ଭୁବନେଶ୍ବର : ଆସନ୍ତା ୨୦୭୦ ସୁଦ୍ଧା ଅନୁଗୁଳରେ ଥିବା ସବୁ କୋଇଲା ଖଣି ବନ୍ଦ ହୋଇଯିବ। ଆଇଫରେଷ୍ଟ୍‌ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ଅନୁଗୁଳରେ ଏବେ ପ୍ରାୟ ୧୨୫ଟି କୋଇଲା ଖଣିରୁ ବାର୍ଷିକ ୯୬.୭ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହେଉଛି। ୨୦୩୦ ବେଳକୁ ତାହା ବୃଦ୍ଧି ପାଇ ୨୮୦ ନିୟୁତ ଟନ୍‌ ଓ ୨୦୩୩ ସୁଦ୍ଧା ୩୦୮.୮ ନିୟୁତ ଟନ୍‌ରେ ପହଞ୍ଚିବ। ସେହି ଅନୁଯାୟୀ ଖଣି ସଂଖ୍ୟା ବୃଦ୍ଧି ପାଇ ୨୦୩୩ ବେଳକୁ ୩୦୦ରୁ ଅଧିକ ହୋଇଯିବ। ତେବେ ୨୦୪୦ରୁ ଖଣିଗୁଡ଼ିକର ବନ୍ଦ ପ୍ରକ୍ରିୟା ଆରମ୍ଭ ହେବ। ୨୦୫୦ ବେଳକୁ କୋଇଲା ଖଣି ସଂଖ୍ୟା ୨୨୦କୁ ଓ ୨୦୬୦ରେ ୧୦୦କୁ ହ୍ରାସ ପାଇବ। ୨୦୭୦ ସୁଦ୍ଧା କୋଇଲା ସମସ୍ତ ଖଣି ବନ୍ଦ ହୋଇଯିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ସେହିପରି ୩୫ ବର୍ଷରୁ ଅଧିକ ପୁରୁଣା ଓ ପରିବେଶ ନିୟମକୁ ଠିକ୍‌ ଭାବେ ପାଳନ କରୁ ନଥିବା ଥର୍ମାଲ୍‌ ପାୱାର ପ୍ଲାଣ୍ଟ (ତାପଜ ବିଦ୍ୟୁତ କେନ୍ଦ୍ର)ଗୁଡ଼ିକ ମଧ୍ୟ ବନ୍ଦ ହୋଇଯିବ। ୨୦୨୫ ବେଳକୁ କୋଇଲା ଜାଳେଣି ଭାବେ ବ୍ୟବହାର କରୁଥିବା ଥର୍ମାଲ୍‌ ପାୱାର ପ୍ଲାଣ୍ଟଗୁଡ଼ିକର ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଆଇଫରେଷ୍ଟ୍‌ର ‘ଅନୁଗୁଳ:ପ୍ଲାନିଂ ଏ ଜଷ୍ଟ ଏନର୍ଜି ଟ୍ରାନ୍‌ଜିସନ ଆଣ୍ଡ୍‌ ଏ ନ୍ୟୁ ଗ୍ରିନ୍‌ ଇକୋନୋମି’
ରିପୋର୍ଟରେ ଦର୍ଶାଯାଇଛି।

Advertisment

ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ ବ୍ୟବସ୍ଥାରେ କରାଯାଉଥିବା ନିବେଶ ୨୦୩୦ ପରେ ଅଦରକାରୀ ସମ୍ପତ୍ତିରେ ପରିଣତ ହେବାର ଆଶଙ୍କା ରହିଛି। ସେହି ସମୟରେ କୋଇଲାରୁ ଉତ୍ପାଦନ ହେଉଥିବା ବିଦ୍ୟୁତ ତୁଳନାରେ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ସଂରକ୍ଷଣ ଶସ୍ତା ପଡ଼ିବ। ଅନୁଗୁଳରେ ଥିବା ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ଦେଶର ଅନ୍ୟତମ ଶସ୍ତା ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଯେଉଁଠାରେ କିଲୋୱାଟ୍‌ ଆୱାର ପିଛା ଦାମ୍ ୨ ଟଙ୍କା ୬୫ ପଇସାରୁ ୨ ଟଙ୍କା ୯୫ ପଇସା ରହୁଛି। କମ୍ ମୂଲ୍ୟରେ କୋଇଲା ମିଳିବାର ଆଶା ରଖି ଆଲୁମିନା ରିଫାଇନାରି ଓ ଇସ୍ପାତ କାରଖାନାଗୁଡ଼ିକ ନୂଆ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ ଏବଂ କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ୍‌ (ସିପିପି) ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। କିନ୍ତୁ ଆଗାମୀ ୧୦ ବର୍ଷ ଭିତରେ କୋଇଲାରୁ ଉତ୍ପାଦିତ ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମୂଲ୍ୟରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ତେଣୁ ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ରେ ନିବେଶର ସମ୍ଭାବନା ଅତ୍ୟନ୍ତ ସଙ୍କୁଚିତ ହେବ ବୋଲି ଆଶା କରାଯାଉଛି। ଏହା ପରେ କୋଇଲାର ଚାହିଦା ବହୁତ କମିଯିବ। କୋଇଲା ଭିତ୍ତିକ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରିବା ବେଳେ ଏହାକୁ ବିଚାରକୁ ନେବା ଲାଗି ରିପୋର୍ଟରେ ପରାମର୍ଶ ଦିଆଯାଇଛି।

publive-image

ବିଶ୍ଳେଷଣରୁ ଜଣାପଡିଛି ଯେ ୨୦୨୫ ସୁଦ୍ଧା ୨୫% ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍(ବିଇଏସ୍ଏସ୍) ଥିବା ସୌର ପିଭି (ଫଟୋଭୋଲାଟିକ୍‌)ରୁ ଉତ୍ପାଦିତ ବିଦ୍ୟୁତ୍‌ର ପର୍ଯ୍ୟାୟକ୍ରମିକ ମୂଲ୍ୟ ୪.୩ ଟଙ୍କା/ କିଲୋୱାଟ୍ ଆୱାର୍ ହେବ। ଯେତେବେଳେ କି ଏକ ପିଟ୍‌ହେଡ୍‌ ସୁପର୍ କ୍ରିଟିକାଲ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ ପାଇଁ ଏହାର ମୂଲ୍ୟ ୪.୨ ଟଙ୍କା/କିଲୋୱାଟ୍ ଆୱାର୍। ଏଣୁ ୨୦୩୦ ବେଳକୁ ସଂରକ୍ଷଣ ସୁବିଧା ଥାଇ ସବୁଠାରୁ ଶସ୍ତା ବିଦ୍ୟୁତ୍ ଉତ୍ପାଦନର ଉତ୍ସ ସୌର ଶକ୍ତି ହେବ। ୫୦% ବିଇଏସ୍ଏସ୍‌ ଥିବା ସୌର ପିଭିରୁ ଉତ୍ପାଦିତ ବିଦ୍ୟୁତ୍‌ର ପର୍ଯ୍ୟାୟକ୍ରମିକ ମୂଲ୍ୟ ୪.୮ ଟଙ୍କା/କିଲୋୱାଟ୍ ଆୱାର୍ ହେବ। ଯେତେବେଳେ କି ସୁପର୍ କ୍ରିଟିକାଲ୍ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ ପାଇଁ ଏହାର ମୂଲ୍ୟ ୪.୯ ଟଙ୍କା/କିଲୋୱାଟ୍ ଆୱାର୍ ଏବଂ ଏକ ଇଣ୍ଟିଗ୍ରେଟେଡ୍ କୋଇଲା ଗ୍ୟାସିଫିକେସନ୍ କମ୍ବାଇନ୍ ସାଇକଲ୍(ଆଇଜିସିସି) ପ୍ଲାଣ୍ଟ ପାଇଁ ଏହାର ମୂଲ୍ୟ ୫.୬ ଟଙ୍କା/ କିଲୋୱାଟ୍ ଆୱାର୍ ହେବ।

ଆଇଫରେଷ୍ଟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି ଆସନ୍ତା ୧୦ରୁ ୧୫ ବର୍ଷ ପାଇଁ କୋଇଲା ବ୍ୟବହାରରେ ପରିବେଶ ଓ ସବୁଜ ଅର୍ଥନୀତିକୁ ଗୁରୁତ୍ୱ ଦିଆଯିବା ଦରକାର। ୨୦୩୫ ପରେ ଅକ୍ଷୟ ଶକ୍ତି ବୃଦ୍ଧି ସହ ସବୁଜ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଉ। ଖଣି ଓ ପାୱାର ପ୍ଳାଣ୍ଟ ବନ୍ଦ ଯୋଗୁଁ ଆସନ୍ତା ୩ରୁ ୪ ଦଶନ୍ଧିରେ ୩୩ ହଜାର ହେକ୍ଟର ଜମି ଉପଲବ୍ଧ ହେବ। ତାହାକୁ ପରିବେଶ ଓ ସବୁଜ ଅର୍ଥନୀତି ପାଇଁ ବ୍ୟବହାର କରାଯାଇପାରିବ। ସବୁଜ ଶିଳ୍ପ ବିକାଶ ଓ ଅକ୍ଷୟ ଶକ୍ତି କ୍ଷେତ୍ର ପାଇଁ ବିପୁଳ ପରିମାଣର କୁଶଳୀ କର୍ମଚାରୀ ଆବଶ୍ୟକ ଥିବାରୁ ଧନ୍ଦାମୂଳକ ତାଲିମ କେନ୍ଦ୍ର ଖୋଲାଯିବା ଦରକାର। ଅନୁଗୁଳ-ତାଳଚେର ପରି ଏକ ସମ୍ବେଦନଶୀଳ ଅଞ୍ଚଳରେ ଜମି ଓ ଜଳ ଉତ୍ସର ପରିବେଶଗତ ଉପଚାର ଜରୁରୀ। ଏସବୁ ପାଇଁ ତିନୋଟି ରାଜ୍ୟସ୍ତରୀୟ ନୀତିର କାର୍ଯ୍ୟାନ୍ବୟନ କରାଯିବାର ଆବଶ୍ୟକତା ରହିଛି। ପ୍ରଥମତଃ କ୍ଲାଇମେଟ ଆକ୍ସନ ପ୍ଲାନର ବିକାଶ ପାଇଁ ଓ ସବୁଜ ଘର ଗ୍ୟାସ୍‌ ନିର୍ଗମନକୁ ହ୍ରାସ କରିବା ଏବଂ ଓଡ଼ିଶା କ୍ଲାଇମେଟ ଆକ୍ସନ ପ୍ଲାନରେ ଜଷ୍ଟ ଟ୍ରାଞ୍ଜିସନ ବ୍ୟବସ୍ଥାକୁ ସାମିଲ କରିବା, ଦ୍ବିତୀୟତଃ ଏକ ସମ୍ମିଳିତ ଅକ୍ଷୟ ଶକ୍ତି ଓ ସବୁଜ ଶିଳ୍ପ ଯୋଜନା ପ୍ରସ୍ତୁତି ଓ ତୃତୀୟତଃ ଏକ ରାଜ୍ୟସ୍ତରୀୟ ଜଷ୍ଟ ଟ୍ରାଞ୍ଜିସନ ନୀତିର ଆବଶ୍ୟକତା ରହିଛି।