୧୪ ବର୍ଷରୁ କମ ବୟସର ସମସ୍ତ ୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଶିଶୁମାନେ କରୋନା ଭାଇରସକୁ ଭଲ ମୁକାବିଲା କରିପାରୁଛନ୍ତି । ଓଡ଼ିଶାରେ ଏହା ପ୍ରମାଣିତ ହୋଇଛି । ରାଜ୍ୟରେ ବିଗତ ଦିନରେ ୨୦ ଜଣ ଶିଶୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲେ । ଏମାନଙ୍କର ବୟସ ୧୪ବର୍ଷରୁ କମ ଥିଲା । କିନ୍ତୁ ଏବେ ଏମାନେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି ।

ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି, ଆମେରିକାରେ ଭାରତ ତୁଳନାରେ କରୋନା ଭାଇରସ ୧୭ ଗୁଣ ଅଧିକ । ସେହିପରି ସିଙ୍ଗାପୁରରେ ମଧ୍ୟ ସ୍ଥିତି ଉଦବେଗ ଜନକ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ବିଦେଶରୁ ଶିକ୍ଷା ଗ୍ରହଣ କରି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲର ପରିକଳ୍ପନା କରିଥିଲେ । ଏଥିରୁ ରାଜ୍ୟବାସୀଙ୍କୁ ଉପକାର ମିଳିଛି । ସେ କହିଛନ୍ତି, ୨ ମାସ ତଳେ ଇଟାଲୀରେ କରୋନା ଭାଇରସ ବଡ଼ ପ୍ରଭାବ ପକାଇଥିଲା । ସେହି ଦିନଠାରୁ ଏଯାଏଁ ଇଟାଲୀରେ କରୋନା ଭାଇରସ ଯୋଗୁଁ ୩୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । । ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୩ ଲକ୍ଷ ଲୋକଙ୍କର ଜୀବନ ଯାଇଛି । ଇଟାଲୀରେ ସାଧାରଣ ହସ୍ପିଟାଲରେ କୋଭିଡ-୧୯ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା ।

ଶ୍ରୀ ବାଗଚୀ କହିଛନ୍ତି, ରାଜ୍ୟ ସରକାର ୩୦ଟି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି । ମୋଟ ୩୫ଟି କୋଭିଡ-୧୯ ହସ୍ପିଟାଲରେ ୫ ହଜାର ୭୦୦ ଶଯ୍ୟାର ବ୍ୟବସ୍ଥା କରିଛନ୍ତି । ଏହି ହସ୍ପିଟାଲ ଗୁଡ଼ିକର ନିର୍ମାଣରେ ଘରୋଇ ସଂସ୍ଥାମାନଙ୍କର ମଧ୍ୟ ଅବଦାନ ରହିଛି ।

ସେହିପରି କୋଭିଡ ମୁକାବିଲା ପାଇଁ ସରପଞ୍ଚମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟର ୬୭୯୮ଟି ପଞ୍ଚାୟତରେ କରାଯାଇଥିବା ସଂଗରୋଧ କେନ୍ଦ୍ରର ପରିଚାଳନା କରିବାରେ ସରପଞ୍ଚମାନଙ୍କର ଭୂମିକା ରହୁଛି । ସେମାନେ ବାହାର ଫେରନ୍ତାଙ୍କ ରହିବା, ଖାଇବା ଓ ଅନ୍ୟ ଦାୟିତ୍ୱ ନେଇଛନ୍ତି । ଶ୍ରୀ ବାଗଚୀ କହିଛନ୍ତି, ଆଜି ଗୋଟିଏ ଦିନରେ ୧୫ ହଜାର ୩୬୦ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି । ଏପର୍ଯ୍ୟନ୍ତ ବାହାର ରାଜ୍ୟରୁ ୧ ଲକ୍ଷ ୧୫ ହଜାର ୩୬୦ ଜଣ ପ୍ରବାସୀ ଫେରିଛନ୍ତି ।

ସମ୍ବନ୍ଧିତ ଖବର