ଗାନ୍ଧୀଙ୍କ ପାଇଁ ସମସ୍ତେ ଏକାଠି

ଶୂନ୍ୟକାଳରେ ୧୫୦ତମ ଜୟନ୍ତୀ ପ୍ରସଙ୍ଗ ଉଠିଲା, ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଂପର୍କରେ ଜଣାଇବାକୁ ଦାବି

ଭୁବନେଶ୍ୱର: ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ପ୍ରସଙ୍ଗରେ ଆଜି ସବୁ ଦଳର ବିଧାୟକ ଏକାଠି ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନ ହେବାକୁ ଯାଉଥିବା ବେଳେ ଓଡ଼ିଶାରେ କିଭଳି ଭାବେ ଏହାକୁ ପାଳନ କରାଯିବ ଏବଂ ସରକାର କି ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିବେ, ସେ ନେଇ ବିଧାୟକମାନେ ସରକାରଙ୍କ ଠାରୁ ଜବାବ ଲୋଡିଥିଲେ। କେବଳ ସେତିକି ନୁହେଁ, ସବୁସ୍ତରରେ ଏହାକୁ ପାଳନ କରିବା ଲାଗି ଲାଗି ମଧ୍ୟ ଦାବି ଉଠିଥିଲା। ଶୂନ୍ୟକାଳରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଆଜି ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସାରା ଦେଶ ପାଳିବାକୁ ଯାଉଛି। କେନ୍ଦ୍ର ସରକାର ଏଥିପାଇଁ ବଜେଟ ବ୍ୟବସ୍ଥା କରିଛନ୍ତି। ହେଲେ ରାଜ୍ୟ ସରକାର କ’ଣ ପ୍ରସ୍ତାବ ରଖିଛନ୍ତି, ବଜେଟରେ ଅର୍ଥ ବରାଦ କରିଛନ୍ତି କି ନାହିଁ ତାହା ଜଣାପଡୁନାହିଁ। ଉତ୍କଳ ଗାନ୍ଧୀ ସ୍ମାରକନିଧିଠାରୁ ଏକ ପତ୍ର ପାଇଥିବା ଉଲ୍ଲେଖ କରି ବିରୋଧୀ ଦଳ ନେତା କହିଥିଲେ, ଏହି ସଂସ୍ଥାର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୫୦ତମ ଜନ୍ମବାର୍ଷିକୀ ପାଳନ ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରତ୍ୟେକ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ସର୍ବୋପରି ରାଜ୍ୟବ୍ୟାପୀ ଗାନ୍ଧୀବାର୍ତ୍ତା ପହଞ୍ଚାଇବାର ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଛି। ପ୍ରତ୍ୟେକ ଲୋକ ପ୍ରତିନିଧି, ସଙ୍ଗଠନ ଓ ସାଧାରଣ ଲୋକ ଏଥିରେ ସାମିଲ ହେବା ଉଚିତ ଓ ମହାସମାରୋହରେ ଏହାକୁ ପାଳନ କରାଯିବାର ଆବଶ୍ୟକତା ରହିଛି। ସରକାର ଗାନ୍ଧଜୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ କ’ଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସେ ସମ୍ପର୍କରେ ବିଧାନସଭାରେ ଏକ ବିବୃତି ଦେବାକୁ ବିରୋଧୀ ଦଳ ନେତା ଦାବି କରିଥିଲେ।

ବିଜେଡି ତାଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିଥିଲା। ବିଧାୟକ ସଞ୍ଜୟ ଦାସବର୍ମା କହିଥିଲେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ବର୍ଷବ୍ୟାପୀ ପାଳନ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଓଡ଼ିଶାର ସମ୍ମାନ ବିଶ୍ୱ ଦରବାରରେ ବୃଦ୍ଧି ପାଇବ। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ କହିଥିଲେ, କେନ୍ଦ୍ର ସରକାର ଗାନ୍ଧଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଇଁ ବଜେଟ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର କିନ୍ତୁ ଏପର୍ଯ୍ୟନ୍ତ କିଛି କରିନାହାନ୍ତି। ମହାତ୍ମାଙ୍କର ଓଡ଼ିଶା ପ୍ରତି ଅବଦାନକୁ ଆମେ ଭୁଲିଯିବା ଉଚିତ ନୁହେଁ। ଓଡ଼ିଶାବାସୀଙ୍କ ପ୍ରତି ମହାତ୍ମା ଗାନ୍ଧୀଙ୍କ ଭଲ ପାଇବା ଏବଂ ଓଡ଼ିଶା ପ୍ରତି ଅବଦାନ ଆମେ ମନେ ରଖିବା ଉଚିତ। ସେଥିପାଇଁ ବ୍ୟାପକ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ହେବାର ଆବଶ୍ୟକତା ରହିଛି।

ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ଗାନ୍ଧୀ ବିଚାର ଓ ଦର୍ଶନକୁ ବ୍ୟାପକ ଭାବେ ପ୍ରଚାର, ପ୍ରସାର କରିବାର ଆବଶ୍ୟକତା ଅଛି। ଏହି କାର୍ଯ୍ୟକ୍ରମ କରୁଥିବା ଉତ୍କଳ ଗାନ୍ଧୀ ସ୍ମାରକନିଧିର କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଅନ୍ୟ ମନ୍ତ୍ରୀ ବିଧାୟକଙ୍କ ସହ ସେମାନେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ଶତପଥୀ ସୂଚାଇଥିଲେ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଲୋଚନାରେ ଭାଗ ନେଇ କହିଥିଲେ,, ଗାନ୍ଧୀଙ୍କୁ ଯିଏ ହତ୍ୟା କରିଥିଲେ, ସେହି ପରିବାରର ଓ ସେହି ଚିନ୍ତାଧାରାର ଲୋକମାନେ ଏବେ ଭାରତବର୍ଷର ଶାସନରେ ରହିଛନ୍ତି। ତେଣୁ ଗାନ୍ଧୀବାଦର ପ୍ରାସଙ୍ଗିକତା ଏବେ ପ୍ରଚାର ପ୍ରସାର ହେବାର ଗୁରୁତ୍ୱ ବଢିଯାଇଛି। ସାରା ଦେଶରେ ଗାନ୍ଧୀବାଦ ଉପରେ ଆକ୍ରମଣ ହେଉଛି। ମୌଳବାଦୀମାନେ ଦେଶକୁ ଭାଗ ଭାଗ କରିବା କାର୍ଯ୍ୟକ୍ରମରେ ଲାଗିଛନ୍ତି। ଏଭଳି ସ୍ଥତିରେ ଗାନ୍ଧୀବାଦକୁ ଆଗକୁ ନେବାକୁ ହେବ। ସେ କହିଥିଲେ, ବିଜେଡି ପ୍ରତ୍ୟେକ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୭ ଦିନ ଧରି ପଦଯାତ୍ରା କରିଥାଏ। ଏଥର ମାସେ ବ୍ୟାପୀ ପଦଯାତ୍ରାର କାର୍ଯ୍ୟକ୍ରମ ରହିଛି ଓ ଗାନ୍ଧୀ ବାର୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା ହୋଇଛି। ତଥାପି ରାଜ୍ୟ ସରକାର ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ନେବା ଆବଶ୍ୟକ ଓ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଯୋଜନା ଓ କାର୍ଯ୍ୟକ୍ରମ କ’ଣ ତା’ର ଏକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର