁର, ହରିପୁର-ଦୋଳମୁଣ୍ଡାଇ, ବିଡ଼ାନାସୀ କୁମ୍ଭାରସାହି, ଗଙ୍ଗାମନ୍ଦିର, କଲେଜଛକ, ଖଟବିନସାହି, କାଫଲାବଜାର, ମହମ୍ମଦିଆବଜାର, ନିମସାହି (ମହାଦେବ), ନିମଚୌଡ଼ି (ହରପାର୍ବତୀ), ତୁଳସୀପୁର ମଠସାହି, ରାମଗଡ଼-କନିକାଛକ, ଯୋବ୍ରା ଓ ଗୋପାଳଜୀଉ ମଠସାହିରେ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ତେଲେଙ୍ଗାବଜାର ଏବଂ ବୟାଳିଶମୌଜାରେ ପତ୍ତଳ ମେଢ଼ ନିର୍ମାଣ କରାଯାଇଥିବା ବେଳେ ରାଉସପାଟଣାରେ ପୂର୍ବବର୍ଷ ଭଳି ଏଥର ମଧ୍ୟ କାଚମେଢ଼ରେ ମା’ ବିରାଜିଛନ୍ତି।

Cuttack | Durga Puja