ପୁରୀ: ରଥ ନିର୍ମାଣର ୨୭ତମ ଦିବସ ସୁଦ୍ଧା ତିନି ରଥର ସମସ୍ତ ୪୨ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି ମହାରଣା ସେବକମାନେ ଗୋଟିଏ ଗୋଟିଏ ଚକ ନିର୍ମାଣ ଶେଷ କରିଥିଲେ। ତିନିରଥର ଚାରି ନାହାକା, ଗରଗରା ଓ ପୋଲ ଗୟଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତାଳଧ୍ୱଜ ରଥର ପୋଲ ଗୟଳ ଚିରଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କରତୀ ସେବକ। ଏଥିସହ ତିନି ରଥର ବାକି ଅଖ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।
ଗତକାଲିର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ରଥ ଅମିନ ଲକ୍ଷ୍ମଣ ମହାପାତ୍ର , ଭୋଇ ସର୍ଦ୍ଦାର ରବି ଭୋଇ ଓ କାର୍ତ୍ତିକ ଭୋଇ ମିଳିତ ଭାବେ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ଗରଗରା, ଚାରି ନାହାକା, ପୋଲ ଗୟଳ ଓ ଅଖ ନିର୍ମାଣ ପାଇଁ କେଉଁ କାଠ ଉପଯୋଗୀ ତାହା ଚିହ୍ନଟ କରିଥିଲେ। ତିନି ରଥର ଭୋଇ ସେବକଙ୍କ ସହାୟତାରେ ଆଜି ପୂର୍ବାହ୍ଣରେ ତିନି ରଥ ଚାଳିକୁ ଗରଗରା ନିର୍ମାଣ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ, ଚାରି ନାହାକା ପାଇଁ ପ୍ରଥମ ଦଫାରେ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଏବଂ ପୋଲ ଗୟଳ ନିର୍ମାଣ ପାଇଁ ଗୋଟିଏ ୪୦ ଫୁଟିଆ ଧଉରା କାଠ ଯୋଗାଇଥିଲେ।
ତିନିରଥର ମହାରଣାମାନେ ଗରଗରା, ଚାରି ନାହାକା ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ଗତକାଲି ବ୍ରେକ୍ ଅଖର ନିର୍ମାଣ ଶେଷ ପରେ ଆଜି ତିନି ରଥର ଦୁଇଟି ଲେଖାଏଁ ପଡ଼ି ନାହାକା ଅଖର ଉଭୟ ପାର୍ଶ୍ବ ଚଉପଟ ପରେ ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଆଜି କରତୀ ସେବକମାନେ ବାହାର ରଥ ଖଳାରେ ତାଳଧ୍ୱଜ ରଥର ପୋଲ ଗୟଳ ନିର୍ମାଣ ପାଇଁ ୪୦ ଫୁଟିଆ ଧଉରା କାଠର ଉଭୟ ପାର୍ଶ୍ୱକୁ ହାଣି ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି। ଚିତା କାର୍ଯ୍ୟ ପରେ ପୋଲ ଗୟଳର ଚିରଟ କାର୍ଯ୍ୟ ହେବ। ରୂପକାର ସେବକମାନେ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜ ମଧ୍ୟରୁ ୧୦ଟି ଲେଖାଏଁ ଗୁଜରେ ରୂପ ଅଙ୍କନ ସହ ପଲିସ କାର୍ଯ୍ୟ ଶେଷ କରିଛନ୍ତି। ରୂପ ଗୁଡ଼ିକର ଅଳଙ୍କାର ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ତିନି ରଥର ଗୋଟିଏ ଗୋଟିଏ ଗୁଜର ରୂପ ଖୋଦେଇ ଜାରି ରହିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦିଠାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଆବଶ୍ୟକ କାଠ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି। ଆଜି ୨୦୫ ଜଣ ରଥ ନିର୍ମାଣରେ ସେବା ଯୋଗାଇଛନ୍ତି।