ଭଦ୍ରକରେ କରୋନା ଟିକା ନେଲେ ସିଡିଏମଓ, କହିଲେ- ‌ଟିକା ନେଇଥିବା ସମସ୍ତେ ସୁସ୍ଥ ଅଛନ୍ତି

ଭଦ୍ରକ: ଆଜିଠାରୁ ଭଦ୍ରକ ଜିଲ୍ଲାରେ କରୋନା ଟିକାର ଶୁଭାରମ୍ଭ କରାଯାଇଛି। ଭଦ୍ରକ ସିଡିଏମଓ ଡା. ସନ୍ତୋଷ ପାତ୍ର ପ୍ରଥମ ଟିକା ନେଇଛନ୍ତି। ଟିକା ନେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିବାରୁ ପରେ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ ଟିକା ଗ୍ରହଣ କରିଥିଲେ। ଭଦ୍ରକ କୁଆଁଶ ପିପିସି ସେଣ୍ଟର‌ରେ ସକାଳ ୯ଟା ବେଳେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟିକାଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଟିକାକୁ ନେଇ କେହି ଆତଙ୍କିତ ହେବା ଉଚିତ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।

ଆଜି ଭଦ୍ରକର ୩ଟି ସ୍ଥାନରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କରୋନା ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ସୁସ୍ଥ ଅଛନ୍ତି। ଆଜିର ଏଇ ଟିକାଦାନ ଶୁଭାରମ୍ଭ ବେଳେ ଉପ ଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମୂରଲୀ ପା‌ଢୀ ଓ ଡା.ଶିବାଶିଷ ମହାରଣା, ଡିପିଏମଓ ସରିତା ମହାପାତ୍ର ପ୍ରମୁଖ ଯୋଗଦେଇ ଟିକା ନେଉଥିବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର କୁଆଁଶ ପିପିସି ସେଣ୍ଟର, ବରପଦା ସିଏଚସି ଓ ବାସୁଦେବପୁର ସିଏଚସିରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ବାସୁଦେବପୁର ସିଏଚସିରେ ମଧ୍ୟ ଜିଲ୍ଲାପାଳ ଡ. ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟିକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବ ବୋଲି ଧାର୍ଯ୍ୟ କରାଯାଇଛି। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ମୋଟ ୫୫୦୦ ଟିକା ଆସିଛି। ୭ ଦିନ ମଧ୍ୟରେ ‌ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ଟି କେନ୍ଦ୍ରରେ ମୋଟ ୮୫୬୬ ଜଣଙ୍କୁ ଟିକା ଦାନ କରାଯିବ। ଜିଲ୍ଲାରେ ୯୯ ପ୍ରତିଶତ କ‌ରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ୪୭ ଜଣଙ୍କ ପଜେଟିଭ୍ ରହିଛି।

ଆଗାମୀ ଦିନରେ ଜିଲ୍ଲାର ୪୪ ଟି ସ୍ଥାନରେ ଟିକାକରଣ କରାଯିବ । ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ଟିକା ଦିଆଯିବ । ଛୋଟ ପିଲା ଓ ଗର୍ଭବତୀ ମହିଳାମାନଙ୍କୁ ତଥା ୧୫ ଦିନ ମଧ୍ୟରେ ଅନ୍ୟ କିଛି ରୋଗ ପାଇଁ ଭ୍ୟାକସିନ୍ ନେଇଥିବା ଲୋକଙ୍କୁ ଟିକା ଦିଆଯାଇ ପାରିବ ନାହିଁ। ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକା ଦାନ କାର୍ଯ୍ୟ ଚାଲୁ ରହିବ। ପ୍ରତିଦିନ ୧୦୦ ଜଣଙ୍କୁ ଟିକା ଦିଆଯିବ।

ସମ୍ବନ୍ଧିତ ଖବର