ରାଜ୍ୟର ସବୁ ବସଷ୍ଟାଣ୍ଡ ହେବ ଉନ୍ନତୀକରଣ : ବସଷ୍ଟାଣ୍ଡରେ ହେବ ସପିଂ ମଲ ଓ ମଲ୍ଟିପ୍ଲେକ୍ସ, ଖୁବଶୀଘ୍ର ଚାଲିବ ବିଦ୍ୟୁତ ଚାଳିତ ବସ୍

ଭୁବନେଶ୍ବର : ରାଜ୍ୟର ସମସ୍ତ ବସଷ୍ଟାଣ୍ଡର ଉନ୍ନତୀକରଣ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏଣିକି ସମସ୍ତ ବସ ଷ୍ଟାଣ୍ଡରେ ସପିଂ ମଲ ରହିବ। ଆବଶ୍ୟକ ସ୍ଥଳେ ବଡ଼ ବସଷ୍ଟାଣ୍ଟ ଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ। ଜନସାଧାରଣ ବସଷ୍ଟାଣ୍ଡରେ ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇପାରିବେ। ସେହିଭଳି ଓଏସଆରଟିସିର ବସ ସଂଖ୍ୟା ବଢ଼ାଇବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ।

ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ‘ମୋ ବସ’ ଅଧିକ ସଫଳ ହୋଇଛି। କ୍ରୁଟ୍ ପକ୍ଷରୁ ‘ମୋ ବସ’ ସେବାକୁ ଅଧିକ ଉନ୍ନତ କରିବା ପାଇଁ ଏକ ୱାର୍କସପ୍ ଆୟୋଜିତ ହୋଇଛି। ଦେଶ ବାହାରୁ ବିଶେଷଜ୍ଞ ଆସି ଏହି ୱାର୍କସପରେ ଯୋଗ ଦେଇଛନ୍ତି। ବିଶ୍ୱରେ ଥିବା ବଡ଼ ବଡ଼ ସହରରେ ବସ ସେବା କିପରି ଚାଲିଛି ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷଜ୍ଞଙ୍କ ମତ ଅନୁସାରେ ଆଗାମୀ ସମୟରେ ରାଜ୍ୟ ସରକାର ବସ୍ ସେବାକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ।

ସେହିଭଳି ‘ମୋ ବସ୍’ ପାଇଁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟକୁ ପ୍ରଶଂସା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଉ ୧୮୯ ବସ୍ କିଣିବାର ଯୋଜନା ରହିଛି। ୫୦ଟି ବିଦ୍ୟୁତ ଚାଳିତ ବସ ସହ ମୋ ବସ୍ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ। ପ୍ରତ୍ୟେକ ଦିନ ୧ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର