ଭୁବନେଶ୍ବର : ରାଜ୍ୟରେ ୧୧୯୩୮ଟି ବିପଦସଙ୍କୁଳ ସ୍କୁଲ ଅଛି। ଏହାକୁ ଭାଙ୍ଗିବାକୁ ୨୦୧୪ ମସିହାରୁ ଜିଲ୍ଲା ପ୍ରକଳ୍ପ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ହେଲେ ଏବେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ହୋଇନଥିବାରୁ ଭଙ୍ଗାଯାଇନି। ଯଥାସମ୍ଭବ ଶୀଘ୍ର ସମସ୍ତ ବିପଦସଙ୍କୁଳ ସ୍କୁଲ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରି କରିବୁ। ବୁଧବାର ଦିନ ବିଧାୟକ ଅମର ଶତପଥୀଙ୍କ ଅସୁରକ୍ଷିତ ଶ୍ରେଣୀଗୃହ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି।
ହେଲେ ବିଧାୟକ ଶ୍ରୀ ଶତପଥୀଙ୍କ ମୂଳ ପ୍ରଶ୍ନ ଥିଲା, ୯ବର୍ଷ ଭିତରେ ବିପଦସଙ୍କୁଳ ଶ୍ରେଣୀ ଗୃହ ଭଙ୍ଗାନଯିବା କାରଣ କ’ଣ? ଆହୁରି କେତେ ଦିନ ପିଲା ଅସୁରକ୍ଷିତ ହୋଇ ପାଠ ପଢ଼ିବେ? ଯୁଦ୍ଧକାଳୀନ ଭିତ୍ତିରେ ପ୍ରାଥମିକ ସ୍କୁଲ ନିର୍ମାଣ ପାଇଁ ଅନୁଦାନ ଦିଆଯାଉ। ପଞ୍ଚାୟତିରାଜ ବିଭାଗକୁ ଯଦି ସ୍କୁଲର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଦିଆଯାଉଛି ତେବେ କେତେ ଅର୍ଥ ଶ୍ରେଣୀଗୃହ ନିର୍ମାଣ ପାଇଁ ଖର୍ଚ୍ଚ ହେବ ତାହା ଧାର୍ଯ୍ୟ କରି ଦିଆଯାଉ।
ଉତ୍ତରରେ ମନ୍ତ୍ରୀ କହିଥିଲେ, ପୂର୍ବରୁ ସର୍ବଶିକ୍ଷା ଅଭିଯାନରେ ପ୍ରତିବର୍ଷ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଅନୁଦାନ ଆସୁଥିଲା। ହେଲେ ସମଗ୍ର ଶିକ୍ଷା ଅଭିଯାନ ହେବା ପରେ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଅଧିକ ଅନୁଦାନ ମିଳୁନି। ଆବଶ୍ୟକସ୍ଥଳେ ପଞ୍ଚାତିରାଜ ବିଭାଗ ଦ୍ବାରା ସ୍କୁଲଗୁଡ଼ିକର ମରାମତି କରାଯିବ। ଏହାସହ ମନ୍ତ୍ରୀ କହିଥିଲେ ଯେ, ୨୦୨୨-୨୩ରେ ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୬୮୩ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବାବେଳେ ୧୦୦୩ଟି ଶ୍ରେଣୀଗୃହ ନିମନ୍ତେ ୧୧୮୫୫.୪୬ଲକ୍ଷ ଅନୁମୋଦନ ହୋଇଛି। ଏହି କାର୍ଯ୍ୟ ତୁରନ୍ତ କରିବାକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ବିଧାୟକ ସନାତନ ବିଜୁଳି କହିଥିଲେ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶ୍ରୀ ଅରବିନ୍ଦ ସ୍କୁଲ, ବିବେକାନନ୍ଦ ସ୍କୁଲଗୁଡ଼ିକ ପରୀକ୍ଷାରେ ଭଲ ଫଳାଫଳ କରୁଛନ୍ତି। ସେମାନଙ୍କୁ ସରକାରୀ ସ୍କୁଲ ଭଳି ସମାନ ସାର୍ଟିଫିକେଟ୍ ମିଳୁଛି, ଏନ୍ଓସି ବି ମିଳୁଛି। ହେଲେ ସରକାରୀ ସ୍କୁଲ ପାଇଁ ୫ଟି, ଡିଏମ୍ଏଫ୍, ଓମବାଡକ୍ ପାଣ୍ଠିରୁ ଅର୍ଥ ମିଳୁଥିବାବେଳେ ଏହି ସ୍କୁଲଗୁଡ଼ିକର ଭିତ୍ତିଭୂମି ଉନ୍ନତି ପାଇଁ ସରକାର କାହିଁକି କିଛି ବ୍ୟବସ୍ଥା କରୁନାହାନ୍ତି। ବିଧାୟକମାନେ ସେମାନଙ୍କ ପାଣ୍ଠି ଦେବା ବ୍ୟବସ୍ଥା କରିବେ କି?
ମନ୍ତ୍ରୀ ଏହାର ସ୍ପଷ୍ଟ ଉତ୍ତର ଦେଇନଥିଲେ। ଗତକାଲି ଗୃହରେ ଉଠିଥିବା ମାଟ୍ରିକ ଡ୍ରପଆଉଟ୍ ପ୍ରସଙ୍ଗ ଉଠାଇ କହିଥିଲେ, ଉତ୍ତରପ୍ରଦେଶରେ ୮୩୭୩ଟି ପରୀକ୍ଷା କେନ୍ଦ୍ରରେ ୧୪.୧୮ଲକ୍ଷ ପିଲା ପରୀକ୍ଷା ଦେଇନାହାନ୍ତି। ସେଠାରେ ଆମଠାରୁ ଅଧିକ ଡ୍ରପଆଉଟ୍। ବିଧାୟକ ସିଏସ୍ ରାଜେନ ଏକ୍କା, ରମେଶ ଚନ୍ଦ୍ର ସାଏ, ପ୍ରକାଶ ସୋରେନ୍, ଅରବିନ୍ଦ ଢାଲି ଅତିରିକ୍ତ ପ୍ରଶ୍ନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/garoi-school-2a.jpg)
