ସର୍ବଦଳୀୟ ନେତାଙ୍କ ସବୁ ପ୍ରୟାସ ବିଫଳ: ମମତା ବନାମ ଟିକାଇ ଲଢ଼େଇ

ପ୍ରତ୍ୟାହାର ପାଇଁ ୫ଲକ୍ଷ ଯାଚିଥିଲେ: ଟିକାଇ, ଟିକାଇ ଆନ୍ଧ୍ରର ଏଜେଣ୍ଟ: ସର୍ବଦଳୀୟ ନେତା

କୋରାପୁଟ: ବୃଥା ହେଲା ସର୍ବଦଳୀୟ ନେତାଙ୍କ ପ୍ରୟାସ। ସହମତି ହୋଇପାରିଲା ନାହିଁ। ତେଣୁ ନିର୍ବାଚନ ହେବ, ସର୍ବଦଳୀୟ ନେତାଙ୍କ ପ୍ରାର୍ଥୀ ମମତା ଜାନୀଙ୍କ ବିରୋଧରେ ଲଢ଼ିବେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ଏହାପରେ କୋଟିଆରେ ନିର୍ବାଚନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ଜୋନ୍‌-୧ ଜିଲ୍ଲା ପରିଷଦ ପ୍ରାର୍ଥୀ ଟିକାଇ ଗେମେଲ ଓ ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀ ସାବିନା ବୁଡ଼ିଆଙ୍କ ଉପରେ ଆଜି ଦିନତମାମ ସମସ୍ତଙ୍କ ନଜର ରହିଥିଲା। ଅପରାହ୍ନ ୨ଟାରେ ସାବିନା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ସାଢ଼େ ଦୁଇଟାରେ କୋରାପୁଟ ପହଞ୍ଚିଥିଲେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି। ପ୍ରାୟ ୩ଟାରେ ଟିକାଇ କୋରାପୁଟ ପହଞ୍ଚିବା ପରେ ଉତ୍କଣ୍ଠା ବଢ଼ିଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ଶେଷ ମୁହୂର୍ତ୍ତରେ ତାହାକୁ ‌ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ତେଣୁ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କଅଁରଙ୍କ ଉପସ୍ଥିତିରେ ପଟାଙ୍ଗୀ ବିଧାୟକ ପୀତମ ପାଢୀ, ବିଜେଡି ଜିଲ୍ଲା ସଭାପତି ଈଶ୍ବର ପ୍ରଣିଗ୍ରାହୀ, କଂଗ୍ରେସ ନେତା ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରାଘୁରାମ ପୋଡାଲ, କଂଗ୍ରେସ ନେତା ରୂପକ ତୁରୁକ୍‌, ପୂର୍ବତନ ବିଧାୟକ ନିମାଇ ସରକାର, ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗୀ ପ୍ରମୁଖ ଅଧ ଘଣ୍ଟା ପର୍ଯ୍ୟନ୍ତ ଟିକାଇଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଟିକାଇ ହଠାତ୍‌ କାର୍ଯ୍ୟାଳୟ ବାହାରକୁ ଚାଲି ଆସିଥିଲେ। ନିର୍ବାଚନ ଲଢ଼ୁଛନ୍ତି ଏବଂ ତାଙ୍କୁ ପାଣି ବୋତଲ ଚିହ୍ନ ମିଳିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହାପରେ ଟିକାଇ ସର୍ବଦଳୀୟ ନେତାଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ଏଥିସହିତ ବିସ୍ଫୋରକ ବୟାନ ଦେଇଥିଲେ ଟିକାଇ ଗେମେଲ। ସେ କହିଥିଲେ, ନିର୍ବାଚନରୁ ଓହରି ଯିବା ପାଇଁ ତାଙ୍କୁ ୫ଲକ୍ଷ ଟଙ୍କାର ପ୍ରଲୋଭନ ଦିଆଯାଇଥିଲା। ବିଭିନ୍ନ ଆଡ଼ୁ ଚାପ ପଡ଼ିଥିଲା। ତଥାପି ସେ ପ୍ରଭାବିତ ହେଲେନାହିଁ। ନିଜ ମାଟି ଏବଂ ନିଜ ଲୋକଙ୍କ ପାଇଁ ସେ ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି। ଏହାପରେ ସର୍ବଦଳୀୟ ନେତାଙ୍କ ସବୁ ଆଶା ନିରାଶାରେ ପରିଣତ ହୋଇଛି।

ଅନ୍ୟପକ୍ଷରେ, ଟିକାଇ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗି। ସେହିପରି ସର୍ବଦଳୀୟ କମିଟି ଟିକାଇଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର ନ କରିବା ପଛରେ କିଛି ଆନ୍ଧ୍ର ଦଲାଲଙ୍କ ହାତ ରହିଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି। ସର୍ବଦଳୀୟ କମିଟି ତରଫରୁ ଟିକାଇଙ୍କୁ ବୁଝାସୁଝା କରିବା ପାଇଁ ଯାହା ବି ପ୍ରଲୋଭନ ଦେଖାଯାଇଥିଲା ତାହା ଠାରୁ ବି ଅଧିକ ଆନ୍ଧ୍ରପ୍ରଦେଶ ଦଲାଲ ତାଙ୍କୁ ଦେଉଥିବା ନେଇ ଶ୍ରୀ ପାଙ୍ଗି ସନ୍ଦେହ କରିଛନ୍ତି।
ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି, ସର୍ବଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ଉପଜିଲ୍ଲାପାଳ ନାଗରା ଚିହ୍ନ ଦେଇଛନ୍ତି। କୋଟିଆର ବିଜୟ ପାଇଁ ସବୁ ଦଳ ମିଶି ମମତାଙ୍କୁ ନିର୍ବାଚିତ କରିବାକୁ ଚେଷ୍ଟା କରିବେ। ଆନ୍ଧ୍ରର ଚାଲ୍‌କୁ ଆମେ ପ୍ରତିହତ କରିବୁ ବୋଲି କହିଛନ୍ତି। କଂଗ୍ରେସ ନେତା ରାମ କାଡାମ କହିଛନ୍ତି, ଟିକାଇଙ୍କୁ ପ୍ରଥମେ କଂଗ୍ରେସ ପ୍ରାର୍ଥୀ କରିଥିଲା। ଡିସିସି ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଳୀୟ ଟିକେଟ୍‌ ରଦ୍ଦ କରାଗଲା। ବହୁତ ବୁଝାସୁଝା କରିବା ସତ୍ତ୍ବେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ‌ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଦଳ ବିରୋଧୀ। ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀ କହିଛନ୍ତି, କୋଟିଆ ପାଇଁ ଲଢେଇ ଜାରି ରହିଛି, ଆଗକୁ ବି ଜାରି ରହିଛି। କୌଣସି ପରିସ୍ଥିତିରେ ଆନ୍ଧ୍ର ସହ ସାଲିସ କରାଯିବା ନାହିଁ। କୋଟିଆ ସହ ପଟାଙ୍ଗି ଜୋନ୍‌-୧କୁ ଓଡ଼ିଶାର ଏକ ନମ୍ବର କରାଯିବ।

ସମ୍ବନ୍ଧିତ ଖବର