ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ୍‌ଙ୍କ ସହ ପ୍ରତିଭାଦୀପ୍ତ ଶିଶୁଙ୍କ ଆଲୋଚନା

ଭୁବନେଶ୍ବର : ଅନ୍ତର୍ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ସଂସ୍ଥା ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ପକ୍ଷରୁ ହୋଟେଲ ପ୍ରେସିଡେନ୍ସିଠାରେ ଲର୍ଣ୍ଣିଂ ଏକ୍ସଚେଞ୍ଜ ମିଟ୍‌ ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଶିଶୁ ସୁରକ୍ଷା କମିସନର୍‌ ସଂଧ୍ୟାବତୀ ପ୍ରଧାନ ଓ ସଭ୍ୟା ଦିବ୍ୟା ଶାଶ୍ବତୀ ଯୋଗଦେଇ ପ୍ରତିଭାଦୀପ୍ତ ଶିଶୁମାନଙ୍କ ସହ ଶିଶୁ ସୁରକ୍ଷା, ଅଧିକାର, ବାଲ୍ୟବିବାହ ଆଦି ସଂପର୍କରେ ଆଲୋଚନା କରିଥିଲେ।

ବୌଦ୍ଧ ଜିଲ୍ଲାରୁ ଆସିଥିବା ଦେବସ୍ମିତା ଓ ତାଙ୍କ ସାଥୀମାନେ ମିଶି ବୌଦ୍ଧ ଜିଲ୍ଲାରେ ୫ଟି ବାଲ୍ୟବିବାହ ବନ୍ଦ କରାଇଥିଲେ। ଏହାସହ କୋଭିଡ୍‌ ସମୟରେ ଶିଶୁମାନଙ୍କ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ ଦାବିପତ୍ର ସରକାରୀ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ। ଦେବସ୍ମିତାଙ୍କ ଏହି ପ୍ରୟାସକୁ କମିସନର୍‌ ଶ୍ରୀମତୀ ପ୍ରଧାନ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିସନ୍‌ର ଡେପୁଟି ସିଇଓ ଦେବୀପ୍ରସାଦ ନାୟକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କାର୍ଯ୍ୟକାରୀ ନିର୍ଦ୍ଦେଶକ ଜ୍ଞାନରଂଜନ ଦାଶ, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଚନ୍ଦନେଶ ମିଶ୍ର, ସେଭ୍‌ ଦି ଚିଲଡ୍ରେନ୍‌ର କାର୍ଯ୍ୟକ୍ରମ ପରିଚାଳନା ମୁଖ୍ୟ ପ୍ରଦୀପ ମିଶ୍ର, ଓଡ଼ିଶା ରାଜ୍ୟ ମୁଖ୍ୟ ଅଭିଜିତ୍‌ ଭଦ୍ର ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ଓ ଅଧିକାର ବିଷୟରେ ସେମାନଙ୍କ ମତାମତ ରଖିଥିଲେ। ଆକ୍ସନଏଡ୍‌ର ଜିଲ୍ଲା ସଂଯୋଜିକା ସ୍ବାତୀ ତନ୍ମୟା ମିଶ୍ର କିଶୋରମାନଙ୍କ ନିମନ୍ତେ ଚାଲିଥିବା ଅଦ୍ବିକା କାର୍ଯ୍ୟକ୍ରମ, ବାଲ୍ୟବିବାହ ତଥା ଶିଶୁ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ସେଭ୍‌ ଦି ଚିଲଡ୍ରେନ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର୍‌ ମନୋଜ ମିଶ୍ର ପରିଚାଳନା ଓ ସନ୍ତୋଷ ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର