ଭୁବନେଶ୍ବର: ରାତି ପାହିଲେ ବିଧାନସଭାର ମୌସୁମୀ ଅଧିବେଶନ । ଆଉ ଅଧିବେଶନ ପୂର୍ବରୁ ବିଧାନସଭାକୁ ଘାରିଛି କରୋନା ଭୟ । ଲଗାତାର ମନ୍ତ୍ରୀ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଘାରିଛି ଭୂତାଣୁ ଭୟ । ବିଜେପି ଓ ବିଜେଡି ମିଶାଇ ମୋଟ ୪୭ ବିଧାୟକ ଏଯାଏଁ କରୋନା ସଂକ୍ରମିତ ହୋଇଛନ୍ତି ।
ତେବେ ସବୁଠାରୁ ବଡ କଥା ହେଉଛି କଂଗ୍ରେସ ବିଧାୟକଙ୍କୁ ଛୁଇଁନି କରୋନା । କରୋନା କବଳକୁ ଆସି ନାହାନ୍ତି କଂଗ୍ରେସର ବିଧାୟକ । ବିଧାନସଭାକୁ କଂଗ୍ରେସର ୯ ଜଣ ବିଧାୟକ ଯାଇଥିବା ବେଳେ ୯ରୁ ୯ ଜଣ ନେଗେଟିଭ ବାହାରିଛନ୍ତି । ଅର୍ଥାତ କରୋନା ପରୀକ୍ଷାରେ କଂଗ୍ରେସର ୯ ନିର୍ବାଚିତ ବିଧାୟକ ସଂକ୍ରମିତ ହୋଇନଥିବା ଜଣାପଡିଛି ।
ସେପଟେ ବିଧାନସଭା ପରିସରରେ ଦୁଇ ଦିନିଆ କୋଭିଡ ପରୀକ୍ଷା ଶିବିର କରାଯାଉଥିଲା । ମନ୍ତ୍ରୀ, ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କର କରୋନା ପରୀକ୍ଷା ହୋଇଥିଲା । ତେବେ ଶନିବାର ୭୫୭ ନମୂନାରୁ ୧୩୬ଟି ପଜିଟିଭ ଆସିଥିଲା । ଯେଉଁଥିରେ ୨ ବିଧାୟକ ପଜିଟିଭ ବାହାରିଥିଲେ । ରବିବାର ୭୮ ବିଧାୟକଙ୍କ ସମେତ ୨୬୦ ନମୂନା ପରୀକ୍ଷା ହୋଇଥିବା ବେଳେ ୧୨ ବିଧାୟକଙ୍କ ସମେତ ୪୮ ଜଣ ପଜିଟିଭ ବାହାରିଥିଲେ । ତେବେ ୨ ଦିନରେ ୧୪ ବିଧାୟକ ସଂକ୍ରମିତ ହୋଇଥିବା ଜଣାପଡିଥିବା ବେଳେ ମୋଟ ୪୭ ଜଣ ବିଧାୟକ ଏଯାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦୁଇ ଦିନିଆ ଟେଷ୍ଟରେ ମୋଟ ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।