ଭୁବନେଶ୍ବର: ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି। ମତଦାନ ସମୟରେ ଯେପରି ସମସ୍ତ ମତାଦାତା ବିନା ପ୍ରତିବନ୍ଧକରେ ନିଜର ମତଦାନ କରିପାରିବେ ତାହାକୁ ନିଶ୍ଚିତ କରିବାକୁ ଭାରତ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ନିର୍ବାଚନ ସମୟରେ ଦିବ୍ୟାଙ୍ଗମାନେ ଯେପରି ସହଜରେ ବୁଥ୍‌କୁ ଆସି ସେମାନଙ୍କର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିପାରିବେ ସେଥିପାଇଁ ପ୍ରତି ବୁଥ୍‌ରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସିଇଓ ଆର୍‌.ଏସ୍‌ ଗୋପାଳନ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ସୁଗମ ନିର୍ବାଚନ ନେଇ ସଂଚାଳନା କମିଟିର ବୈଠକ 
ସକ୍ଷମ ଆପ୍‌ ଯୋଗେ ଦିବ୍ୟାଙ୍ଗଙ୍କ ନାମ ପଞ୍ଜୀକରଣ ଉପରେ ଗୁରୁତ୍ବ

ଇସିଆଇର ମାର୍ଗଦର୍ଶିକା ଅନୁଯାୟୀ ଆଜି ସିଇଓଙ୍କ ସମ୍ମିଳନୀ କକ୍ଷରେ ‘ସୁଗମ ନିର୍ବାଚନ’ ନେଇ ସଂଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିବ୍ୟାଙ୍ଗ ଭୋଟରଙ୍କ ଚିିହ୍ନଟ, ନିର୍ବାଚନ ବୁଥ୍‌ର ଦିବ୍ୟାଙ୍ଗଙ୍କ ଲାଗି ରାମ୍ପ, ସୂଚନା ଫଳକ, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା, ଆଇଇସି ଜରିଆରେ ସଚେତନତା ସୃଷ୍ଟି, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ଉପଯୋଗ ଏବଂ ନିର୍ବାଚନରେ ଦିବ୍ୟାଙ୍ଗଙ୍କ ସୁବିଧା ଲାଗି କି କି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଉପ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ନିଲୁ ମହାପାତ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅତିରିକ୍ତ ସଚିବ ରଜନୀ ଜାନୀ, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଶୁଚିସ୍ମିତା ସାହୁ, ନେହରୁ ଯୁବକେନ୍ଦ୍ରର ଶିବାଜୀ ଖରାତ, ଉଚ୍ଚଶିକ୍ଷା ବିଭାଗର ଉପସଚିବ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।