ହୀରାକୁଦ, ସାତକୋଶିଆରେ ସବୁଦିନିଆ ଇକୋ କଟେଜ

ପିପିପି ମୋଡ୍‌ରେ ପରିଚାଳନା କରାଯିବ

ଭୁବନେଶ୍ବର : ରାଜ୍ୟର ପର୍ଯ୍ୟଟନ ସମ୍ଭାବନା ଥିବା କିଛି ସ୍ଥାନରେ ବର୍ଷ ତମାମ ଇକୋ କଟେଜ୍ ସୁବିଧା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସମ୍ବଲପୁର ଜିଲ୍ଲାର ହୀରାକୁଦ ଓ କଟକ ଜିଲ୍ଲାର ବାଲିପୁଟ (ସାତକୋଶିଆ) ଠାରେ ଏହି ପ୍ରକଳ୍ପ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ। ପ୍ରତି ପ୍ରକଳ୍ପ ନିମନ୍ତେ ୬ ଏକର ଲେଖାଏ ଜାଗା ଚିହ୍ନଟ କରାଯାଇଛି। ପ୍ରକଳ୍ପ ପିଛା ପ୍ରାୟ ୬.୨୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଓ ପିପିପି ମୋଡ୍‌ରେ ପରିଚାଳିତ ହେବ।

ଆଜି ମୁଖ୍ୟ ଶାସନ ସଚିବ ସୁ‌ରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଇକୋ କଟେଜ୍ ନିର୍ମାଣ ସଂକ୍ରାନ୍ତରେ ବିଭାଗର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଇକୋ କଟେଜ୍ ପାଇଁ ଥିବା ସମ୍ଭାର ଓ ସମ୍ଭାବନାକୁ ବିଚାର କରି ପିପିପି ମୋଡ୍‌ରେ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଇକୋ କଟେଜ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ଭିଜିଏଫ୍‌ ପାଣ୍ଠି ସହ ଅନ୍ୟାନ୍ୟ ଭିତ୍ତିଭୁମି ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଏକ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ଘରୋଇ ସହଯୋଗୀ ସଂସ୍ଥା ଚୟନ କରିବା ପାଇଁ ଶ୍ରୀ ମହପାତ୍ର ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହୀରାକୁଦ, ବାଲିପୁଟ, ପାରାଦ୍ୱୀପ, ଦାରିଙ୍ଗିବାଡି, ପତି ସୋନାପୁର ଓ କୋରାପୁଟ ଆଦି ସ୍ଥାନରେ ବର୍ଷ ତମାମ ଇକୋ କଟେଜ ନିର୍ମାଣର ସମ୍ଭାବନା ଥିବା ବିଷୟ ବୈଠକରେ ଆଲୋଚନା ହୋଇଥିଲା।

ପର୍ଯ୍ୟଟନ ବିଭାଗର ପାନ୍ଥନିବାସ ଏବଂ ରାସ୍ତାପାର୍ଶ୍ୱ ସୁବିଧାକେନ୍ଦ୍ରଗୁଡ଼ିକୁ ଘରୋଇ ସହଭାଗିତାରେ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେଲେ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ବିଶେଷ ସୁବିଧା ପାଇବା ସହ ସନ୍ତୋଷ ଲାଭ କରିବେ ବୋଲି ବରି‌ଷ୍ଠ ଅଧିକାରୀମାନେ ମତ ଦେଇଥିଲେ। ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ, ଇପିକଲ୍‌ର ସିଏମ୍‌ଡି ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର