ମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନ ସମୟରେ ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣାରେ ଗିରଫ ୩୦ ଜଣ ଆଇନଜୀବୀଙ୍କ ସମେତ ୩୧ ଜଣ ଆଜି ଜାମିନରେ ଜେଲ୍‌ରୁ ବାହାରିଛନ୍ତି। ଆଜି ଅପରାହ୍‌ଣରେ ଜାମିନରେ ବାହାରିବା ପରେ ସେମାନେ ସିଧାସଳଖ ନିଜ ନିଜ ଘରକୁ ଯାଇଥିଲେ। ଜେଲ୍ ସମ୍ମୁଖରେ ଗଣମାଧ୍ୟମର ପ୍ରତିନିଧିମାନେ ଥିଲେ ବି ଗତକାଲି ହାଇକୋର୍ଟ ଜାମିନ ପ୍ରଦାନ ସମୟରେ ଦେଇଥିବା ସର୍ତ୍ତ ଅନୁସାରେ କେହି କୌଣସି ପ୍ରତିକ୍ରିୟା ରଖିନଥିଲେ।

Advertisment

ଗତକାଲି ହାଇକୋର୍ଟ ଜାମିନ ମଂଜୁର କରିଥିବା ବେଳେ ଆଜି ବିଚାର ବିଭାଗୀୟ ଆବଶ୍ୟକ ପ୍ରକ୍ରିୟା ଅନୁସାରେ ଆବେଦନ କରାଯାଇଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ୪ଟାରେ ‌ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ ବହିଦାର, ପ୍ରମୋଦ କୁମାର ସରାଫ, ପ୍ରଦ୍ୟୋତ କୁମାର ଶର୍ମା, ଦୀପକ କୁମାର କୁଅଁର, ପ୍ରବୀଣ କୁମାର ସିଂହଦେଓ, ମହେନ୍ଦ୍ର ବଢ଼ାଇ, ମହମ୍ମଦ ମୁସ୍ତାକ ଅନ୍‌ସାରି, ବିଜୟ କୁମାର ଜେନା, ସୂରଜ ବିଶ୍ବାଳ, ମଧୁସୂଦନ ମିତ୍ର, ବିଘ୍ନେଶ୍ବର ସରାଫ, ସୁରେନ୍ଦ୍ର ମହାନ୍ତି, ସଚ୍ଚୀନ୍ଦ୍ର ସାହୁ, ରାଜା ମହେନ୍ଦ୍ର କୁମାର ଶର୍ମା, ଶିବ କୁମାର ଦିୱାନ, ଅଫସାନା ବାନୋ ଓରଫ ଅଞ୍ଜୁମ, ସତ୍ୟନାରାୟଣ ପଣ୍ଡା, ବିଷ୍ଣୁପ୍ରିୟା ଭୋଇ, ସେବତୀ ବନଛୋର, ମିଲନ ମହାରଣା, ଆଶିଷ ଗୁରୁ, ସୁରଂଜିନୀ ‌ବାରିକ, ଶଶାଙ୍କ ଷଡ଼ଙ୍ଗୀ, ବିଷ୍ଣୁପ୍ରସାଦ ପାଢ଼ୀ, ବିଦ୍ୟାଧର ପଣ୍ଡା, ମନୋରଂଜନ ପଣ୍ଡା, ବିମଳ ମହାପାତ୍ର ଓରଫ ସିଲୁ, ରତନଲାଲ୍ ଅଗ୍ରୱାଲ, ଶଙ୍କର ପ୍ରସାଦ ପାଢୀ ଏବଂ ଓକିଲ ସଂଘ କାର୍ଯ୍ୟାଳୟର କର୍ମଚାରୀ କଇଣ୍ଟୁ ନାୟକ ଜେଲ୍‌ରୁ ବାହାରି ଥିଲେ। ମହିଳା ଆଇନଜୀବୀମାନେ ନାରୀ ବନ୍ଦୀ ନିକେତନରେ ଥିବା ବେଳେ ପୁ‌ରୁଷ ଆଇନଜୀବୀମାନେ ସମ୍ବଲପୁର ମଣ୍ଡଳ ଜେଲ୍‌ରେ ଥିଲେ।

ସମ୍ବଲପୁରର ଧନୁପାଲି ଥ‌ାନାରେ ୨୦୨୨, ମାର୍ଚ୍ଚ ମାସ‌ରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଆଇନଜୀବୀଙ୍କ ମୃତ୍ୟୁ ପରେ ହୋଇଥିବା ଆନ୍ଦୋଳନକୁ ନେଇ ରୁଜୁ ମାମଲାରେ ଗିରଫ ହୋଇଥିବା ୮ଜଣ ଆଇନଜୀବୀଙ୍କୁ ହାଇକୋର୍ଟ ଗତ ଗୁରୁବାର ଦିନ ଜାମିନ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଗତ ୧୨ ଡିସେମ୍ବର ଅଭାବନୀୟ ଘଟଣାକୁ କେନ୍ଦ୍ରକରି ୩ ଜଣ ପୁଲିସ ଅଧିକାରୀ ଟାଉନ ଥାନାରେ ଏତଲା ଦେଇଥିଲେ। କୋର୍ଟ ପରିସରକୁ ଧ‌ସେଇ ପଶିବା, ବିଚାରପତିମାନଙ୍କୁ କୋର୍ଟ ଭିତରୁ ବାହାର କରିଦେବା, ଭଂଗାରୁଜା କରିବା, ପୁଲିସ ସହିତ ଧସ୍ତାଧସ୍ତି ହେବା ଆଦି ଘଟଣାକୁ ନେଇ ଟାଉନ ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ କେତେକ ମାମଲା ବି ଯୋଡ଼ା ଯାଇଥିଲା। ୧୨ ତାରିଖ ବିଳମ୍ବିତ ରାତ୍ରିରେ ୧୫ ଜଣ ଆଇନଜୀଙ୍କୁ ଗିରଫ କରାଯାଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। କେତେକ ଆଇନଜୀବୀ ଆତ୍ମସର୍ମପଣ ବି କରିଥିଲେ। ତ‌େବେ, ଏହି ମାମଲାରେ ଏବେ ବି ୮ ଜଣ କିନ୍ନର ଜେଲ୍‌ ହାଜତରେ ରହିଛନ୍ତି। ଆସନ୍ତା ୧୭ ତାରିଖ ଦିନ ହାଇକୋର୍ଟରେ ସେମାନଙ୍କ ଜାମିନ ଉପରେ ଶୁଣାଣି ହେବ ବୋଲି ଜଣାପଡ଼ିଛି।