ଲକ୍‌ଡାଉନ ସମୟରେ ବିଦ୍ୟୁତ ବିଲ୍‌ ଓ ଟ୍ୟୁସନ ଫି ଛାଡ଼ କରିବାକୁ ଆବେଦନ କରି ଜନସ୍ବାର୍ଥ ମାମଲା; ସରକାରଙ୍କୁ ନୋଟିସ୍‌ ଜାରି କଲେ ହାଇକୋର୍ଟ

ମାଗଣା ସିଲିଣ୍ଡର ଯୋଗାଇବାକୁ ମଧ୍ୟ ଆବେଦନରେ ଅନୁରୋଧ

କଟକ: କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଖା ଦେଇଥିବା ବିପର୍ଯ୍ୟୟ ସମୟରେ ସମସ୍ତେ ସମାନ। ସମସ୍ତଙ୍କୁ ସରକାର ପିଡିଏସ୍ ଚାଉଳ, ଖାଦ୍ୟଦ୍ରବ୍ୟ, ମାଗଣା ଗ୍ୟାସ୍ ସିଲିଣ୍ଡର ଦିଅନ୍ତୁ। ଏଥି ସହିତ ଲକ୍‌ଡାଉନ ସମୟରେ ରୋଜଗାର କରି ନପାରି ସମସ୍ତେ ଘରେ ଭିତରେ ରହିବାକୁ ବାଧ୍ୟ ହୋଇଥିବା ବେଳେ ଏହି ଅବଧି ବେଳର ବିଦ୍ୟୁତ ବିଲ ଛାଡ କରାଯାଉ। ଲକ୍‌ଡାଉନ ଅବଧି ସମୟରେ ବିଦ୍ୟାର୍ଥୀଙ୍କ ଟ୍ୟୁସନ୍ ଫି ମଧ୍ୟ ଛାଡ କରାଯାଉ। ଏଭଳି ପ୍ରାର୍ଥନା କରି ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣ ନେଇ ଦେଖା ଦେଇଥିବା ପରିସ୍ଥିତିରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତିରେ ସମସ୍ତଙ୍କର ରୋଜଗାର ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଅଧିକାଂଶ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ରାସନ କାର୍ଡ ଥିବା ପରିବାରକୁ ମାଗଣାରେ ଚାଉଳ, ଡାଲି ସହିତ ଆର୍ଥିକ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥି ସହିତ ଉଜ୍ଜ୍ବଳା ଗ୍ୟାସ ଉପଭୋକ୍ତାଙ୍କୁ ମଧ୍ୟ ମାଗଣାରେ ଗ୍ୟାସ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ଏଭଳି ଲକ୍‌ଡାଉନ ସମୟରେ ଆର୍ଥିକ ସମସ୍ୟାରେ ଥିବା ଏଭଳି ବହୁ ପରିବାର ଅଛନ୍ତି ଯେଉଁମାନଙ୍କର ରାସନ୍ କାର୍ଡ ଓ ଉଜ୍ଜ୍ବଳା ଗ୍ୟାସ ସଂଯୋଗ ନାହିଁ। ଏଭଳି ସ୍ଥିତି ସଂପର୍କରେ ସମସ୍ତେ ଅବଗତ।

ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଲକ୍‌ଡାଉନ ସମୟରେ ସମସ୍ୟାରେ ଥିବା ସମସ୍ତ ବ୍ୟକ୍ତି ସମାନ। ତେଣୁ ସରକାରୀ କର୍ମଚାରୀ, ଅର୍ଦ୍ଧସରକାରୀ ଓ ବଡ କମ୍ପାନିରେ ଥିବା ବ୍ୟକ୍ତିଙ୍କୁ ବାଦ ଦେଇ ସମସ୍ତଙ୍କୁ ମାଗଣାରେ ରାସନ ସାମଗ୍ରୀ ଓ ରନ୍ଧନ ଗ୍ୟାସ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ମାର୍ଚ୍ଚ ୨୩ରୁ ମେ’ ୩ ତାରିଖ ବା ଲକ୍‌ଡାଉନ ଉଠିବା ପର୍ଯ୍ୟନ୍ତ ସମସ୍ତ ଘରୋଇ ବିଦ୍ୟୁତ ‌ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ଛାଡ କରାଯାଉ। ସରକାରୀ ଓ ଅର୍ଦ୍ଧସରକାରୀ କର୍ମଚାରୀଙ୍କ ନିୟମିତ ଦରମା ମିଳୁଥିବାରୁ ସେମାନଙ୍କୁ ଏଥିରୁ ବାଦ ଦିଆଯାଉ। ଲକ୍‌ଡାଉନ ସମୟରେ ବ୍ୟାବସାୟିକ ସଂଯୋଗ ଥିବା ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବାରୁ ସେମାନଙ୍କ ‘ଇଲେକ୍ଟ୍ରିସିଟି ଡ୍ୟୁଜ୍ ଓ ଡିମାଣ୍ଡ ଚାର୍ଜ’ ଛାଡ କରାଯାଉ।

ଲକ୍‌ଡାଉନ ଅବଧି ସମୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଛାତ୍ରଛାତ୍ରୀଙ୍କ ନିକଟରୁ ଆଦାୟ କରାଯାଉଥିବା ଟ୍ୟୁସନ୍ ଫି ଓ ପରିବହାନ ଖର୍ଚ୍ଚ ଛାଡ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଯେତେବେଳ ପର୍ଯ୍ୟନ୍ତ ସ୍ବାଭାବିକ ପରିସ୍ଥିତି ନ ଫେରିଛି ସେତେବେଳ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ନିକଟରୁ ଫି ଆଦାୟ କରିବା ଉଚିତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସ୍ପେଶାଲ ରିଲିଫ କମିସନର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଶକ୍ତି ବିଭାଗ, ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ସଚିବ, ଓଇଆରସି ଓ ବିଭିନ୍ନ ବିଦ୍ୟୁତ ବିତରଣ କରୁଥିବା ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଂଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର