ଦୁଘର୍ଟଣାରେ ମୃତ୍ୟୁ ହାର ବୃଦ୍ଧି ନେଇ ଉଦ୍‌ବେଗ : ମାର୍ଚ ସୁଦ୍ଧା ରାସ୍ତା ନିର୍ମାଣ ତ୍ରୁଟି ସୁଧୁରିବ

ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁଘର୍ଟଣା ସଂଖ୍ୟା ବୃଦ୍ଧି ପାଇବା ସହିତ ବଢ଼ିଚାଲିଛି ଦୁଘର୍ଟଣାଜନିତ ମୃତ୍ୟୁ ହାର। ଏ ନେଇ ସରକାରୀ ସ୍ତରରେ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି। ସଡ଼କ ଦୁଘର୍ଟଣା ଏବଂ ଦୁଘର୍ଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଁ ସ୍ୱଳ୍ପ ମିଆଦି କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟ ଯୋଜନାରେ ଦୁଘର୍ଟଣାପ୍ରବଣ ବିଭିନ୍ନ ଜାତୀୟ ରାଜପଥ ଏବଂ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଚିହ୍ନଟ କରାଯାଇଛି। ଆସନ୍ତା ମାର୍ଚ ମାସ ଶେଷ ସୁଦ୍ଧା ସେହି ରାସ୍ତାଗୁଡ଼ିକର ନିର୍ମାଣଜନିତ ବୈଷୟିକ ତ୍ରୁଟି ସୁଧାରିବାକୁ ପଦକ୍ଷେପ ନିଆଯିବ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ ରାସ୍ତା ନିର୍ମାଣ ଜନିତ ବୈଷୟିକ ତ୍ରୁଟିବିଚ୍ୟୁତିର ସଂଶୋଧନ, ବ୍ୟାପକ ସଚେତନତା ସୃଷ୍ଟି, ବେଆଇନ ଭାବେ ରାସ୍ତାର ବିଭାଜକକୁ କାଟୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ ପଦକ୍ଷେପ, କ୍ଷେତ୍ରୀୟ ଯାଞ୍ଚ, ଏନ୍‌ଫୋର୍ସମେଣ୍ଟ, ରାସ୍ତା ନିରାପତ୍ତା ସହିତ ଜଡ଼ିତ ବିଭିନ୍ନ ବିଭାଗମାନଙ୍କ ମଧ୍ୟରେ ସମନ୍ଵୟ ଆଦି ନେଇ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟ ଯୋଜନା ଅନୁଯାୟୀ ୩ ମାସ ମଧ୍ୟରେ ବୈଷୟିକ ତ୍ରୁଟି ସୁଧାରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପରିବହନ କମିସନର ମଧୁସୂଦନ ପାଢ଼ୀ କହିଲେ ଯେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ସହ ଅନ୍ୟ ରାସ୍ତାର ସଂଯୋଗ ସ୍ଥାନଗୁଡ଼ିକ ଦୁଘର୍ଟଣା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ଏହି ନିର୍ମାଣଜନିତ ତ୍ରୁଟି ସୁଧାରିବା ନିମନ୍ତେ ସ୍ୱଳ୍ପ ସୂତ୍ରୀ କାର୍ଯ୍ୟ ମାର୍ଚ ମାସ ମଧ୍ୟରେ ଶେଷ କରାଯିବ। ଏହାବ୍ୟତୀତ, ରାସ୍ତାର ବିଭିନ୍ନ ଅଂଶରେ ସ୍ପିଡ୍‌ ଲିମିଟ୍‌ ପ୍ରଦର୍ଶିତ କରାଯାଇ ସୂଚନାଫଳକ ଏବଂ ବିଭିନ୍ନ ସଂକେତ ଲଗାଯିବ। ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଆଦି ସହରରେ ଟ୍ରାଫିକ୍‌-ଛାତ୍ର-ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ କରାଯାଇଥିବା ଶ୍ରୀ ପାଢ଼ୀ କହିଥିଲେ। ରାସ୍ତା ନିରାପତ୍ତା ସହ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ସାମିଲ କରି ସୂଚନା ଆଦାନପ୍ରଦାନ କରିବାକୁ ମୁଖ୍ୟ ସଚିବ ପରିବହନ, ଜାତୀୟ ରାଜପଥ, ରାସ୍ତା ଓ କୋଠାବାଡ଼ି ଏବଂ ପୁଲିସ୍‌ ବିଭାଗଙ୍କୁ ନିର୍ଦେଶ ଦେଇଥିଲେ। ଏହି ଗ୍ରୁପ୍‌କୁ ସଂଯୋଜିତ କରିବେ ପରିବହନ କମିସନର ଶ୍ରୀ ପାଢ଼ୀ।

ସୂଚନାନୁସାରେ ବାଲେଶ୍ୱରଠାରୁ ଲକ୍ଷ୍ମଣନାଥ ମଧ୍ୟରେ ଥିବା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ସେହି ରାସ୍ତାରେ ଦୁଘର୍ଟଣା ହ୍ରାସ ପାଇଛି। ଅନୁରୂପ କାର୍ଯ୍ୟକ୍ରମ ଅନ୍ୟାନ୍ୟ ସ୍ଥାନରେ କରାଯିବ। ଏଣିକି ରାସ୍ତା ନିର୍ମାଣକାରୀ ବିଭାଗ ମୁଖ୍ୟ ଯନ୍ତ୍ରୀମାନେ ରାସ୍ତା ନିର୍ମାଣର ଡିଜାଇନ୍‌ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଅବଗତ କରାଇ ସଂଯୋଗ ସ୍ଥାନର ନିର୍ମାଣ କୌଶଳ ସ୍ଥିର କରିବେ। ଜିଲ୍ଲାପାଳ, ଏସ୍‌ପିମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଏବଂ ଜିଲ୍ଲାସ୍ତରୀୟ କମିଟିମାନଙ୍କରୁ ମିଳିଥିବା ପରାମର୍ଶ ଭିତ୍ତିରେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ବୈଠକରେ ପୂର୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ, ଜାତୀୟ ରାଜପଥ କର୍ତୃପକ୍ଷଙ୍କ ମୁଖ୍ୟ ସାଧାରଣ ପରିଚାଳକ ଧର୍ମାନନ୍ଦ ଷଡଙ୍ଗୀ, ଅତିରିକ୍ତ ପୁଲିସ ମହାନିର୍ଦେଶକ (କ୍ରାଇମ୍‌ ବ୍ରାଞ୍ଚ) ସନ୍ତୋଷ ଉପାଧ୍ୟାୟଙ୍କ ସମେତ ସଂପୃକ୍ତ ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର