ଭୁବନେଶ୍ୱର : ରବିବାରଠାରୁ ଦ୍ବୈତନଗରୀ କଟକ-ଭୁବନେଶ୍ବର ସମସ୍ତ କୋଚିଂ ସେଣ୍ଟର ବନ୍ଦ ରହିବ। ଏଭଳି ଘୋଷଣା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ଏ ନେଇ ଡିସିପି ଓ ଏସିପିଙ୍କ ସମେତ ସମସ୍ତ ଥାନା ଇନ୍ସ୍ପେକ୍ଟରଙ୍କୁ ଅବଗତ କରାଯାଇଛି। ଆସନ୍ତାକାଲି ଠାରୁ ସେମାନେ ବିଭିନ୍ନ ଅଞ୍ଚଳ ଯାଞ୍ଚ କରି ଏହି କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ଅଛି ବୋଲି ନିଶ୍ଚିତ କରାଇବେ। ବିଭିନ୍ନ ଥାନା ଅଞ୍ଚଳରେ ଥିବା କୋଚିଂ ସେଣ୍ଟରଗୁଡ଼ିକୁ ଥାନା ଜରିଆରେ ଅବଗତ କରାଯାଇଛି। ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଏଣୁ ଅଭିଭାବକମାନେ ଏ ନେଇ ସତର୍କ ରହିବା ସହ କୋଚିଂ ସେଣ୍ଟରକୁ ପିଲାମାନଙ୍କୁ ନ ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି ପୁଲିସ କମିସନର।
ସେହିଭଳି କମିସନରେଟ୍ ପୁଲିସ୍ ଅଞ୍ଚଳରେ ଥିବା ସମସ୍ତ ଡାନ୍ସ ବାର୍ର ଲାଉଡ୍ ସ୍ପିକର ଲାଇସେନ୍ସ ବାତିଲ କରାଯାଇଛି। କୌଣସି ଡାନ୍ସବାର୍ ଗୀତ ବଜାଇ ପାରିବେ ନାହିଁ। ଗୀତ ନ ବାଜିଲେ ନୃତ୍ୟ ମଧ୍ୟ ହୋଇ ପାରିବ ନାହିଁ। ଏଣୁ ପରୋକ୍ଷରେ ନାଚଗୀତ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏହି ବାର୍ଗୁଡ଼ିକ ଉପରେ ନଜର ରଖିବା ପାଇଁ ସମ୍ପୃକ୍ତ ଥାନାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ହେବ।
ଅନ୍ୟପଟେ ବାହାଘର ବା ଅନ୍ୟାନ୍ୟ ଶୋଭାଯାତ୍ରା ନ ହେବା ପାଇଁ କଡ଼ାକଡ଼ି କରାଯାଇଛି। କିନ୍ତୁ ବାହାଘର ରିସେପସନ୍ ପାର୍ଟି ହୋଇପାରିବ ବୋଲି କୁହାଯାଇଛି। ତେବେ ଏଥିରେ ଭାଗ ନେଉଥିବା ସଦସ୍ୟଙ୍କ ସଂଖ୍ୟା ୩୦ରୁ ୫୦ ଭିତରେ ସୀମିତ ରଖିବାକୁ କୁହାଯାଇଛି। ଭାଗ ନେଉଥିବା ସମସ୍ତ ବ୍ୟକ୍ତି ସତର୍କତା ମୂଳକ ପଦକ୍ଷେପ ନେଇ ଭାଗ ନେଇ ପାରିବେ। ଆୟୋଜନ କରୁଥିବା ଲୋକ ମଧ୍ୟ ଏ ନେଇ ଯଥେଷ୍ଟ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ଏଭଳି ପାର୍ଟି ଉପରେ ପୁଲିସ ନଜର ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।
ସେହିଭଳି ମଲ ଗୁଡ଼ିକରେ ଅଧିକ ଲୋକ ପ୍ରବେଶ ଉପରେ କଟକଣା କରାଯାଇଛି। ପ୍ରତ୍ୟେକ ଗ୍ରାହକ ଓ ସେଲ୍ସମ୍ୟାନ୍ ମଧ୍ୟରେ ଅତି କମ୍ରେ ୬ ଫୁଟ୍ର ବ୍ୟବଧାନ ବଜାୟ ରଖିବେ। ମଲଗୁଡ଼ିକ କୌଣସି ପ୍ରମୋସନ କାର୍ଯ୍ୟକ୍ରମ କରିପାରିବେ ନାହିଁ। ସେଲ୍ସ୍ମ୍ୟାନ୍ ମାସ୍କ ପିନ୍ଧିବା ସହ ହାଇଜିନ୍ ହାଣ୍ଡ ୱାସ୍ ବ୍ୟବହାର କରିବେ। ସମସ୍ତ ମଲ ଗ୍ରାହକଙ୍କ ପାଇଁ ଆଲ୍କହଲ ଆଧାରିତ ସାନିଟାଇଜର ଉପଲବ୍ଧ କରାଇବେ। କରୋନା ନ ବ୍ୟାପିବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା ପାଳନ କରିବାକୁ ମଲଗୁଡ଼ିକ ପାଇଁ ଉପଦେଶାବଳୀ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/coaching-center.jpg)