ଭବାନୀପାଟଣା/ଧର୍ମଗଡ଼/ବରଗଡ଼: ଆସନ୍ତା ମାର୍ଚ୍ଚ ୫ ତାରିଖରେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡର ଆରମ୍ଭ କରାଯିବ। ଏହି ମ୍ୟାଜିକ୍ କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ। ଏହି କାର୍ଡରେ ୱାଇଫାଇ ଆକ୍ସେସ୍, ବହି କିଣିବାରେ ରିହାତି, ଉଭୟ ବସ୍ ଓ ଟ୍ରେନ୍ ଯାତ୍ରାରେ ରିହାତି, ଅନ୍ଲାଇନ୍ କ୍ଲାସ୍ରୁମ୍ର ସୁବିଧା, ଅନ୍ଲାଇନ୍ କ୍ୟାରିୟର କାଉନସେଲିଂ, ଫୋନ୍ ପାଇଁ ରିଚାର୍ଜ କରିବା ସୁବିଧା ଉପଲବ୍ଧ ହେବ। ଆଜି କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ଏହି ଅବସରରେ ସେ ନୂଆ-ଓ ଛାତ୍ରବୃତ୍ତିର ଆରମ୍ଭ କରି ଅନୁମୋଦନ ଆଦେଶପତ୍ର ବଣ୍ଟନ କରିଛନ୍ତି। ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଯୁବକମାନଙ୍କୁ ସଶକ୍ତୀକରଣ, ନିଜର ଦକ୍ଷତା ବିକାଶ ତଥା ରାଜ୍ୟ ସମୃଦ୍ଧିରେ ନିଜର ସହଭାଗିତା ଏବଂ ରୂପାନ୍ତରିତ କାର୍ଯ୍ୟ ପରିପ୍ରେକ୍ଷୀରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାଦ୍ବାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟକ୍ଲାସ, ଇ-ଲାଇବ୍ରେରି, ସାଇନ୍ସ ଲାବ୍ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରାଯାଉଛି। ଏଥିସହିତ ଆସନ୍ତା ମାର୍ଚ୍ଚ ୫ ତାରିଖରେ ଯେଉଁ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’ର ଆରମ୍ଭ କରାଯିବ, ତାହା ହେଉଛି ଏକ ଆଧାର କାର୍ଡ। ଯଦି ଛାତ୍ର ଭଲ ପ୍ରଦର୍ଶନ କରେ ତେବେ ସେମାନଙ୍କୁ ସିଲଭର କାର୍ଡ ଅପଗ୍ରେଡ୍ କରାଯାଇପାରିବ, ପରେ ଗୋଲ୍ଡେନ୍ ଏବଂ ତା’ ପରେ ପ୍ଲାଟିନମ୍ କାର୍ଡ। ଏହାଦ୍ୱାରା ସେମାନେ ସେମାନଙ୍କ ଅଧ୍ୟୟନ ଖର୍ଚ୍ଚ ପରିଚାଳନା କରିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସମୃଦ୍ଧି କାମନା କରିଛନ୍ତି। ଆର୍ଥିକ ଅନଟନ କାରଣରୁ ଉଚ୍ଚଶିକ୍ଷାରେ କୌଣସି ଛାତ୍ରଛାତ୍ରୀ ପଛରେ ରହିବା ଉଚିତ ନୁହେଁ ବୋଲି ତାଙ୍କର ଲକ୍ଷ୍ୟ ଥିଲା। ନୂଆ-ଓ ଛାତ୍ରବୃତ୍ତି ମାଧ୍ୟମରେ ଏହି ସ୍ୱପ୍ନ ପୂରଣ ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୩୩ଟି କଲେଜରୁ ୧୩,୦୭୪ ଜଣ ଛାତ୍ରଛାତ୍ରୀଙ୍କୁ ୧୨,୯୩,୫୯,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬୯୯୩ ଜଣ ଛାତ୍ର ଏବଂ ୬୦୮୧ ଜଣ ଛାତ୍ରୀ ଅଟନ୍ତି। ମଞ୍ଚରେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ୧୩ ଜଣ ଛାତ୍ରଛାତ୍ରୀ ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ମୟ ନାୟକ, ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ସବିତା ମାଝୀ, ପଞ୍ଚାୟତ ମହାବିଦ୍ୟାଳୟର ସୁଭଦ୍ରା ନାଏକ, ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଜୟପାଟଣାର ନୃସିଂହ ଚରଣ ଦାସ, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ଼ର ଅର୍ପିତା ଦଣ୍ଡସେନା, କେସିଙ୍ଗା ମହାବିଦ୍ୟାଳୟ, କେସିଙ୍ଗାର ଆଦିତ୍ୟ ଶଙ୍କର ସୁନା, ମଦନପୁର ରାମପୁର ଡିଗ୍ରି ମହାବିଦ୍ୟାଳୟର ଝରଣା ପ୍ରଧାନୀ, ପଞ୍ଚାୟତ ସମିତି ମହାବିଦ୍ୟାଳୟର ଭୀମ ଗୌଡ଼, ସର୍ବମଙ୍ଗଳା ମହାବିଦ୍ୟାଳୟ, ଗୋଲାମୁଣ୍ଡାର ଛୁବନ୍ ନାଏକ, ମହାରାଣୀ କସ୍ତୁରିକା ମୋଦୀନୀ ଦେବୀ ମହାବିଦ୍ୟାଳୟ, କଲମପୁରର ଅବନ୍ତୀ ନାଏକ, ଜଗନ୍ନାଥ ମହାବିଦ୍ୟାଳୟ ରିଷିଡ଼ାର ରଶ୍ମିରେଖା ସାହୁ, ପଂଚାୟତ ସମିତି ମହାବିଦ୍ୟାଳୟ, କୋକସରାର ଦଧିସ୍ମିତା ଦୁର୍ଗା, ମା’ ହୀରାନୀଲା ମହାବିଦ୍ୟାଳୟ, ବିଶ୍ୱନାଥପୁରର ରୋଶନ୍ଲାଲ ସେଠ୍ଙ୍କୁ ବୃତ୍ତି ସାର୍ଟିଫିକେଟ ପ୍ରଦାନ କରିଥିଲେ। ଧର୍ମଗଡ଼ ପରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଖେଳପଡ଼ିଆଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଯୋଗଦେଇ ଛାତ୍ରବୃତ୍ତି ବଣ୍ଟନ କରିଥିଲେ।
ଏହାପରେ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଜମୁର୍ଡ଼ା ଖେଳପଡ଼ିଆରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର ଜିଲ୍ଲାରୁ ଆସିଥିବା ମହାବିଦ୍ୟାଳୟର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇଥିଲେ। ଛାତ୍ରବୃତ୍ତି ପାଇଥିବା ଭେଡ଼େନ ବ୍ଲକର ଚିଚିଣ୍ଡା ପଲ୍ଲିଶ୍ରୀ କଲେଜର ଛାତ୍ର ସୁଜିତ ଦୀପ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ‘ ମୋର ବାପା ଜଣେ ସାଧାରଣ ଚାଷୀ। ମୋତେ ପାଠପଢ଼ାରେ ବେଶ୍ ସହାୟକ ହେବ ଏହି ଛାତ୍ର ବୃତ୍ତି। ୧୦ ହଜାର ଟଙ୍କା ମିଳିଛି। ରାଜନୀତି ବିଜ୍ଞାନ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ଅଛି। ଏହି ସହାୟତା ସମସ୍ତଙ୍କୁ ନିହାତି ସହାୟକ ହେବ। ମୁଁ ଆଜି ପାଣ୍ଡିଆନ ସାରଙ୍କଠାରୁ ସହାୟତା ରାଶି ପାଇ ବହୁତ ଖୁସି।’ ସେହିପରି ଲରମ୍ଭା ଡିଗ୍ରି କଲେଜର ଛାତ୍ରୀ ରୋଜାଲିନ ବିଶୋଇ ମଧ୍ୟ ଛାତ୍ରବୃତ୍ତି ନେଇ କୃତଜ୍ଞତା ଜଣାଇବା ସହିତ କହିଥିଲେ, ‘ମୋର ବାପା ଜଣେ ବେସରକାରୀ କର୍ମଚାରୀ ଭାବେ ଅବସର ନେଲେଣି। ମୁଁ ହଷ୍ଟେଲରେ ରହି ଲରମ୍ଭା କଲେଜରେ ପାଠ ପଢୁଛି। ସ୍କଲାରସିପ ପାଇଲା ପରେ ବହୁତ ଖୁସି ଲାଗୁଛି।’