ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଡିସେମ୍ବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ଆଇନଜୀବୀ ସଂଘ ନିର୍ବାଚନ

କଟକ : ରାଜ୍ୟର ସ୍ବୀକୃତିପ୍ରାପ୍ତ ଆଇନଜୀବୀ ସଂଘ ଗୁଡିକର କର୍ମକର୍ତ୍ତା ନିର୍ବାଚନ ଡିସେମ୍ବର ୧୫ ତାରିଖ ସୁଦ୍ଧା ଅନୁଷ୍ଠିତ ହେବ। ଏ ନେଇ ପଦକ୍ଷେପ ନେବା ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ଶେଷ ସୁଦ୍ଧା ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ଡିସେମ୍ବର ୧୫ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ଫଳାଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ‌ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମାର୍ଚ୍ଚ ୨୮ରେ ରାଜ୍ୟର ସମସ୍ତ ଆଇନଜୀବୀ ସଂଘ କର୍ମକର୍ତ୍ତା ନିର୍ବାଚନ ୱାନ୍ ବାର୍ ୱାନ୍ ଭୋଟ ନିୟମ ଆଧାରରେ ଆୟୋଜନ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟର ସମସ୍ତ ବାର୍‌ ଆସୋସିଏସନରେ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ମଧ୍ୟ ଦାଖଲ କରି ସାରିଥିଲେ। ନିର୍ବାଚନ ଆଉ କିଛି ଦିନ ଥିବାବେଳେ କରୋନା ଭୂତାଣୁ ସଂକ୍ରମଣ ସମସ୍ୟା ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ସବୁ ବାର୍ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏପରି ପରିସ୍ଥିତିରେ ଆଇନଜୀବୀ ସଂଘ ଗୁଡିକର ପରିଚାଳନା ପାଇଁ ଅନ୍ତରୀଣ କମିଟି ଗଠନ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶନାମା ଜାରି କରିଥିଲା। ଆଇନଜୀବୀ ପରିଷଦ ଅନ୍ତରୀଣ କମଟି ନିର୍ଦ୍ଦେଶନାମାକୁ ବିରୋଧ କରି ଦାୟର ମାମଲା ଗୁଡିକର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଥିଲା। ଭୁବନେଶ୍ବର ବାର୍ ଆସୋସିଏସନ, ବାଲେଶ୍ବର ବାର୍ ଆସୋସିଏସନ୍, ଭଦ୍ରକ ବାର୍ ଆସୋସିଏସନ୍ ସଦସ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦର୍ଶାଇଥିଲେ ଯେ ଅନ୍ତରୀଣ କମିଟି ଗଠନ ନିୟମ ଅନୁସାରେ ହୋଇନାହିଁ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଲକ୍ଷ୍ମୀଧର ପଙ୍ଗାରୀ, ଆଇନଜୀବୀ ଦୀପକ କୁମାର ମହାପାତ୍ର, ଏ.ଏସ.ନନ୍ଦି, ଆଇନଜୀବୀ ପରିଷଦ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଓ ଇଣ୍ଟରଭେନରଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ରାୟ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର